ଚନ୍ଦାହାଣ୍ଡି, ୭।୧ : ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝି  କୋଇଲିମୁଣ୍ଡା ଖରିଫ ଧାନ ମଣ୍ଡିରେ  ନିଜର ୭୫ କ୍ୟୁଣ୍ଟାଲ ଧାନ ବିକ୍ରି କରି ଥିବା ନେଇ  ମଣ୍ଡି  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l  ସାଂସଦ ବଳଭଦ୍ର ମାଝି ଟୋକେନ ପାଇଥିବା ଅନ୍ୟ ଚାଷୀଙ୍କ ପରି ମଣ୍ଡିରେ ଧାନ ଓଜନ କରେଇବା ସହ ସେଠାରେ ଆଇସ୍କାନ ଏବଂ  କ୍ୟୁଣ୍ଟାଲ ପିଛା ୪କେଜି କଟିନି ଦେଇ ଧାନ ବିକ୍ରି କରିଛନ୍ତି।  

ସାଂସଦ ଜଣେ ଚାଷୀ ହିସାବରେ ମଣ୍ଡିରେ ନିଜର ଧାନ ବିକ୍ରୟ କରିବା ସହ  ସାଂସଦ ଭାବରେ ନିଜର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ପ୍ରତିନିଧି ମାନଙ୍କ ସହ ମଣ୍ଡି ପରିଦର୍ଶନ କରିଥିଲେ।  ମଣ୍ଡିରେ ଧାନ ବିକ୍ରି ବାବଦରେ ସେମାନଙ୍କ ସମସ୍ୟା ବିଷୟରେ ବୁଝି ପଚାରିବା ସହ  ମଣ୍ଡିରେ ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କ ସମସ୍ତ ସୁବିଧା ଅସୁବିଧା  ବୁଝିବା ପାଇଁ ଏମଡି  ବାବୁଲା ସ୍ୱାଇଁ, ଆରଏମସି କର୍ମଚାରୀମାନଙ୍କୁ ନିର୍ଦେଶ ଦେଇ ଥିଲେ l ଏହି ଅବସରରେ  ସାଂସଦ ପ୍ରତିନିଧି ବସନ୍ତ ମାଝି,  ବିଜେପି ନେତା  ଶ୍ୟାମସୁନ୍ଦର ମାଝି, ଦିଲୀପ ଦାସ,  ଭରତ ବାଘ, ଅକାଳୁ ଜାଲୀ, ମହେନ୍ଦ୍ର ନାୟକ, ମୋହନ ନାୟକ, ମୁରଲୀ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ l