ନୂଆଦିଲ୍ଲୀ,୦୭/୧୨; ନବଜୋତ ସିଦ୍ଧୁଙ୍କୁ ଯଦି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା କରବି ତେବେ ସେ ରାଜନୀତିକୁ ଫେରିବେ । କଂଗ୍ରେସ ହାଇକମାଣ୍ଡକୁ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ କୌର ଏହି ଅଲିମେଟମ ଦେଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ପତ୍ନୀଙ୍କ ଏପରି ବୟାନକୁ ନେଇ ସରଗରମ ହୋଇଛି ପଞ୍ଜାବ ରାଜନୀତି । ସେ କହିଛନ୍ତି, ଯଦି କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରନ୍ତି ତେବେ ସେ ପୁଣିଥରେ ସକ୍ରିୟ ରାଜନୀତିକୁ ରିଟର୍ଣ୍ଣ କରିବେ ।

କଂଗ୍ରେସ ଆଗରେ ସିଦ୍ଧୁଙ୍କ ପତ୍ନୀଙ୍କ ଡିମାଣ୍ଡ- ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁସାରେ, ଲୋକଭବନରେ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ହୋଇଥିଲେ ନବଜୋତ କୌର ସିଦ୍ଧୁ । ସେ କହିଥିଲେ "ଆମେ ପଞ୍ଜାବ ଏବଂ ପଞ୍ଜାବର ବିଷୟରେ କଥା ହେଉଛେ କିନ୍ତୁ ଏଠି ଯେଉଁ ବ୍ୟକ୍ତି ୫୦୦ କୋଟି ଟଙ୍କାର ସୁଟକେସ୍ ଟିଏ ଦିଏ, ସେ ମୁଖ୍ୟମନ୍ତ୍ରୀ ହୋଇଯାଏ।" ସେ ଇଙ୍ଗିତ କରିଛନ୍ତି କି, ଟଙ୍କା ସାହାରାରେ ମୁଖ୍ୟମନ୍ତ୍ରୀ ସ୍ଥିର ହେଉଛନ୍ତି । ଯଦି ସିଦ୍ଧୁଙ୍କୁ କ୍ଷମତା ଏବଂ ଦାୟିତ୍ୱ ଦିଆଯାଏ, ତେବେ ସେ ପଞ୍ଜାବକୁ ଏକ ସୁନାର ରାଜ୍ୟରେ ପରିଣତ କରିବେ। ହେଲେ ସିଦ୍ଧୁଙ୍କ ପାଖରେ ଟଙ୍କା ଅଭାବ ଅଛି ।''

ସେହିପରି ପଞ୍ଜାବ କଂଗ୍ରେସ ଭିତରେ ଗୋଷ୍ଠୀବାଦର ପ୍ରସଙ୍ଗ ଉଠାଇ ନବଜୋତ କୌର ସିଦ୍ଧୁ କହିଛନ୍ତି ଯେ, ୫ ଜଣ ନେତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି ଏବଂ ସେମାନେ ସିଦ୍ଧୁଙ୍କୁ ଆଗକୁ ବଢ଼ିବାକୁ ଦେବେ ନାହିଁ । ପଞ୍ଜାବ କଂଗ୍ରେସରେ ଏତେ ଦଳ କନ୍ଦଳ ଅଛି ଯେ ସେମାନେ ସିଦ୍ଧୁଙ୍କୁ ପଦୋନ୍ନତି ଦେବାକୁ ଦେବେ ନାହିଁ । ଯାହାକି କଂଗ୍ରେସ ଦଳକୁ ପରାଜୟ ଆଡ଼କୁ ନେଇ ଯାଉଛି ।''

କହି ରଖୁଛୁ କି, ଜଣାଶୁଣା କ୍ରିକେଟର ତଥା ଟିଭି ଭାଷ୍ୟକାର ନବଜୋତ ସିଂହ ସିଦ୍ଧୁ ଏବେ କ୍ରିକେଟ୍ କମେଣ୍ଟ୍ରି କରୁଛନ୍ତି । କିଛି ଦିନର ନୀରବତା ପରେ ସେ ପୁଣିଥରେ ଏବେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିଛନ୍ତି । ଏମିତି କି ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ "ନବଜୋତ ସିଦ୍ଧୁ ଅଫିସିଆଲ୍" ମଧ୍ୟ ଲଞ୍ଚ କରିଛନ୍ତି । ତେବେ ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅଛି, ଆଉ ତା ପୂର୍ବରୁ ସିଦ୍ଧୁଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ନେଇ ଦେଇଥିବା ଉପରୋକ୍ତ ବୟାନ ପଞ୍ଜାବ ରାଜନୀତକୁ ସରଗରମ କରିଛି ।