ଭୁବନେଶ୍ବର,୧୬।୯ : ପୂର୍ବରୁ ସୌମ୍ୟାଶ୍ରୀ, ଗୋପାଳପୁର ଓ ବାଳଙ୍ଗା ଭଳି ଘଟଣା ମଧ୍ୟରେ ପୁଣି ଆଉ ଏକ ଘଟଣା ଲଜ୍ଜ୍ୟା ବଢ଼ାଇଛି ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ପୁଣି ଏକ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି କିଛି ଲୋକ । ଏହି ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି । ତେବେ କେତେ ଲଜ୍ଜ୍ୟା ସହିଲେ ଓଡ଼ିଶା ସରକାର ଚେତିବେ ବୋଲି ପ୍ରଶ୍ନ କରିଛି ବିଜୁ ମହିଳା ଜନତା ଦଳ ।

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିଜର ଗରିମା ହରାଉଛି । ଏହାକୁ ବିରୋଧ କରି ବୁଧବାର ପୁରା ରାଜ୍ୟରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସବୁ ଜିଲ୍ଲାର ଏସପି ଙ୍କୁ ଦାବିପତ୍ର ଦିଆଯିବ । ମହିଳାଙ୍କୁ ସୁରକ୍ଷା ନଦେଲେ ଆଗକୁ ଏହି ଆନ୍ଦୋଳନ ତୀବ୍ର କରାଯିବ । ପ୍ରତିଟି ମହିଳାଙ୍କ ପାଖରେ ପହଁଚିବ ବିଜୁ ମହିଳା ଜନତା ଦଳ । ସେହିଭଳି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ ଯେ ସମସ୍ତ ଲର୍ଭସ ପଏଣ୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ହେଲେ ଏଯାବତ୍ କେତେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ତାହାର ଉତ୍ତର ଦିଅନ୍ତୁ ସରକାର । ସେହିଭଳି କେତେ ପଏଣ୍ଟ ସବୁ କୁ ଚିହ୍ନଟ କରାଯାଇଛି ? ତାହାକୁ କୁହନ୍ତୁ ସରକାର ବୋଲି ଦାବି କରିଛି ବିଜେଡି । ସେହିଭଳି ରାଜ୍ୟର କୌଣସି ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁନାହିଁ । ଏପରିକି ୧୮୧ ହେଲ୍ପଲାଇନ ନମ୍ବର ମଧ୍ୟ କାର୍ଯ କରୁନାହିଁ । ଏହାକୁ ନେଇ ସରକାର ତତ୍ପରତା ନଦେଖାଇଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ବିଜୁ ମହିଳା ଜନତା ଦଳ ଚେତାବନୀ ଦେଇଛି।