ଭୁବନେଶ୍ଵର, ୨୩/୦୬: ରାଜ୍ୟରେ ବ୍ୟାପିଛି ଝାଡ଼ାବାନ୍ତି। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଡେଉଁଛି ଡାଇରିଆ। ଦୈନିକ ଚିହ୍ନଟ ହେଉଛନ୍ତି ନୂଆ ନୂଆ ସଂକ୍ରମିତ। ଆଗକୁ ରଥାଯାତ୍ରା ଥିବାରୁ ଡାଇରିଆ ସ୍ଥିତି ନେଇ ପ୍ରକାଶ ପାଇଛି ଉଦବେଗ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ। ସେ କହିଛନ୍ତି ଯେ, ସରକାର ଡାଇରିଆ ସ୍ଥିତିକୁ ଗୁରୁତର ସହିତ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ୪ଟି ବିଭାଗକୁ ନେଇ ସମୀକ୍ଷା କରିଛନ୍ତି। ଏବେ ଡାଇରିଆର ନୂଆ କେସ୍ ଆସିବା କମିଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସଚେତନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଲୋକମାନଙ୍କୁ ନିବେଦନ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ।
ଚଳିତ ୨୭ରେ ଶ୍ରୀଗୁଣ୍ଡିଚା । ଜୁଲାଇ ୮ ତାରିଖରେ ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ ହେବ । ଏହି ସମୟରେ ଶ୍ରୀକ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ। ସେ କହିଛନ୍ତି ଯେ, ଆଗକୁ ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵତନ୍ତ୍ର ସମୀକ୍ଷା କରାଯାଇଥିଲା। ପୁରୀରେ ଯେପରି ଡାଇରିଆ ନବ୍ୟାପିବ ସେଥିପାଇଁ ୩୮୭ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତ କରାଯାଇଛି। ଏହାସହ ଫାଷ୍ଟ ଏଡ୍ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଆରଓ ପାଣି ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ଯେଉଁ ୫ ଜିଲ୍ଲାରେ ହଇଜା ବ୍ୟାପିଛି ତାହାକୁ ମୁକାବିଲା କରିବାକୁ ସରକାରୀ ପଦକ୍ଷେପ ନିଆଯାଇଛି । ପୁରୀରେ ଏଭଳି ପରିସ୍ଥିତି ନଉପୁଜିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଆବଶ୍ୟକ ପ୍ରସ୍ତୁତି ହୋଇଛି।