କୋର୍ଟକୁ ଯାଇ ନିଖୋଜ ଥିଲେ, ଜମିରୁ ମିଳିଲା ଗଳିତ ମୃତଦେହ

ଦେବଗଡ, ୩।୯ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମରେ ଏକ ଚାଷ ଜମିରୁ ଶନିବାର ଜଣଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ବଣିଆକିଲିଣ୍ଡା ଗ୍ରାମ ରୁ ପାହାଡ ଆଡକୁ ଯାଇଥିବା ରାସ୍ତାଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମର ଝସକେତନ ବେହେରା(୪୮ ) ।
ଝସକେତନ ଗତ ଅଗଷ୍ଟ ୨୬ ତାରିଖ ସକାଳୁ ସେ ଏକ କେଶରେ ହାଜର ହେବାପାଇଁ ଦେବଗଡ କୋର୍ଟକୁ ଆସି ସେହି ଦିନଠାରୁ ନିଖୋଜ ଥିଲେ। ତାଙ୍କ ସାଥୀରେ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଘରକୁ ଫେରିଥିବା ବେଳେ ଝସକେତନ ଆଉ ଫେରି ନଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି କଲାପରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ତାଙ୍କ ସାର୍ଟ ଓ ଗାମୁଛା ମିଳିଥିଲା। ତାଙ୍କର କିଛି ଖୋଜଖବର ମିଳିନଥିଲା। ଶନିବାର ବଣିଆକିଲିଣ୍ଡା ଗ୍ରାମର ଲୋକମାନେ ଚାଷ କାର୍ଯ୍ୟ ପାଇଁ ଜମିକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଦେଖିଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହର ବେକ ଓ ହାତରେ ବନ୍ଧା ଥିବା ସୂତାରୁ ମୃତଦେହ ଚିହ୍ନଟ କରିଛନ୍ତି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।