ମୁମ୍ବାଇ,୧୭/୬ : ଲକ୍ଷ୍ନୌରେ ଖେଳା ଯାଉଥିବା ଦ୍ବିତୀୟ ଓ୍ବାନଡେରେ ଭାରତ ଆଫଗାନିସ୍ତାନକୁ ୧୭୦ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି । ୪୦୩ରନ୍ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନର ପାଳିରେ କେବେ ଏଭଳି ଲାଗିଲାନି କି ତାଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା । ୪୦୦ପ୍ଲସ୍ ରନରେ ଭ୍ରମଣକାରୀ ଟିମ୍ ଉପରେ ପ୍ରଥମରୁ ମାନସିକ ଚାପ ଆସି ଯାଇଥିଲା । ପ୍ରକାଶ ଯେ, ଭାରତ ଏବେ ମିଳିତ ଭାବେ ଏକ ଦିବସୀୟ ମ୍ୟାଚ୍ରେ ସର୍ବାଧିକ ୪୦୦ରନ୍ କରିଥିବା ଦଳ ପାଲଟିଛି ।

ଏକ ସମୟ ଥିଲା ଯେତେବେଳେ ଲାଗୁଥିଲା କି ଭାରତ ଆଜି ଓ୍ବାନଡେରେ ନିଜର ସବୁଠାରୁ ବଡ଼ ସ୍କୋର କରିପାରେ । ଶୁଭମନ ଗିଲ୍ ଏବଂ ଇଶାନ କିଶାନଙ୍କ ମଧ୍ୟରେ ତୃତୀୟ ଓ୍ବିକେଟ ଲାଗି ୨୨୪ରନର ଭାଗିଦାରୀ ହୋଇଥିଲା। ଗିଲ୍ ୧୧୦ବଲରେ ୨ଛକ୍କା ଏବଂ ୨୨ ଚୌକାର ସାହାଯ୍ୟରେ ୧୫୪ରନ କରିଛନ୍ତି । ସେ ଭାରତ ଲାଗି ଓ୍ବାନଡେରେ ୧୫୦ରନ୍ କରିଥିବା ୭ମ ଅଧିନାୟକ ହୋଇଯାଇଛନ୍ତି । ଇଶାନ ୭୯ବଲରେ ୧୨୫ରନ୍ କରିଛନ୍ତି। ଏହି ପାଳିରେ ସେ ୭ଛକ୍କା ଏବଂ ୧୪ଚୌକା ଲଗାଇଛନ୍ତି ।

ଯେତେବେଳେ ଗିଲ୍ ଆଉଟ ହୋଇଥିଲେ ସେତେବେଳେ ଭାରତର ସ୍କୋର ୪୨.୩ ଓଭରରେ ୩୬୦ରନ୍ ଥିଲା । ୪୮ବଲ୍ ବାକି ଥିଲା । ଲାଗୁଥିଲା କି ୭୦-୮୦ରନ୍ ଆହୁରି ହୋଇଯିବ । କିନ୍ତୁ ଶେଷ ଓଭରରେ ଆଫଗାନିସ୍ତାନର ବୋଲର ଲୟକୁ ଫେରିଥିଲେ। ମାତ୍ର ତା’ପରେ ବି ଭାରତ ୪୦୦ ସଂଖ୍ୟାକୁ ପାର୍ କରିଯାଇଥିଲା । ଟିମ୍ ଇଣ୍ଡିଆ ୪୯.୫ଓଭରରେ ୪୦୨ରନରେ ଅଲଆଉଟ୍ ହୋଇଯାଇଥିଲେ । ଭାରତ ଓ୍ବାନଡେରେ ମିଳିତ ଭାବେ ସବୁଠାରୁ ଅଧିକ ଥର ୪୦୦ରନ୍ କରିଥିବା ଟିମ୍ ହୋଇଯାଇଛି ।

ଦିନିକିଆରେ ସବୁଠାରୁ ଅଧିକ ଥର ୪୦୦ରନ୍ କରିଥିବା ଟିମ୍

ଭାରତ- ୮ ଥର

ଦକ୍ଷିଣ ଆଫ୍ରିକା- ୮ ଥର

ଇଂଲଣ୍ଡ- ୭ ଥର

ଅଷ୍ଟ୍ରେଲିଆ – ୩ ଥର

ନ୍ୟୁଜିଲାଣ୍ଡ- ୨ ଥର

ଶ୍ରୀଲଙ୍କା – ୨ ଥର

ଜିମ୍ବାଓ୍ବେ- ୧ ଥର

ପ୍ରକାଶ ଯେ, ପାକିସ୍ତାନ କ୍ରିକେଟ ଟିମ୍ ଓ୍ବାନଡେରେ କେବେ ବି ୪୦୦ର ସ୍କୋର କରିପାରିନାହିଁ । ଏହି ଫର୍ମାଟରେ ପାକିସ୍ତାନର ସର୍ବାଧିକ ସ୍କୋର ୩୯୯ ଅଟେ, ଯାହା ସେ ଜିମ୍ବାଓ୍ବେ ବିପକ୍ଷରେ ୨୦୧୮ରେ କରିଥିଲା ।