ନୂଆଦିଲ୍ଲୀ,୨୬/୦୭: ବିହାରରେ ନୂଆ ଭୋଟର ତାଲିକା ପ୍ରସ୍ତୁତ ପ୍ରକ୍ରିୟା ସହିତ, ଆସନ୍ତା ଅଗଷ୍ଟ ମାସରୁ, ଦେଶର ଅନ୍ୟ ସମସ୍ତ ରାଜ୍ୟର ନୂତନ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ସୂତ୍ର ଅନୁସାରେ ୨୮ ଜୁଲାଇରେ ସୁପ୍ରିମକୋର୍ଟରେ ଶୁଣାଣି ପରେ ଏହାର ତାରିଖ ଘୋଷଣା କରାଯିବ। ଏହାରି ଭିତରେ ବିହାରରେ ପ୍ରସ୍ତୁତ ହେଉଥିବା ନୂଆ ଭୋଟର ତାଲିକା ପାଇଁ ୭.୨୩ କୋଟି ଅର୍ଥାତ୍ ୯୯.୮୬% ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
କଟିପାରେ ୬୪ ଲକ୍ଷ ଭୋଟରଙ୍କ ନାଁ:
ନିର୍ବାଚନ କମିଶନ ତଥ୍ୟ ଦେଇଛନ୍ତି ଯେ ୭.୮୯ କୋଟିରୁ ଅଧିକ ଭୋଟରଙ୍କ ପୁରୁଣା ତାଲିକାରୁ ୬୪ ଲକ୍ଷ ଭୋଟରଙ୍କ ନାଁ ନୂଆ ଭୋଟର ତାଲିକାରୁ ବାଦ ଦିଆଯିବା ପ୍ରାୟ ନିଶ୍ଚିତ। ଯେଉଁ ଭୋଟରଙ୍କ ଫର୍ମ ଫେରସ୍ତ କରାଯାଇ ନାହିଁ, ସେମାନଙ୍କ ନାଁ ମଧ୍ୟ ଏହି ଡିଲିଟ୍ ତାଲିକାରେ ଯୋଡ଼ାଯିବ। ଏପର୍ଯ୍ୟନ୍ତ ଯେଉଁମାନେ ଗଣନା ଫର୍ମ ଦାଖଲ କରିଛନ୍ତି ସେମାନଙ୍କ ମଧ୍ୟରେ ଯଦି କିଛି ଅନୁପ୍ରବେଶକାରୀ ମିଳନ୍ତି, ତେବେ ସେମାନଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯିବ।
ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଜମା କରିପାରିବେ ଫର୍ମ:
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଭୋଟର ବାଦ ପଡ଼ିଯାଆନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ।ଏପରି ଯେକୌଣସି ଭୋଟର ଆବଶ୍ୟକୀୟ ପ୍ରକ୍ରିୟା ଶେଷ କରିବା ପରେ ସେପ୍ଟେମ୍ବର ୧ ସୁଦ୍ଧା ତାଙ୍କର ଗଣନା ଫର୍ମ ପୂରଣ କରିପାରିବେ ଏବଂ ଦାଖଲ କରିପାରିବେ। ତାଙ୍କର ନାଁ ନିଶ୍ଚିତ ଭାବରେ ଭୋଟର ତାଲିକାରେ ଯୋଡ଼ାଯିବ। କମିଶନ କୌଣସି ରାଜନୈତିକ ଦଳର ନାଁ ନ ନେଇ ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଛନ୍ତି ଯେ ନିର୍ବାଚନ କମିଶନ ଦ୍ୱାରା ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଥିବା ଶୁଦ୍ଧ ଭୋଟର ତାଲିକା କ'ଣ ନିରପେକ୍ଷ ନିର୍ବାଚନ ଏବଂ ଏକ ଦୃଢ଼ ଗଣତନ୍ତ୍ରର ମୂଳଦୁଆ ନୁହେଁ? ଆମ ସମସ୍ତଙ୍କୁ ରାଜନୈତିକ ବିଚାରଧାରାଠାରୁ ଆଗକୁ ଯାଇ ଏହି ପ୍ରଶ୍ନଗୁଡ଼ିକ ଉପରେ ଗଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ।