ନୂଆଦିଲ୍ଲୀ,୧୦।୧୧:  ଦିଲ୍ଲୀରେ ଛାତିଥରା ବିସ୍ଫୋରଣ ପରେ ପୁରା ଦେଶର ଗୁଇନ୍ଦା ଏଜେନ୍ସିର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା ଜୋରଦାର ବିସ୍ଫୋଣ ପରେ ଆଖପାଖର ବାହାନରେ ନିଆଁ ଲାଗିଯାଇଥିଲା। ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୨୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଆଗକୁ ସଂଖ୍ୟା ଅଧିକ ହୋଇପାରେ। ଆହତଙ୍କୁ ଦିଲ୍ଲୀ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ବିସ୍ଫୋରଣ ଖୁବ୍ ଭୟଙ୍କର ଥିଲା। ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶବ ବିଭାଗର ଗାଡି ପହଁଞ୍ଚିଥିଲା। ତଦନ୍ତକାରୀ ଏଜେନ୍ସି ମଧ୍ୟ ସେଠାରେ ପହଁଞ୍ଚିଛନ୍ତି। ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ହୋଇଥିବା ଏହି ବିସ୍ଫୋରଣ ପୁରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ବର୍ତ୍ତମାନ ସୁଦ୍ଧ ସ୍ପଷ୍ଟ ହୋଇପାରିନି ବିସ୍ଫୋରଣ କାରରେ ଲାଗିଥିବା ସିଏନ୍‌ଜିରୁ ହୋଇଛି ନା କୌଣସି ବିସ୍ଫୋରକର ପଦାର୍ଥର ଉପଯୋଗ ହୋଇଛି।

ଏହି ବିସ୍ଫୋରଣ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଓ ଚେକିଂ ଜୋରଦାର କରାଯାଇଛି। ରେଲଓ୍ବେ ଷ୍ଟେସନ୍, ମଲ୍, ଧାର୍ମିକ ସ୍ଥଳ ଏବଂ ସାର୍ବଜନୀନ ସ୍ଥାନରେ ବହୁ ସଂଖ୍ୟା ପୋଲିସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି। ଦିଲ୍ଳୀ ପୋଲିସର ବରିଷ୍ଠ ଅଧିକାରୀ, ଏନ୍‌ଏସ୍‌ସି ଓ ବମ୍ ନିରୋଧୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ସାରିଛନ୍ତି। ପୁରା ଅଞ୍ଚଳକୁ ଘେରାବନ୍ଦୀ କରିଦିଆଯାଇଛି। ସେଭଳି ତଦନ୍ତକାରୀ ଟିମ୍ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ବୟାନ ନେଇଛି। ଏନଏସ୍‌ଜିର ସ୍ବତନ୍ତ୍ର ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।