ଭୁବନେଶ୍ୱର, ୨୬/୦୬:  କଳିଙ୍ଗ  ଷ୍ଟାଡିୟମରେ ଚାଲିଥିବା  ୬୫ତମ ଜାତୀୟ ଅନ୍ତଃ  ରାଜ୍ୟ ସିନିୟର ଆଥଲେଟିକ୍ସ  ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ ପୁରୁଷ ୨୦୦ ମିଟରରେ ଓଡ଼ିଶାକୁ ୨ଟି  ପଦକ ମିଳିଛି । ଅନିମେଶ କୁଜୁର ୨୦୦ ମିଟରରେ ସ୍ୱର୍ଣ୍ଣ  ଜିତିବା ସହ ଆଗାମୀ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ହାସଲ  କରିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୨୦.୭୪ ସେକେଣ୍ଡ  ନେଇଥିଲେ । ଏସୀୟ କ୍ରୀଡ଼ା  ପାଇଁ ଯୋଗ୍ୟତା ଟାଇମିଂ  ରହିଛି ୨୦.୮୮ ସେକେଣ୍ଡ ।  ଡିଏମ୍‌ ଜୟରାମ ୨୦.୯୭  ସେକେଣ୍ଡ ସହ ରୌପ୍ୟ ପଦକ ଜିତିଥିଲେ ।

ମହିଳା ପୋଲଭଲ୍ଟରେ କର୍ଣ୍ଣାଟକର ସିନ୍ଧୁଶ୍ରୀ  ୪.୨୫ ମିଟର ସହ ନୂଆ ଜାତୀୟ ରେକର୍ଡ (୪.୨୩ ମିଟର) ଓ ମିଟ୍‌ ରେକର୍ଡ କରିବା ସହ ଏସୀୟ  କ୍ରୀଡ଼ାକୁ (୪.୧୦ ମିଟର) ଯୋଗ୍ୟତା ହାସଲ  କରିଛନ୍ତି । ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବ ବାରନିକା ଏଲନଗୋଭାନ (୪.୨୦ ମିଟର), ନିତିକା ଅକାରେ (୪.୧୦ ମିଟର) ଏସୀୟ କ୍ରୀଡ଼ା ଟିକେଟ୍‌  ହାସଲ କରିଛନ୍ତି । ପୁରୁଷ ହାଫ୍‌ ମାରାଥନରେ  ତାମିଲନାଡୁର ସେରଭିନ (୧:୩୧:୪୯.୦୦ )  ସ୍ୱର୍ଣ୍ଣ ଜିତିଥିଲେ ।

ପୁରୁଷ ଡିସ୍କସ ଥ୍ରୋରେ କିରପାଲ ସ(୫୭.୩୭ ମିଟର) ସ୍ୱର୍ଣ୍ଣ ପଦକ  ପାଇଥିଲେ । ମହିଳା ସଟପୁଟରେ  ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିବା  ପ୍ରତିଯୋଗୀ ଏସିଆଡ୍‌ ଟିକେଟ୍‌ (୧୬.୨୫  ମିଟର) ପାଇଛନ୍ତି । ମନପ୍ରୀତ କୌର  (୧୭.୭୫ ମିଟର), କ୍ରିଷ୍ଣା ଜୟ ଶଙ୍କର  (୧୬.୯୬ ମିଟର) ଓ ସ୍ରିଷ୍ଟି ଭିଜ  (୧୬.୯୬ ମିଟର) ଯଥାକ୍ରମେ ସ୍ୱର୍ଣ୍ଣ,  ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।

ଅଧିକ ପଢ଼ନ୍ତୁ :-  Ireland vs India: ଆୟର୍ଲାଣ୍ଡ ଓ ଭାରତ ପ୍ରଥମ ଟି-ଟ୍ବେଣ୍ଟି: ଆୟରଙ୍କ କ୍ୟାପଟେନ୍ସି ଡେବ୍ୟୁ, ଖେଳିପାରନ୍ତି ବ୍ୟାଟିଂ ବିସ୍ମୟ ବୈଭବ

ମହିଳା ୮୦୦ ମିଟରରେ ପ୍ରଥମରୁ  ତୃତୀୟ ସ୍ଥାନ ହାସଲ କରିଥିବା  ଗୋମତୀ ଜୟରାମନ, ପୂଜା ଓ ଲିଲି  ଦାସ ଏସୀୟ କ୍ରୀଡ଼ାକୁ ( ୨:୦୫.୨୧)  ଯୋଗ୍ୟତା ହାସଲ କରିଛନ୍ତି । ପୁରୁଷ  ୮୦୦ ମିଟରରେ ମହମ୍ମଦ ଅଫଜଲ  ୧:୪୮.୫୭ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତି  ଏସିଆଡ୍‌ ଟିକେଟ୍‌ ( ୧:୪୮.୮୦)  ପାଇଛନ୍ତି ।  

ମହିଳା ୨୦୦ ମିଟରରେ ଏସିଆଡ୍‌ ଯୋଗ୍ୟତା  ଟାଇମିଂ ରହିଛି  ୨୩.୭୦  ସେକେଣ୍ଡ । ହରିତା ଭଦ୍ରା  (୨୩.୧୪ ସେକେଣ୍ଡ), ଉନ୍ନତି ବଳନ୍ଦା (୨୩.୪୦  ସେକେଣ୍ଡ) ଓ ପ୍ରକୃତି ରୁପା ରାଓ (୨୩.୫୮  ସେକେଣ୍ଡ) ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ  ଜିତି ଏସିଆଡ୍‌ ଯୋଗ୍ୟତା ଲାଭ କରିଛନ୍ତି ।