ନବ ନିର୍ମାଣ କୃଷକ ସଂଗଠନର ଧମକ: ଆଜିଠୁ ରାଜଧାନୀରେ ଅର୍ଥନୈତିକ ଅବରୋଧ

source:http://www.gumrfnews.com
ଭୁବନେଶ୍ୱର,୫ା୨(ବ୍ୟୁରୋ): ଚାରିପଟୁ ରାଜଧାନୀକୁ ଜଗିବୁ । ପନିପରିବା ହେଉ କି ଆଳୁ ବୋଝେଇ ଗୋଟିଏ ବି ଗାଡି଼ ସହର ଭିତରକୁ ଛାଡି଼ବୁନି । ଏମିତି ଢଙ୍ଗରେ ରାଜଧାନୀର ଅର୍ଥନୈତିକ ଅବରୋଧ କରିବାକୁ ଧମକ ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।
ସେପଟେ ସଂଗଠନର ଏଭଳି ଚାଲେଞ୍ଜରେ ହଡ଼ବଡ଼େଇ ଯାଇଛି ପୁଲିସ । ଏବେଠୁ ସଂଗଠନର ଚାଷୀନେତାଙ୍କୁ ହେପାଜତକୁ ନେବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଦଫା ଦଫା କରି ଚାଷୀଙ୍କୁ ଅଟକ ରଖୁଛି । ରାଜଧାନୀ ପ୍ରବେଶସ୍ଥଳ, ଜାତୀୟ ରାଜପଥରେ ପୁଲିସ ଚାଷୀଙ୍କୁ ଅଟକାଇ ସହର ଭିତରକୁ ପୂରାଇ ନଦେବାକୁ ଫୁଲ ଦମ୍ରେ ଲାଗିଛି ।
କିଛି ଦିନର ବ୍ୟବଧାନରେ ପ୍ରାଇସ୍, ପେଷ୍ଟିସ୍ ଓ ପେନ୍ସନ୍କୁ ପ୍ରସଙ୍ଗ କରି ସଂଗଠନ ପୁଣି ଥରେ ଆନ୍ଦୋଳନର ଗିୟର ମୋଡି଼ଛି । ଏଥର ସିଧାସଳଖ ଆଇନ୍କୁ ହାତକୁ ନେବାକୁ ଯୋଜନା ପାଞ୍ଚିଛି । ରାଜଧାନୀରେ ଅର୍ଥନୈତିକ ଅବରୋଧ କରିବାକୁ ଅଣ୍ଟା ଭିଡି଼ଛନ୍ତି ନବନିର୍ମାଣ ଚାଷୀ । ଚାଷୀନେତା ତଥା ସଂଗଠନ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଲକ୍ଷାଧିକ ଚାଷୀ ଏବେ ରାଜଧାନୀ ମୁହାଁ । ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରତି ଜିଲ୍ଲାର ସଦର ମହକୁମାରୁ ମାଡି଼ ଆସୁଛନ୍ତି । ଆସନ୍ତାକାଲି ଲୋୟର ପିଏମ୍ଜିରେ ଏକାଠି ହେବେ । ମହାସମାବେଶ କରି ସରକାରଙ୍କ ବିରୋଧରେ ଗର୍ଜିବେ । ଦରକାର ପଡି଼ଲେ, ଜାତୀୟ ରାଜପଥକୁ ଅବରୋଧ କରାଯିବ । ସହରକୁ ଆସୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଟ୍ରକକୁ ଅଟକାଯିବ ।
ସେ ଆହୁରି କହିଛନ୍ତି, ପୁଲିସ ଏବେଠୁ ଚାଷୀ ସମାବେଶକୁ ଭଣ୍ଡୁର କରିବାରେ ଲାଗିପଡ଼ିଲାଣି । କଟକ, ଖୋର୍ଦ୍ଧା, ଚଣ୍ଡିଖୋଲ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ଏକାଠି ହେଉଥିବା ଚାଷୀଙ୍କୁ ଜବରଦସ୍ତ ଅଟକାଉଛି । ଚାଷୀନେତାଙ୍କୁ ବଳପୂର୍ବକ ଗିରଫ କରି ନେଉଛି । ସଂଯୋଜକ ଶେଷଦେବଙ୍କୁ ଖୋର୍ଦ୍ଧାରୁ, ସଂଗ୍ରାମ କେଶରୀ ମଲ୍ଲିକଙ୍କୁ କେନ୍ଦୁଝରରୁ, ମହେଶ୍ୱର ଜେନାଙ୍କୁ ନୟାଗଡ଼ରୁ ପୁଲିସ ଗିରଫ କରିସାରିଛି ।
୨୦୧୬ ଡିସେମ୍ବର ୧୧ରେ ଚାଷୀଙ୍କୁ ସହରରେ ପୂରେଇ ଦେଇନଥିଲେ । ଗତବର୍ଷ ଡିସେମ୍ବରରେ ଚାଷୀଙ୍କ ପଦଯାତ୍ରାକୁ ରାଜଧାନୀ ଉପକଣ୍ଠ (ତମାଣ୍ଡୋ, ହଂସପାଳ)ରେ ଅଟକାଇଥିଲେ । ଜଣେ ବି ଚାଷୀଙ୍କୁ ସହର ଭିତରକୁ ପୂରାଇ ଦେଇନଥିଲେ । ପୁଲିସ ଫୋର୍ସକୁ ଢାଲ କରି ଚାଷୀଙ୍କ ସମାବେଶକୁ ଭଣ୍ଡୁର କରିବା ଭଳି ସରକାରଙ୍କ ଚାଲ୍ ଏଥର ଫେଲ୍ ମାରିବ । ଆସନ୍ତାକାଲିଠାରୁ ଦୁଇ ସପ୍ତାହ ଧରି ଆଇନ୍ ଅମାନ୍ୟ ଚାଲିବ । ସହରରେ ଏକରକମ ଜରୁରିକାଳୀନ ପରିସ୍ଥିତି ଉପୁଜିବ ବୋଲି ସେ ଧମକ ଦେଇଛନ୍ତି ।
ସେପଟେ ନବ ନିର୍ମାଣର ଅର୍ଥନୈତିକ ଅବରୋଧ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବେଠୁ ତୟାରି କଲାଣି ପୁଲିସ । ଏନେଇ ଡିସିପି ଅନୁପ ସାହୁ କହିଛନ୍ତି, ସଂଗଠନର ନେତାଙ୍କ ଗତିବିଧି ଉପରେ ନଜର ରହିଛି । ଆସନ୍ତାକାଲିଠୁ ଲୋୟର ପିଏମ୍ଜିର ସୁରକ୍ଷାକୁ କଡ଼ାକଡ଼ି କରାଯିବ । ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ ଫୋର୍ସ ମୁତୟନ ହେବ । ସହରର ବିଭିନ୍ନ ଛକରେ ମଧ୍ୟ ପୁଲିସ ଜଗିବେ । ସଂଗଠନର ସଦସ୍ୟ ଯଦି ଆଇନ୍ ହାତକୁ ନେବାକୁ ଚେଷ୍ଟା କରନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯିବ ।