ନୂଆଦିଲ୍ଲୀ,୩।୪: ଲୋକଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସ ନେଇଛି ବଡ଼ ନିଷ୍ପତ୍ତି। ପୋଲିସ ଏକ ମାସ ପାଇଁ ଡ୍ରୋନ୍, ରିମୋଟ କନଟ୍ରୋଲ, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ପାରା ଗ୍ଲାଇଡର ଓ ହଟ୍ ଏୟାର ବେଲୁନ୍ ଉଡାଇବା ଉପରେ କଟକଣା ଲଗାଇଛନ୍ତି। ପୋଲିସ ଅଧିକାରୀମାନେ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କଟକଣା ୪ ଅପ୍ରେଲକୁ ଲାଗୁ ହୋଇଯିବ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁସାରେ, ଜାରି ନିଷେଧଜ୍ଞା ୪ ଅପ୍ରେଲରୁ ୫ ମଇ  ପର୍ଯ୍ୟନ୍ତ ଲାଗୁ ରହିବ। ଆତଙ୍କବାଦୀ ଓ ଅସାମାଜିକ ବ୍ୟକ୍ତିଙ୍କଠାରୁ ବିପଦ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫ୍ଲାଇଂ ଅବଜେକ୍ଟକୁ ବ୍ୟାନ୍ କରିବାକୁ ନେଇ ନିର୍ଦେଶ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି।  

ମୁମ୍ବାଇ ପୋଲିସ ପକ୍ଷରୁ ଜାରି ନିର୍ଦେଶ ଅନୁସାରେ, ଆତଙ୍କବାଦୀ ଓ ଅସାମାଜିକ ବ୍ୟକ୍ତି ନିଜର ଆକ୍ରମଣ ଡ୍ରୋନ୍, ରିମୋଟ କନଟ୍ରୋଲ ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ପାରା ଗ୍ଲାଇଡରର ବ୍ୟବହାର କରିପାରନ୍ତି। ଏହାଦ୍ବାରା ସେମାନେ ଭିଭିଆଇପିଙ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି।ସାଧାରଣ ଲୋକଙ୍କ ଜୀବନ ବିପଦରେ ପକାଇବା ସହ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିପାରନ୍ତି। ମୁମ୍ବାଇ ପୋଲିସ କମିଶନରେଟ୍ ଏରିଆରେ ଆଇନ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି।