କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ୍ ନକବୀ, NDA ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବାନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୦୬/ ୦୭: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକବୀ । କେନ୍ଦ୍ରର ମୋଦି ସରକାର ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ମୁକ୍ତାର ଆବ୍ବାସ ନକବୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ ନକବୀ । ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭେଟି ସେ ଇସ୍ତଫା ଦେଇଥିବା ଜଣାପଡିଛି । ଅନ୍ୟପଟେ ମୋଦିଙ୍କ ଟିମରେ ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଜନତା ଦଳ ୟୁନାଇଟେଡ୍ (JDU) ପକ୍ଷରୁ ରାଜ୍ୟସଭା ସାଂସଦ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା ଆରସିପି ସିଂହ ମନ୍ତ୍ରୀ ପଦ ଛାଡିଛନ୍ତି ।

ଆସନ୍ତା ଗୁରୁବାର ଦିନ ନକବୀ ଏବଂ ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବଡ କଥା ହେଉଛି ପୂର୍ବରୁ ଏହି ଦୁଇ ନେତାଙ୍କୁ ରାଜ୍ୟସଭା ଟିକେଟ ମିଳିଥିଲେ ମଧ୍ୟ ସେମାନେ ଅରାଜକତା ପ୍ରକାଶ କରିଥିଲେ । ଗୁରୁବାର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ହିଁ ଉଭୟ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ମୁକ୍ତାର ଆବ୍ବାସ ନକବୀ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ନେଇ ଚର୍ଚ୍ଚା ଜୋର ଧରିଛି । ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲିଆନ୍ସ (NDA) ପକ୍ଷରୁ ମୁକ୍ତାର ଆବ୍ବାସ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ବିଜେପି ସମର୍ଥିତ ଏନଡିଏ । ମୁକ୍ତାର ଆବ୍ବାସ ନକବୀଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ମୁକ୍ତାରଙ୍କୁ ଉପରାଷ୍ଟ୍ରପତି ମୁହଁ ଭାବେ ଅବିହିତ କରିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି ।
ଉପରାଷ୍ଟ୍ରପତି ପାଇଁ ଏନଡିଏ ପକ୍ଷରୁ ଏକାଧିକ ନାଁ ଚର୍ଚ୍ଚାରେ ଥିବା ବେଳେ ଆଗରେ ରହିଛନ୍ତି ମୁକ୍ତାର ଆବ୍ବାସ ନକବୀ । ତାଙ୍କ ବ୍ୟତିତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ଭେଙ୍କୟା ନାଇଡୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
ପିଏମ୍ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୮ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମୁକ୍ତାର ଆବ୍ବାସ ନକବୀ । ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ପରେ ୨୦୧୬ରେ ତାଙ୍କୁ ଝାଡଖଣ୍ଡରୁ ରାଜ୍ୟସଭାକୁ ପଠାଇଥିଲା ଦଳ । ସେହି ବର୍ଷ ଜୁଲାଇ ୧୨ ତାରିଖରେ ମୋଦିଙ୍କ ଟିମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ସ୍ବାଧୀନ ଦାୟିତ୍ବ ନେଇଥିଲେ ନକବୀ । ଏହାପରେ ୨୦୧୯ ମେ ୩୦ ତାରିଖରେ ମୋଦିଙ୍କ ଦ୍ବିତୀୟ ପାଳି ସରକାର ଆରମ୍ଭ ହେବାପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହୋଇଥିଲେ ମୁକ୍ତାର ଆବ୍ବାସ ନକବୀ ।