ଜନ୍ମମାଟି ଝାରସୁଗୁଡାରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ଵର, ୩୦/୦୧ : ଆଜି ନବ ଦାସଙ୍କର ହେବ ଅନ୍ତିମ ସଂସ୍କାର। ଜନ୍ମମାଟି ଝାରସୁଗୁଡାରେ ଅନ୍ତିମ ସଂସ୍କାର ହେବ। ସ୍ଵତନ୍ତ୍ର ବିମାନ ଯୋଗେ ପାର୍ଥିବ ଶରୀର ଝାରସୁଗୁଡା ଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦାସଙ୍କୁ ଶେଷ ବିଦାୟ ଜଣାଇବେ । ଏବେ ସରକାରୀ ବାସଭବନରେ ନବ ଦାସଙ୍କ ପାର୍ଥିବ ଶରୀର ଅଛି। ଆଉ କିଛି ସମୟ ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ତାଙ୍କ ମୃତ୍ୟୁ ନେଇ ତିନି ଦିନିଆ (୩୧ ପର୍ଯ୍ୟନ୍ତ) ରାଜ୍ୟ ଶୋକ ଘୋଷଣା କରାଯାଇଛି । ଦୁଇ ଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବନାହିଁ ।
ସୂଚନାନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଠାରୁ ଝାରସୁଗୁଡ଼ା ସରବାହାଲ ସ୍ଥିତ ତାଙ୍କର ବାସଭବନକୁ ସୋମବାର ପୂର୍ବାହ୍ନ ୧୧ଟାରେ ପହଞ୍ଚିବ । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯିବା ପରେ ଅନ୍ତିମ ଯାତ୍ରା ବେହେରାମାଲରୁ ଆରମ୍ଭ ହୋଇ ସମ୍ବଲପୁର ଜିଲ୍ଲା ସୀମାନ୍ତ ଖେରୁଆଲ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ ବୋଲି ବିଜେଡ଼ି ପକ୍ଷରୁ ଜଣାଯାଇଛି । ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ବରିଷ୍ଠ ମନ୍ତ୍ରୀ ଅନ୍ତ୍ଵେଷ୍ଟିରେ ଯୋଗ ଦେବେ । ତିନି ରାଜ୍ୟବ୍ୟାପୀ ଶୋକ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସହରରେ ଦୋକାନ ବଜାର ବନ୍ଦ କରାଯାଇଥିଲା । ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ରବିବାର ବ୍ରଜରାଜନଗର ଥାନାର ଗାନ୍ଧୀଛକଠାରେ ପୌରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ନୂତନ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରୁ ବାହାରିଥିଲେ । ପ୍ରାୟ ୧୨ଟା ୧୫ ମିନିଟରେ କାର୍ ଯୋଗେ ଉକ୍ତ କାର୍ଯ୍ୟାଳୟ ନିକଟରେ ସେ ପହଞ୍ଚିଥିଲେ । ଆଗରେ ଯାଉଥିବା ପାଇଲଟିଂ ଜିପ୍ କିଛି ଦୂରରେ ଅଟକିଥିଲା । ପଛରେ ଆସୁଥିବା କାର୍ ମଧ୍ୟ କେଇ ମିଟର ପଛକୁ ରହିଥିଲା । ଜିନ୍ଦାବାଦ, ଜିନ୍ଦାବାଦ ଧ୍ୱନି ମଧ୍ୟରେ ଆଗରୁ, ପଛରୁ କର୍ମୀମାନେ ଦୌଡ଼ି ଯାଇଥିଲେ ସ୍ୱାଗତ କରିବାକୁ । କାର୍ର ସାମ୍ନା ପାଶ୍ୱର୍ରୁ ଆସୁଥିବା କର୍ମୀମାନଙ୍କ ସହ ଥିଲେ ଗାନ୍ଧୀ ଛକ ଫାଣ୍ଡିର ଏଏସ୍ଆଇ ଗୋପାଳକୃଷ୍ଣ ଦାସ । ଅଣ୍ଟାରେ ଥିଲା ପିସ୍ତଲ । ମନ୍ତ୍ରୀଙ୍କ ସହ ଥିବା ପିଏସ୍ଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ) କାର୍ ଡୋର ଖୋଲି ଧରିଥିଲେ । ଦୁଇ ଜଣ କର୍ମୀ ମନ୍ତ୍ରୀଙ୍କ ବେକରେ ଫୁଲମାଳ ଦେଇଥିଲେ । ଅଚାନକ ‘ଢୋ’ ଆୱାଜ ହୋଇଥିଲା । ନବ ଦାସ ନିଜ ଛାତିର ବାମ ପାଶ୍ୱର୍କୁ ଚାପି ଧରି ପୁଣି ସିଟ୍ ଉପରେ ବସି ପଡ଼ିଥିଲେ । ଥର ଥର କଣ୍ଠରେ କହିଥିଲେ ‘କିଏ ମାରିଲା ହୋ’ । କେହି କିଛି ବୁଝି ପାରିଲେ ନାହିଁ । ସମସ୍ତେ ଭାବିଥିଲେ ବାଣ ଫୁଟୁଛି । ପୁଣି ଶୁଭିଥିଲା ‘ଢୋ’ । ମନ୍ତ୍ରୀଙ୍କ ପିଏସ୍ଓ ଓ ଅତି ପାଖରେ ଥିବା କର୍ମୀମାନେ ନବ ଦାସଙ୍କ ଛାତିରୁ ରକ୍ତ ବାହାରୁଥିବା ଦେଖିପାରି ଜାଣିଗଲେ ଗୁଳିମାଡ଼ ହୋଇଛି । ଉଠିବାକୁ ଚେଷ୍ଟା କରି ମଧ୍ୟ ସେ ପାରିଲେ ନାହିଁ, ସିଟ୍ ଉପରେ ପଡ଼ିଗଲେ । ତାଙ୍କୁ ତୁରନ୍ତ ସେହି କାର୍ର ପଛ ସିଟ୍ରେ ଡାକ୍ତରଖାନାକୁ ନିଆଯାଇଥିଲା ।
କର୍ମୀମାନଙ୍କ ସହ ଥିବା ଏଏସ୍ଆଇ ଗୋପାଳକୃଷ୍ଣ ହିଁ ଭିଡ଼କୁ ଆଡ଼େଇ ମାତ୍ର ୩ ଫୁଟ ଦୂରରୁ ନିଜ ସର୍ଭିସ ୯ ଏମ୍ଏମ୍ ପିସ୍ତଲରୁ ମନ୍ତ୍ରୀଙ୍କୁ ଗୁଳି କରିଥିଲେ । ପ୍ରଥମ ଗୁଳି ସିଧା ବାମ ପଟ ଛାତିରେ ପଶି ପଛ ପାଶ୍ୱର୍କୁ ବାହାରି ଯାଇଥିଲା । ଗୋପାଳ ଦ୍ୱିତୀୟ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ମଧ୍ୟ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ବ୍ରଜରାଜନଗର କାଳୀନଗର ଅଞ୍ଚଳର ବିଜେଡି କର୍ମୀ ଜୀବନ ନାୟକ ଓରଫ ରିଣ୍ଟୁଙ୍କ ବେକର ପଛ ପାଶ୍ୱର୍ରେ ବାଜିବା ସହ କାର୍କୁ ସ୍ପର୍ଶ କରିଥିଲା । ଗୋପାଳ ତୃତୀୟ ଗୁଳି ଚଳାଇବା ବେଳକୁ କାର୍ର ଡାହାଣ ପାଶ୍ୱର୍ରେ ଥିବା ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଦୌଡ଼ି ଆସି ପିସ୍ତଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତାଙ୍କର ହାତର ଦୁଇ ଆଙ୍ଗୁଳି ସନ୍ଧିରେ ଗୁଳି ଫୁଟି ସେ ଆହତ ହୋଇଥିଲେ । ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେ ଗୋପାଳଙ୍କ ହାତ ଉପରକୁ ଟେକି ଦେବାରେ ସଫଳ ହୋଇଥିବାରୁ ଚତୁର୍ଥ ଗୁଳି ବ୍ଲାଙ୍କ୍ ଫାୟାର ହୋଇଯାଇଥିଲା । ଗୁଳି ଚଳାଇ ଭିଡ଼ ଭିତରେ ଫେରାର ହେବା ବେଳେ ଗୋପାଳଙ୍କୁ ସେଠାରେ ଥିବା ବିଜେଡି କର୍ମୀ ଓ ପୁଲିସ କାବୁ କରି ହାତରୁ ପିସ୍ତଲ ଛଡ଼ାଇ ନେଇଥିଲେ । ଗୋପାଳଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ସହ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା କରାଯାଉଛି ।