ସମ୍ବଲପୁର, ୧୪/୦୩: ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ମାରି ଦେବା ଘଟଣା। ଜଙ୍ଗଲରୁ ମିଳିଲା ମାଆର ଝୁଲନ୍ତା ମୃତଦେହ। ଦୁମକୁ ନାଳ ନିକଟ ଏକ ଗଛରେ ମା’ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପାଖରେ ଚପଲ ଓ ଗାମୁଛା ପଡ଼ିଛି। ଘଟଣାସ୍ଥଳରେ ମହୁଲପାଲି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ସର୍ଗିଡିହି ଗାଁରେ ଜେମ୍ସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କ ଦୁଇ ଶିଶୁକନ୍ୟା । ବଡ଼ ଝିଅ ସୁହାନା ୬ ବର୍ଷର ହୋଇଥିବା ବେଳେ ସାନକୁ ମାତ୍ର ୪ ମାସ । ସମ୍ପୃକ୍ତ ପରିବାର ସଦସ୍ୟ ଦେବଗଡ଼ରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଗତ ଗୁରୁବାର ସେମାନେ ଗାଁକୁ ଫେରିଥିଲେ । ଶୁକ୍ରବାର ଅପରାହ୍ନରେ ସଞ୍ଜୁ ୨ ଝିଅକୁ ନେଇ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ପିଲାମାନେ ମା’ସହ ଯାଇଥିବାରୁ ପରିବାର ଲୋକ କୌଣସି ସନ୍ଦେହ କରି ନ ଥିଲେ। ହେଲେ କେଇ ଘଣ୍ଟା ପରେ ମହିଳା ଜଣକ ଏକାକୀ ଘରକୁ ଫେରିଥିଲେ । ୨ ଝିଅ କୁଆଡେ ଗଲେ ବୋଲି ସ୍ୱାମୀ ଜେମ୍ସ ପଚାରିବାରୁ ଘର ପାଖ ଚାଷ ଜମିରେ ଥିବା କୂଅରେ ସେମାନଙ୍କୁ ଫିଙ୍ଗି ଦେଇଥିବା କହି ସଞ୍ଜୁ ଦୌଡ଼ି ପଳାଇ ଥିଲା । ପରିବାର ସଦସ୍ୟ କୂଅରୁ ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପତ୍ନୀଙ୍କୁ ଖୋଜା ଖୋଜି ପରେ ବି ପତ୍ତାମିଳିନଥିଲା। ଆଜି ସକାଳେ ଦୁମକୁ ନାଳ ନିକଟ ଏକ ଗଛରେ ମା’ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ମହୁଲପାଲି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- ଇଏ କେମିତିକା ମାଆ ? ୨ ଶିଶୁକନ୍ୟାଙ୍କୁ କୂଅକୁ ଫୋପାଡ଼ି କରିଦେଲା ହତ୍ୟା