ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ନାରାୟଣୀ ପୀଠ, ପିକନିକର ମଜା ନିଅନ୍ତି ପର୍ଯ୍ୟଟକ

ଖଲ୍ଲିକୋଟ, ୨୪।୧ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମା’ ନାରାୟଣୀ ପୀଠ । ପ୍ରତେକ ବର୍ଷ ଶୀତ ଋତୁ ଆସିଲେ ଏହି ପର୍ଯ୍ୟଟନ ସ୍ଥଳୀ ଚଳଚଞ୍ଚଳ ହୋଇଉଠିଥାଏ l ପାହାଡ ଜଙ୍ଗଲ ଭରା ଏହି ପର୍ଯ୍ୟଟନ ସ୍ଥଳୀରେ ପିକନିକର ମଜା ନିଅନ୍ତି ପର୍ଯ୍ୟଟକ । ନୂତନ ବର୍ଷର ଆଗମନ ପରେ ଏବେ ଚଳଚଞ୍ଚଳ ଖଲ୍ଲିକୋଟ ର ମା’ ନାରାୟଣୀଙ୍କ ତନ୍ତ୍ରପୀଠ l ଯେଉଁଠି ମନଲୋଭା ପ୍ରାକୃତିକ, ଐତିହାସିକ ଓ ଆଧ୍ୟାତ୍ମିକ ଗନ୍ଥାଘରର ସୌନ୍ଦର୍ଯ୍ୟ ସାଙ୍ଗକୁ ଝରଣା ଦର୍ଶକଙ୍କୁ ମତୁଆଲା କରେ l ଏହାଛଡ଼ା ଏଠାକାର ପିକନିକର ମଜା ଥାଏ ଖୁବ ନିଆରା । ବିଭନ୍ନ ଅବ୍ୟବସ୍ଥା ଭିତରେ ନାରାୟଣୀ ପୀଠ ରହିଥିବା ବେଳେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଏହି ତନ୍ତ୍ର ପୀଠ ।

ବ୍ରହ୍ମପୁର ଠାରୁ ମାତ୍ର ୮୦ କିଲୋମିଟର ଓ ବାଲୁଗାଁ ଠାରୁ ମାତ୍ର ୨୦ କିଲୋମିଟର ତଥା ବ୍ରହ୍ମପୁର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥ ରୁ ପ୍ରାୟ ୪ କିଲୋମିଟର ଗଲା ପରେ ପଡିଥାଏ ଖଲ୍ଲିକୋଟ ମା’ ନାରାୟଣୀ ତନ୍ତ୍ରପୀଠ l ଯେଉଁ ତନ୍ତ୍ରପୀଠ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଭାଲେରୀ ପାହାଡ଼ର ଶିଖରଦେଶରେ ଶାଳ ଓ ଆମ୍ବ ବୃକ୍ଷ ଜଙ୍ଗଲ ମଧ୍ୟରେ ରହିଛି ମା’ ନାରାୟଣୀଙ୍କ ଆସ୍ଥାନ l
ଶୀତ ଦିନେ ଏହି ପୀଠକୁ ଖାଲି ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ବି ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ l ଶୀତର ଆଗମନରେ ହିଁ ଏଠାରେ ପର୍ଯ୍ୟଟକ ମାନଙ୍କ ଗହଳି ଆରମ୍ଭ ହୋଇଯାଏ l ଏଠାରେ ବହି ଯାଉଥିବା ଝରଣା ର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କ ମନମୋହିଥାଏ l ମା’ ଙ୍କ ଦର୍ଶନ କରିବା ସହ ବଣ ଭୋଜିର ମଜା ନେଇଥାନ୍ତି ପର୍ଯ୍ୟଟକ l ନୀରବ ପରିବେଶ ସାଙ୍ଗକୁ ପାହାଡ଼ ପାଦଦେଶରେ ଥିବା ଦେବିଝର ଡ୍ୟାମ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ l

କିମ୍ବଦନ୍ତୀ ଆନୁଯାୟୀ ଖଲ୍ଲିକୋଟ ଗଡ଼ର ତତକାଳୀନ ରାଜା ନାରାୟଣ ମର୍ଦ୍ଦରାଜ ମୃଗ ଶିକାର ନିମନ୍ତେ ଆସି ଏଠାରେ ରାତ୍ରି ଯାପନ କରିଥିଲେ ଆଉ ସେଠାରେ ବୁଢ଼ାଲିଙ୍ଗଶ୍ଵର ଓ ମା’ ଚଣ୍ଡୀ କୁ ଦର୍ଶନ କରିଥିବା ବେଳେ ମା’ ତାଙ୍କୁ ପୁତ୍ରପ୍ରାପ୍ତି ବର ପ୍ରଦାନ କରିଥିଲେ l ସେବେଠାରୁ ମା’ ଙ୍କ ମୂର୍ତ୍ତି ସମ୍ମୁଖରେ ଶିବ ଲିଙ୍ଗ ପୂଜା ପାଉଛନ୍ତି l ଏହାର ଉପର ପ୍ରଦେଶରେ ମା’ ବନ ଦୁର୍ଗା, ଅନତି ଦୂରରେ ମା’ ମଙ୍ଗଳା ପୂଜା ପାଆନ୍ତି l ସେଠାରେ ଥିବା କାମିନୀ ଗଛରେ ଭକ୍ତମାନେ ନିଜ ମନସ୍କାମନା ପୁରଣ ଲାଗି ନାଲି କନା ଓ ଶଂଖା ବାନ୍ଧୁଛନ୍ତି l ଫଳରେ ବହୁ ଭକ୍ତଙ୍କ ମନସ୍କାମନା ପୁରଣ ହେଉଥିବା କହିଛନ୍ତି l ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିର ର ପୁନରୁଦ୍ଧାର କରୁଥିବା ବେଳେ କାହିଁକି ସରକାରଙ୍କ ଏହି ତନ୍ତ୍ର ପୀଠ ଉପରେ ଦୃଷ୍ଟି ପଡୁନି ତାକୁ ନେଇ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ଏ ସମ୍ପର୍କରେ ମା ନାରାୟଣୀ ଙ୍କ ପୂଜକ ତୋଫାନ ଶତପଥୀ ଦେବତା ମା’ ଙ୍କ ପୂଜା ନୀତି ସମ୍ପର୍କରେ ସୂଚନା ଦେବା ସହ ଏଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନ ର ସେମିତି କୌଣସି ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ସେମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ।ଏଥିସହ ଏଠାରେ ଏକ ଇକୋ ରିଟ୍ରିଟ ଗଠନ କରାଯାଇ ପୀଠ ର ଜଙ୍ଗଲ ଉପରେ ପକ୍କା ରାସ୍ତା ନିର୍ମାଣ କରାଗଲେ ପର୍ଯ୍ୟଟକ ମାନେ ଚାରିପଟେ ବୁଲି ପାରନ୍ତେ ।ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା ମା’ ନାରାୟଣୀ ପୀଠ ର ଯେତିକି ଉନ୍ନତି ହେବା କଥା ତାହା ହୋଇପାରି ନାହିଁ ବୋଲି କହିଛନ୍ତି ।ଗତ ୧୫ ବର୍ଷ ମଧ୍ୟରେ ଏହା ବହୁତ ପଛକୁ ଚାଲିଯାଇଛି ବୋଲି କହିଥିଲେ ।ଖଲ୍ଲିକୋଟ ରାଜ ପରିବାର ଦ୍ବାରା ପ୍ରତିଷ୍ଠିତ ଏହି ଶକ୍ତିପୀଠର ଉନ୍ନତି ପାଇଁ ଖଲ୍ଲିକୋଟ ଏନଏସି ଦ୍ବାରା ଯାହା ସମ୍ଭବ ହେବ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ।