ରାଉରକେଲା,୧୬/୦୪:ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାରେ ବୁଧବାର ଯବାନ- ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟା ଧରି ତୁମୁଳ ସଂଘର୍ଷ ଘଟିଛି । ଆଇଇଡି ବିସ୍ଫୋରଣ ଏବଂ ଗୁଳିମାଡ଼ରେ ଜଣେ ଅଧିକାରୀଙ୍କ ସମେତ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷା ବାହିନୀର ପ୍ରତି ଆକ୍ରମଣରେ ୪ରୁ ୫ଜଣ ମାଓବାଦୀ ଟଳିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ବେଦନଶୀଳ ଥିବାରୁ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଛି ।
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ସରଣ୍ଡାର ବଲିବା-ଚାରଡ଼େରା ମଧ୍ୟରେ ମାଓନେତା ମିଶିର ବେସ୍ରା, ଅସୀମ ମଣ୍ଡଳ ଏବଂ ଅନ୍ୟ ସହଯୋଗୀମାନେ ଡେରା ପକାଇଥିବା ସୂଚନା ମିଳିଥିଲା । ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ପୂର୍ବାହ୍ନ ପ୍ରାୟ ୮ଟାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ କୋବ୍ରା ବାହିନୀ ଇନ୍ସପେକ୍ଟର ସତ୍ୟ ପ୍ରକାଶ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ଯିବା ସାଥୀ ଯବାନ ଯିବାବେଳେ ମାଓବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଶୈଲେଶ କୁମାର ଦୁବେ, ଉତ୍ତମ ସେନାପତି, ଜିତେନ୍ଦ୍ର କୁମାର ରାୟଙ୍କ ସମେତ ମୋଟ୍ ୪ଜଣ ଆହତ ହୋଇଥିଲେ । ମଧ୍ୟାହ୍ନରେ ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ।
ଅଧିକ ପଢ଼ନ୍ତୁ :- AIIMS Nurses Hunger Strike: ଏମ୍ସ ନର୍ସିଂ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା, ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ନର୍ସିଂ ସେବା ବନ୍ଦ କଲେ ନର୍ସ
ଅନ୍ୟପକ୍ଷରେ ଯବାନଙ୍କ ପାଲଟା ଆକ୍ରମଣରେ ୪ରୁ ୫ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମାଓ ନେତା ମିଶିର ବେସ୍ରା ଓ ଅସୀମ ମଣ୍ଡଳ ଖସି ଯାଇଥିବା କୁହାଯାଉଛି । ତିରିଲିପୋଷି ଓ ଜରାଇକେଲା କ୍ୟାମ୍ପରେ ମୁତୟନ ଯବାନଙ୍କୁ ସେଠାକୁ ପଠାଯାଇଛି । ସରଣ୍ଡାରେ ପ୍ରାୟ ୪୮ ମାଓବାଦୀ ସକ୍ରିୟ ଥିବା ଏନ୍ଆଇଏ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା । ଏହାପରେ ସରଣ୍ଡାରେ ସୁରକ୍ଷା ବାହିନୀ ତରଫରୁ ଅପରେସନ ଜୋର୍ଦାର କରାଯାଇଛି।