ଭୁବନେଶ୍ଵର, ୧୨/୯ : ଦୁନିଆର ସବୁଠୁ ରହସ୍ୟମୟ ଦ୍ଵୀପ। ପରୀ ରାଇଜଠୁ କିଛି କମ୍ ନୁହେଁ ଆଇଲ୍ୟାଣ୍ଡ୍। ଏଠି ରୁହନ୍ତି ଜଳପରୀ। ୩୬୫ ଦିନରେ ଲୋକଙ୍କ ପାଇଁ କେବଳ ଥରେ ମାତ୍ର ଖୋଲେ ଏହି ଦ୍ଵୀପ । ଦିନକ ପାଇଁ ପର୍ଯ୍ୟଟକଙ୍କୁ ମିଳେ ଏଣ୍ଟ୍ରି। ତେବେ ଜାଣିବାକୁ ଚାହୁଁଛନ୍ତି କି ? କେଉଁଠି ରହିଛି ଏହି ଜଳପରୀଙ୍କ ଆଇଲ୍ୟାଣ୍ଡ ? ତାହେଲେ ପଢନ୍ତୁ ଏହି ଖବର...

ଜଳପରୀଙ୍କ କାହାଣୀ ବହୁତ ଶୁଣିଥିବେ... ହେଲେ କେବେ ଭାବିଛନ୍ତି, ସତରେ ଜଳପରୀ ଅଛନ୍ତି ନା ମଣିଷର ଏହା କେବଳ କଳ୍ପନା? ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଦ୍ଵୀପ ବିଷୟରେ କହିବୁ ଯେଉଁଠି ସତ ସତିକା ଜଳପରୀ ରୁହନ୍ତି। ଏହି ଆଇଲ୍ୟାଣ୍ଡର ନାମ ହେଉଛି ଆଇନହୈଲୋ। ଏହା ସ୍କଟଲ୍ୟାଣ୍ଡର ଉତ୍ତର ଉପକୂଳ ଠାରୁ ଦୂର ରାଉସି ଏବଂ ଅର୍କନେୟ ମଧ୍ୟରେ ଆଇନହାଲୋ ସାଉଣ୍ଡରେ ଅବସ୍ଥିତ। ନୀଳ ଦରିଆର ଝିଲ୍‌ମିଲ୍ ପାଣି ମଝିରେ ଏହି ସୁନ୍ଦର ଦ୍ଵୀପ ରହିଛି। ଏହାର କ୍ଷେତ୍ରଫଳ ମାତ୍ର ୭୫ ହେକ୍ଟର। ଏଠାରେ ସମୁଦ୍ର ତଳେ ଜଳପରୀ ରୁହନ୍ତି ବୋଲି ବିଶ୍ବାସ କରାଯାଏ । ଗ୍ରୀଷ୍ମ ଋତୁ ହେଲେ ଜଳପରୀମାନେ ପାଣିରୁ ବାହାରକୁ ବାହାରି ଆସନ୍ତି । ଅଧା ମଣିଷ ଓ ଅଧା ମତ୍ସ୍ୟ ଶରୀର ଥିବା ଏହି ବିଚିତ୍ର ଜୀବ ଯାଦୁ ଜାଣନ୍ତି ଏବଂ ନିଜ ଦୁନିଆରେ ରହିବାକୁ ପସନ୍ଦ କରନ୍ତି । 

ରହସ୍ୟମୟ ହୋଇଥିବାରୁ ଆଇନହୈଲୋ ଦ୍ବୀପ ଏବେ ଚର୍ଚ୍ଚାରେ । ଏହାକୁ ଅଧିକ ଚର୍ଚ୍ଚିତ କରୁଛି ଏହାର  ଇତିହାସ। ୧୮୪୧ରେ ଏଠାରେ ମାନବ ସଭ୍ୟତା ଥିଲେ । ଆଇଲ୍ୟାଣ୍ଡରେ କିଛି ଜନଜାତି ସମୁଦାୟ ବସବାସ କରୁଥିଲେ। ସେତେବେଳେ ଏଠାକାର ଜନସଂଖ୍ୟା ୨୬ ଥିଲା। ହେଲେ ପ୍ଲେଗ୍ ରୋଗ ବ୍ୟାପିବା ଯୋଗୁ ଜନସଂଖ୍ୟା ଲୋପ ପାଇଗଲା। ଜୀବିତ ଥିବା କିଛି ଲୋକ ଅନ୍ୟତ୍ର ଚାଲିଗଲେ। ୧୮୫୧ ପରଠାରୁ ଏହି ଦ୍ଵୀପ ମାନବଶୂନ୍ୟ । ଦ୍ଵାଦଶ ଶତାବ୍ଦୀରେ ଏଠାରେ ଏକ ଚର୍ଚ୍ଚ ଓ ମଠ ତିଆରି କରାଯାଇଥିଲା। ଯାହାର ଭଗ୍ନାବଶେଷ ଏବେବି ରହିଛି । ଏହି ଦ୍ଵୀପରେ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ। ସ୍କଟଲ୍ୟାଣ୍ଡ ସରକାର ଏବେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ଵ ହାତକୁ ନେଇଛନ୍ତି । 

ଆଇନହୈଲୋ ଦ୍ଵୀପ କେବେ ତିଆରି ହୋଇଥିଲା ତାହାର କୌଣସି ଠୋସ୍ ପ୍ରମାଣ ନାହିଁ। ପ୍ରତ୍ନତତ୍ତ୍ଵବିଦ୍‌ମାନେ ଏହା ଉପରେ ଗବେଷଣା କରୁଛନ୍ତି। ଅର୍କନେୟ ହେରିଟେଜ୍ ସୋସାଇଟି ଦ୍ଵାରା ପ୍ରତିବର୍ଷ ଗ୍ରୀଷ୍ମ ଦିନେ କେବଳ ଗୋଟିଏ ଦିନ ପାଇଁ ଆଇନହୈଲୋ ଖୋଲାଯାଏ। ୩୬୫ ଦିନରେ ମାତ୍ର ଦିନେ ପାଇଁ ଏହି ଆଇଲ୍ୟାଣ୍ଡକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳେ। ସ୍ଵତନ୍ତ୍ର ପ୍ରସ୍ତୁତି ସହ ଲୋକମାନଙ୍କୁ ଏହି ଦ୍ଵୀପ ବୁଲେଇବାକୁ ନିଆଯାଏ। ଦ୍ଵୀପରେ କିଛି ନକାରାତ୍ମକ ଶକ୍ତି ଥିବା ବିଶ୍ଵାସ ରହିଛି। ଯେଉଁଥି ପାଇଁ ଲୋକମାନେ ଏଠାକୁ ଯିବାକୁ ଡରନ୍ତି । କାରଣ ଥରେ ଯିଏ ଏଠାକୁ ଯାଏ, ସେ ଆଉ କେବେ ଫେରି ନଥାଏ। ପବନରେ ମଣିଷ କେଉଁଆଡ଼େ ଗାଏବ ହୋଇଯାଏ। ଏଠାରେ ଭୂତ ପିଶାଚଙ୍କ ପ୍ରଭାବ ଥିବା ଅର୍କନେୟ ଲୋକଙ୍କ ମଧ୍ୟରେ ବିଶ୍ଵାସ ରହିଛି।