ଭୁବନେଶ୍ଵର, ୧୦/୦୧ : ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ଘୋଷଣା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ। ମୋକିମ୍ କହିଛନ୍ତି ଯେ, 'ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ। ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇ ସାରିଥିବ। ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ।'

ମୋକିମ୍ ପୁଣି କହିଛନ୍ତି ଯେ, 'ଆସନ୍ତା ୧୨ ତାରିଖରେ ଯୁବ ସମାବେଶରେ ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ। ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା କରିବୁ। ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଚାଷୀଙ୍କୁ ଭେଟିବୁ। ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ।' 

ମୋକିମ୍ ଙ୍କ ବହିଷ୍କାର ଗ୍ରହଣ କରିପାରିନଥିଲେ ସମର୍ଥକ

ରାଜ୍ୟ କଂଗ୍ରେସରେ ସଂଖ୍ୟାଲଘୁ ଛାମୁଆ ନେତା ଭାବେ ମୋକିମ୍ ବହୁଚର୍ଚ୍ଚିତ ଚେହେରା ଥିଲେ । ୨୦୧୯ ରୁ ୨୦୨୪ ଯାଏ ସେ କଂଗ୍ରେସର ଏକମାତ୍ର ସଂଖ୍ୟାଲଘୁ ବିଧାୟକ ଭାବେ ଜିତିଥିଲେ । ଏବେ ଝିଅ ସୋଫିଆ ବିଧାୟିକା । କଂଗ୍ରେସରୁ ମୋକିମ୍ ଙ୍କୁ ବହିଷ୍କାର କରାଯିବା ପରେ ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କଟକରେ ଦଳର ସମ୍ମାନ ରଖିଥିବା ନେତାଙ୍କୁ ରାତାରାତି ବହିଷ୍କାର ଘଟଣାକୁ ତାଙ୍କ ସମର୍ଥକ ଗ୍ରହଣ କରିପାରି ନଥିଲେ। ମୋକିମ୍ ଙ୍କୁ ଯଦି ବହିଷ୍କାର କରାଯିବ ତାହେଲେ ଆମ୍ଭମାନଙ୍କର ମୂଲ୍ୟ କ’ଣ ବୋଲି ଅନେକ ପ୍ରଶ୍ନ କରିଥିଲେ । 

​​​​​​​'ରାଜ୍ୟକୁ ଦରକାର ନୂଆ ବିକଳ୍ପ' : ମୋକିମ୍

ନିକଟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ମହମ୍ମଦ ମୋକିମ୍ ନୂଆ ଆଞ୍ଚଳିକ ଦଳ ନେଇ ଆଭାସ ଦେଇଥିଲେ। ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ଼ ସୁଯୋଗର ଆବଶ୍ୟକତା ରହିଛି। ସେଥିପାଇଁ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି ବୋଲି କହିଥିଲେ ମୋକିମ୍। 

କ'ଣ ରଖିବେ ନୂଆ ଦଳର ନାଁ ?

କଟକନଗର କଂଗ୍ରେସ ଓ ଜିଲ୍ଲା ସମେତ ସାରା ରାଜ୍ୟରେ ଅନେକ ସଂଖ୍ୟାଲଘୁ ନେତା ମୋକିମଙ୍କ ସପକ୍ଷରେ ରହିଛନ୍ତି। ଭୋଟ ରାଜନୀତିରେ କଂଗ୍ରେସ ପାଇଁ ସଂଖ୍ୟା ଲଘୁ ଭୋଟ ବଡ଼ ପୁଞ୍ଜି ହୋଇଥିବା ବେଳେ ମୋକିମ୍ ଙ୍କୁ ବହିଷ୍କାର କରିବା ଦଳ ପାଇଁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେବେ ମୋକିମ୍ ଙ୍କ ନୂଆ ଦଳ ଗଠନ ଘୋଷଣା ପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। କଂଗ୍ରେସରୁ ତାଙ୍କୁ ବହିଷ୍କାର କରାଯାଇଥିଲେ ମଧ୍ୟ କଂଗ୍ରେସର ନୀତି ଆଦର୍ଶକୁ ଆୟୁଧ କରିସେ ରାଜନୀତି କ୍ୟାରିୟର୍ ଆରମ୍ଭ କରିଛନ୍ତି ଓ କଂଗ୍ରେସକୁ ଭୁଲି ପାରିବେ ନାହିଁ ବୋଲି ମୋକିମ୍ କହିଥିଲେ। ତେଣୁ ‘ଓଡ଼ିଶା, କଂଗ୍ରେସ,ଲୋକ ଓ ଜନ’ ଭଳି ଶବ୍ଦକୁ ଯୋଡ଼ି ମୋକିମ୍ ନୂଆ ଦଳର ନାମ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ନୂଆ ଦଳ ଆସିଲେ ବିଜେପି ଉପରେ ପ୍ରଭାବ ପଡ଼ିବନି

​​​​​​​ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ କହିଛନ୍ତି ଯେ, ସ୍ୱାଧୀନତା ପରେ ଶହ ଶହ ରାଜନୈତିକ ଦଳ ଗଠନ ହୋଇଛି କିନ୍ତୁ କେତେ ସଫଳ ହେବ ତାହା ଭବିଷ୍ୟତ କହିବ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେ କୌଣସି ଲୋକ ଚାହିଁବ ରାଜନୈତିକ ଦଳ ଗଠନ କରିପାରିବ। ଯିଏ ଇଚ୍ଛା ଆଗ୍ରହ ପ୍ରକାଶ କରିବ ସେ ଦଳ ଗଠନ କରିପାରିବ। କଂଗ୍ରେସର ଅଭ୍ୟନ୍ତରିଣ କନ୍ଦଳ ରହିଛି। କଂଗ୍ରେସର ଅସନ୍ତୁଷ୍ଟ ନେତୃତ୍ୱଙ୍କୁ ନେଇ ସେ ଦଳ ଗଠନ କରୁଛନ୍ତି। ଏହାର ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

​​​​ଏହି ଖବରଟିକୁ ପଢନ୍ତୁ- ଇଭି ସୋ ରୁମ୍‌ରେ ଅଗ୍ନିକାଣ୍ଡ, ୩୨ରୁ ଉର୍ଦ୍ଧ୍ଵ ବ୍ୟାଟେରୀ ଗାଡି ପୋଡ଼ି ପାଉଁଶ​​​​​​​