ପ୍ରମୂଖ ଖବର

୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା

Published By : Ankita S | April 1, 2025 1:55 PM

ନୂଆଦିଲ୍ଲୀ,୦୧/୦୪: ଭୁଶୁଡିବ ଲାଲଗଡ଼ । ନିପାତ ହେବେ ନକ୍ସଲ । ଶେଷ ନିଶ୍ବାସ ଗଣୁଛି ନକ୍ସଲବାଦ । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ କମି ୬ରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲମୁକ୍ତ ହେବ ଭାରତ । ନକ୍ସଲବାଦକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ଼ ଘୋଷଣା କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ନକ୍ସଲମୁକ୍ତ ଭାରତ ନିର୍ମାଣକୁ ନେଇ ହୋଇଥିବା ସଂକଳ୍ପକୁ ଦୋହରାଇଛନ୍ତି । ସେ କହିଛନ୍ତି,'' ନକ୍ସଲମୁକ୍ତ ଭାରତ ନିର୍ମାଣ ଏକମାତ୍ର ଲକ୍ଷ୍ୟ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତରୁ ମୂଳପୋଛ ହେବେ ନକ୍ସଲ । ମୋଦି ସରକାର ଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି । ଦ୍ରୁତ ଗତିରେ ନକ୍ସଲମୁକ୍ତ ହେଉଛି ଭାରତ । ଆମେ ବିକାଶ ରାସ୍ତାରେ ବଢୁଛୁ । ପୂର୍ବରୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ମୋଟ ୩୮ ଥିଲା । ଏଥିରେ ଅତି ପ୍ରଭାବିତ ୧୨ଟି ଜିଲ୍ଲା ରହିଥିଲା । ଯାହା ବର୍ତ୍ତମାନ କମି ୬ରେ ପହଞ୍ଚିଛି । ଯେଉଁଥିରେ ଛତିଶଗଡ଼ର କେବଳ ୪ ଜିଲ୍ଲା (ବିଜାପୁର, କାଙ୍କୋର,ନାରାୟଣପୁର ଏବଂ ସୁକମା) ରହିଥିଲା । ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ଜିଲ୍ଲା ରହିଛି । ଓଡ଼ିଶାର ୩ଟି ଜିଲ୍ଲା ରହିଛି (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) । 

ଅଧିକ ପଢନ୍ତୁ...ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ

ସୋସିଆଲ ମିଡ଼ିଆ ଏକ୍ସରେ ଗୃହମନ୍ତ୍ରୀ ଆହୁରି କହିଛନ୍ତି, ନକ୍ସଲମୁକ୍ତ ଭାରତ ନିର୍ମାଣ ଦିଗରେ ବଡ଼ ପଦକ୍ଷେପ ନେଉଛି ଆମ ଦେଶ । ବାମପନ୍ଥୀ ଉଗ୍ରବାଦୀଙ୍କ ଦ୍ବାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ୧୨ରୁ କମି ୬ରେ ପହଞ୍ଚିବା ଆମ ପାଇଁ ବଡ଼ ଉପଲବ୍ଧି । ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.