PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହାଇପ୍ରୋଫାଇଲ୍‌ ନବ ଦାସ ମର୍ଡର ମିଷ୍ଟ୍ରି: ଗୋପାଳର ହେଲା ମାନସିକ ସ୍ଥିତି ପରୀକ୍ଷା ହେଲା.. ଏସ୍‌ସିବି ଟିମ୍‌ର ଯାଞ୍ଚ, ଆସିବେ ନିମ୍‌ହାନ୍ସର ବିଶେଷଜ୍ଞ

କଟକ/ଝାରସୁଗୁଡ଼ା, ୦୬/୨: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କ’ଣ ରହିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପରିସରକୁ ଆହୁରି ବ୍ୟାପକ କରିଛି । ଏସ୍‌ସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଜୟ କୁମାର ସ୍ୱାଇଁଙ୍କ ସମେତ ୫ ଜଣ ବିଶେଷଜ୍ଞ ଝାରସୁଗୁଡ଼ାରେ ପହଞ୍ଚି ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥାର ଟିକିନିଖି ପରୀକ୍ଷା କରିଛନ୍ତି । ବିଶେଷଜ୍ଞ ଦଳ ଗୋପାଳର ପୂର୍ବ ପ୍ରେସ୍‌କ୍ରିପସନ ଗୁଡ଼ିକୁ ଯାଞ୍ଚ କରଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁମ୍ବାଇର ଅଭିଜ୍ଞ ମାନସିକ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନେଇଛନ୍ତି । ବିଶେଷଜ୍ଞ ମାନେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିବା ସମୟରେ ସେସବୁର ଭିଡିଓ ରେକର୍ଡିଂ କରାଯାଇଛି । ରେକର୍ଡିଂକୁ ବିଶେଷଜ୍ଞଙ୍କ ଦ୍ୱାରା ତର୍ଜମା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏଥିରେ କିଛି ମନସ୍ତତ୍ତ୍ୱବିତ୍‌ଙ୍କ ସହାୟତା ନିଆଯାଇଛି ।

ଜଣେ ଲୋକ ବାଇପୋଲାର ଡିଜ୍‌ଅର୍ଡର ଥିଲେ ସାଧାରଣତଃ ତାର ମାନସିକ ଅବସ୍ଥା ବା ସ୍ଥିତି କ’ଣ ଥାଏ ଏବଂ ଏହା ପୀଡ଼ିତଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ଏସବୁ ଦିଗ ଉପରେ ଏସ୍‌ସିବି ମାନସିକ ରୋଗ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁ ଓ ଅନ୍ୟ ବିଶେଷଜ୍ଞମାନେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ନିକଟରେ ବୈଜ୍ଞାନିକ ମତ ରଖିଥିବା ସୂଚନା ମିଳିଛି । ଗୋପାଳର ମାନସିକ ସ୍ଥିତି ନେଇ ଅଧିକ ଯାଞ୍ଚ ସକାଶେ ବେଙ୍ଗାଲୁରୁ ନିମହାନ୍ସ (ନାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ ଆଣ୍ଡ ମେଣ୍ଟାଲ ସାଇନ୍ସେସ୍‌)ରୁ ବରିଷ୍ଠ ବିଶେଷଜ୍ଞଙ୍କ ଟିମ୍‌ ଆସୁଥିବା ଜଣାପଡ଼ିଛି ।

ସେହିପରି ଗୋପାଳର ମାନସିକ ସ୍ଥିତିର ତର୍ଜମା, ଅନୁଶୀଳନ ଏବଂ ବିଶ୍ଲେଷଣ ପାଇଁ ସିଏଫ୍‌ଏସ୍‌ଏଲ୍‌ ନୂଆଦିଲ୍ଲୀର ନିର୍ଦ୍ଦେଶକ ଡ. ଆଶା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ବରିଷ୍ଠ ବିଶେଷଜ୍ଞ ଦଳ ଫରେନ୍‌ସିକ୍‌ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଏବଂ ଏଲ୍‌ଭିଏ(ଲେୟାର୍ଡ ଭଏସ୍‌ ଆନାଲିସସ୍‌) କରୁଛନ୍ତି ।ଆର୍ମସ ଆଣ୍ଡ ଆମ୍ୟୁନିସନ୍‌ ଇସ୍ୟୁ ରେଜିଷ୍ଟର ଏବଂ ଅଭିଯୁକ୍ତର ଆନୁଆଲ୍‌ ରେଞ୍ଜ କୋର୍ସ ରେକର୍ଡ (ବାର୍ଷିକ ବନ୍ଧୁକ ଚାଳନା ରେକର୍ଡ)ର ମଧ୍ୟ ଯାଞ୍ଚ କରାଯାଉଛି । ଏଥିରେ ଅଭିଯୁକ୍ତକୁ କେତେ ଗୁଳି ଦିଆଯାଇଥିଲା ଏବଂ ସେ କେତେ ଗୁଳି ଫୁଟାଇଥିଲା ତାହାର ଟିକିନିଖି ରେକର୍ଡ କ୍ରାଇମବ୍ରାଞ୍ଚ ସଂଗ୍ରହ କରୁଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଇ ମେଡିକାଲ ବୋର୍ଡର ରିପୋର୍ଟ ପରେ ହିଁ ସିନ୍‌ ରିକ୍ରିଏସନ୍‌ କରାଯିବା ସମ୍ଭାବନା ରହିଛି ।

ଅପରପକ୍ଷରେ ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍‌ ଗଠନ କରିଛି । ଡିଏସ୍‌ପି ଆରତିଙ୍କ ନେତୃତ୍ୱରେ ଉକ୍ତ ଟିମ୍‌ ରବିବାର ଝାରସୁଗୁଡ଼ା ଅଭିମୁଖେ ଯାଇଛନ୍ତି । ଉକ୍ତ ଟିମ୍‌କୁ ମିଶାଇ ନବଙ୍କ ହତ୍ୟା ମାମଲାରେ ତଦନ୍ତକାରୀ ଟିମ୍‌ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚକୁ ଉକ୍ତ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଅନେକ କିଛି ଗୋପନୀୟ ତଥ୍ୟ ମିଳିବ ବୋଲି କ୍ରାଇମବ୍ରାଞ୍ଚ ଆଶାବାଦୀ ରହିଛି । ଏଥିଲାଗି ଜେରା ସମୟରେ ଗୋପାଳର ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ଟିକିନିଖି ଜେରା କରିବାଠାରୁ ଅନ୍ୟାନ୍ୟ ସାଇଣ୍ଟିଫିକ୍‌ ପ୍ରମାଣ ସଂଗ୍ରହ କରିବା ପାଇଁ ଗୋଟିଏ ପରେ ଗୋଟିଏ ତଦନ୍ତକାରୀ ଟିମ୍‌ ଗଠନ କରି ଚାଲିଛି । ବ୍ରହ୍ମପୁରରେ ରହି ଗୋପାଳର ପରିବାର ଲୋକ ଏବଂ ତାର ଆର୍ଥିକ କାରବାର ଆଦି ବିଭିନ୍ନ ଦିଗ ଉପରେ ତଦନ୍ତ କରୁଥିବା ଟିମ୍‌ ଆଜି ତଦନ୍ତ ଶେଷ କରି ଫେରି ଆସିଛି । ଜେରା ପରେ ଗୋପାଳର ଭାଇ ସତ୍ୟନାରାୟଣଙ୍କୁ ଛାଡ଼ି ଦିଆଯାଇଛି । ଆବଶ୍ୟକ ପଡ଼ିଲେ ପୁଣି ଟିମ୍‌ ବ୍ରହ୍ମପୁର ଯିବ ବୋଲି କୁହାଯାଇଛି । ଅନ୍ୟ ଏକ ଟିମ୍‌ ଭୁବନେଶ୍ୱରରେ ଷ୍ଟେଟ୍‌ ଫରେନସିକ୍‌ ଲ୍ୟାବ୍‌ର ବିଶେଷଜ୍ଞଙ୍କ ସହ ସମନ୍ୱୟ ରକ୍ଷା କରି ସାଇଣ୍ଟିଫିକ୍‌ ପ୍ରମାଣର କାଗଜପତ୍ର ପ୍ରସ୍ତୁତ କରୁଛନ୍ତି ।