ନୂଆଦିଲ୍ଲୀ,୨୬/୦୧: ସବୁଠି ଉତ୍ସାହ-ଆନନ୍ଦ-ଉଲ୍ଲାସ । ମନରେ ଗର୍ବ । ସବୁଜ, କମଳା ରଙ୍ଗରେ ରଙ୍ଗୀନ ହୋଇଛି ଆକାଶ । ଫର ଫର ହୋଇ ଉଡୁଛି ଜାତୀୟ ପତାକା ତ୍ରିରଙ୍ଗା । ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । କର୍ତ୍ତବ୍ୟ ପଥରେ ଗଣତନ୍ତ୍ରର ଉତ୍ସବ ପାଳିତ ହୋଇଛି । ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗର୍ବ-ଗୌରବ, ବୀରଙ୍କ ପଣ ଓ ଦେଶର ଶକ୍ତି ଦେଖିଛି ବିଶ୍ୱ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁରୋପିଆନ ୟୁନିୟନର ଦୁଇ ନେତା ମୁଖ୍ୟ ଅତିଥି ଉପସ୍ଥିତ ଅଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏହା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ବିବିଧତା ମଧ୍ୟରେ ଏକତା । ଭାରତୀୟ ଯବାନମାନେ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ସମେତ ବିଭିନ୍ନ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଗଡିଛି । ଭାରତର ସାମରିକ ଶକ୍ତି ମଧ୍ୟ ପ୍ରଦର୍ଶିତ ହୋଇଛି । ଭାରତୀୟ ବାୟୁସେନାର ୨୯ଟି ଯୁଦ୍ଧବିମାନ ଫ୍ଲାଏପାଷ୍ଟ କରିଛନ୍ତି  ।​​​​​​​ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ପରେ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ ଅନୁଷ୍ଠିତ ହୋଇଛି । ପାଦରେ ପାଦରେ ମିଶାଇ ଜୟ ହିନ୍ଦର ଗର୍ଜନରେ ଫାଟି ପଡିଛି କର୍ତ୍ତବ୍ୟ ପଥ । କର୍ତ୍ତବ୍ୟ ପଥରେ ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନା । ବାୟୁ ଯୋଦ୍ଧାଙ୍କ ପକ୍ଷରୁ ସାମରିକ ଶକ୍ତି ପ୍ରଦର୍ଶନ ସହ ଅପରେସନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ୍ ପ୍ରଦର୍ଶିତ ହୋଇଛି । ଏହା ସହିତ ପରେଡ୍‌ରେ ୟୁରୋପୀୟ ୟୁନିଅନ୍ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି ।

​​​​​​​ରାଜଧାନୀର କର୍ତ୍ତବ୍ୟ ପଥରେ ୧୨୯ ହେଲିକପ୍ଟର ୟୁନିଟର ୪ ଏମଆଇ-୧୭ ୧ଭି ହେଲିକପ୍ଟର ଧ୍ୱଜା ଫରମେଶନରେ ଉଡାଣ ଭରିଥିଲା । ଆକାଶରୁ ଫୁଲ ବର୍ଷା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଗ୍ରୁପ କ୍ୟାପ୍ଟେନ ଆଲୋକ ଅହଲାୱାତ । ଏହା ପରେ ଭାରତୀୟ ସେନା ଧ୍ରୁବ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର "ଅପରେସନ୍ ସିନ୍ଦୂର" ପତାକା ବହନ କରିଥିଲା। ଭାରତୀୟ ସେନାର "ରୁଦ୍ର" ALH-WSI ଏବଂ ଭାରତୀୟ ବାୟୁସେନାର ALH ମାର୍କ-IV ହେଲିକପ୍ଟର ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଡ୍ରୋନ୍ ଯୁଦ୍ଧର ଏକ ଝଲକ ଯାହା ଅପରେସନ୍ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ପ୍ରତିନିଧିତ୍ୱ କରୁଥିଲା । ଏହା ପରେ ୬୧ତମ କେଭଲରି କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ କ୍ୟାପ୍ଟେନ ଅହାନ କୁମାର । ଏହା ଏକମାତ୍ର ସକ୍ରିୟ ଅଶ୍ୱ ରେଜିମେଣ୍ଟ ଯାହା ଶୌର୍ଯ୍ୟ ଏବଂ ବୀରତାର ପରୁଣା ପରମ୍ପରାକୁ ଜୀବିତ ରଖିଛି ।