ମୁଜାଫରପୁର, ୨୪/୦୩ : ଦୁଇ କିଲୋ ରସୁଣ ଏବଂ ପାଞ୍ଚ ଶହ ଟଙ୍କାରେ ମୁଣ୍ଡ ବିକିଲେ ପୋଲିସ ବାବୁ। ହଜିଲା ପୁଅକୁ ଖୋଜି ଆଣିବାକୁ ବୁଢା ବାପା-ମାଙ୍କ ସହ କଲେ ଏମିତି ରେଟ୍। ବିହାରର ମୁଜାଫରପୁରରେ ଘଟିଛି ଏଭଳି ଘଟଣା। ବାରମ୍ବାର ଗୁହାରି ସତ୍ତ୍ଵେ ନ୍ୟାୟ ନମିଳିବାରୁ ଏବେ ମାନବାଧିକାର ଆୟୋଗଙ୍କ ଦ୍ଵାରସ୍ଥ ହେଲେ ବୃଦ୍ଧ ବାପା-ମା। 

ଘଟଣାଟି ହେଉଛି ୨୦୨୨ ମସିହାର। ସେପ୍ଟେମ୍ଵର ୫ ତାରିଖ ଦିନ ମୀନାପୁର ଥାନା ଅନ୍ତର୍ଗତ ପିପରାହାଁ ଗ୍ରାମର ଯୋଗେନ୍ଦ୍ର ଭଗତଙ୍କ ଏକମାତ୍ର ପୁଅ ଅଜିତ କୁମାର ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ଆଉ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଫଳରେ ବାପା ମା ଦୁହେଁ ମୀନାପୁର ଥାନାର ଦ୍ଵାରସ୍ଥ ହୋଇଥିଲେ। ହେଲେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଚୁପ୍ ବସି ପଡ଼ିଲା। ଗୁହାରି କରିବାକୁ ଥାନାକୁ ଗଲେ ଓଲଟା ପୋଲିସ ବାବୁ ବୁଢା ବାପା-ମାଙ୍କୁ ଗାଳି ଗୁଲଜ କରି ତଡ଼ିଲେ। କେବଳ ସେତିକି ନୁହେଁ, ହଜିଲା ପୁଅକୁ ଖୋଜି ଆଣିବାକୁ ଥାନା ଅଧିକାରୀ ଡିମାଣ୍ଡ୍ କଲେ। ଆଗେ ୨ ଶହ କିଲୋ ରସୁଣ ଏବଂ ୫୦୦ ଟଙ୍କା ଆଣିଦିଅ ତାପରେ ଯାଇ ଆକ୍ସନ ନେବୁ ବୋଲି ପୋଲିସ ବାବୁ କହିଲେ। ଥାନା ଅଧିକାରୀଙ୍କ ଡିମାଣ୍ଡ୍ ପୂରଣ ନହେବାରୁ ସେ ନିରବ ରହିଲେ। ବହୁ କାକୁତି ମୀନତି ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ବୃଦ୍ଧ ବାପା-ମା ଏବେ ମାନବାଧିକାର ଆୟୋଗର ଦ୍ଵାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ବିଶ୍ୱ ପାଳୁଛି ଯକ୍ଷ୍ମା ଦିବସ, ଚଳିତ ବର୍ଷର ଥିମ୍ ରହିଛି-"ହଁ! ଆମେ ଟିବି ଶେଷ କରିପାରିବା!"