ଭୁବନେଶ୍ୱର, ୦୫/୦୬: ପ୍ରତୀକ୍ଷାର ଅନ୍ତ । କେରଳରେ ପ୍ରବେଶ କରିଛି ମୌସୁମୀ । ଆଗାମୀ ୨-୩ ଦିନ ଭିତରେ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁର କିଛି ଅଂଶ ଛୁଇଁପାରେ । ତେବେ ଓଡ଼ିଶାରେ ମୌସୁମୀ ଆଗମନକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଜୁନ୍ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ଏହା ମୌସୁମୀକୁ ଅଗ୍ରସର କରିବାରେ ସହାୟକ ହେବ । ରଜବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ । ସମ୍ଭାବ୍ୟ ଲଘୁଚାପ/ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ସଙ୍କେତ ଦିଆଯାଇଛି ।

ପାଣିପାଗ ବିଭାଗ ଆକଳନ କରିଛି, ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ୩୬-୩୮ ଡିଗ୍ରୀ ସେଲସିୟସ୍, ଉପକୂଳର ଅଧିକାଂଶ ଅଞ୍ଚଳରେ ୩୮-୪୦ ଡିଗ୍ରୀ ଓ ପଶ୍ଚିମରେ ୪୦-୪୨ ଡିଗ୍ରୀ ତାପମାତ୍ରା ରହିପାରେ । ୧୨ରୁ ୧୮ ତାରିଖ ଭିତରେ ଉତ୍ତର ଉପକୂଳରେ ୩୨-୩୪ ଡିଗ୍ରୀ, ବାକି ଉପକୂଳ ଅଞ୍ଚଳରେ ୩୪-୩୬ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣରେ ୩୮-୪୦ ଡିଗ୍ରୀ ରହିପାରେ ତାପମାତ୍ରା ।

ଗୁରୁବାର ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଟପିଥିବାବେଳେ କେତେକ ସ୍ଥାନରେ ୪୧ ପାର୍ କରିଥିଲା । ଅନେକ ସ୍ଥାନରେ ପାରଦ ୩୮-୪୦ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୮ ଡିଗ୍ରୀ ଥିଲା । ଏମିତିକି ଉପକୂଳରେ ବି ଝାଞ୍ଜି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ।

ଅଧିକ ପଢ଼ନ୍ତୁ :- Accident : ଭାରସାମ୍ୟ ହରାଇ ମାର୍କେଟ କମ୍ପ୍ଲେକ୍ସ ଭିତରେ ପଶିଲା ଟ୍ରକ, ୮ ବାଇକ ନଷ୍ଟ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୧୧ ତାରିଖ ଯାଏଁ ମୁଖ୍ୟତଃ ଗରମ ରହିବ । ତାପମାତ୍ରା ୩୭-୪୦ ଡିଗ୍ରୀ ସେଲସିୟସ୍ ଭିତରେ ରହିପାରେ । କାଁ ଭାଁ ୪୧ ଡିଗ୍ରୀ ଛୁଇଁପାରେ । ଏବେ କାଳବୈଶାଖୀ ବିସ୍ତୃତ ଅଞ୍ଚଳରେ ପ୍ରଭାବ ପକାଇବ ନାହିଁ । ୯ ପରେ କାଳବୈଶାଖୀ ବର୍ଷା ବଢ଼ିବ । ରଜ ବେଳକୁ ପାଗ ମେଘୁଆ ରହିବ । ୧୧ରୁ ୧୩ ତାରିଖବେଳକୁ ବର୍ଷା ସମ୍ଭାବନା ଅଛି । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆସିପାରେ । ସମ୍ଭବତଃ ରଜ ସୁଦ୍ଧା ଛୁଇଁପାରେ ମୌସୁମୀ ।