ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (NBEMS) ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ (NEET PG) 2025 ପରୀକ୍ଷାକୁ ସ୍ଥଗିତ କରିଛି। ଏହା ପୂର୍ବରୁ ଏହି ପରିକ୍ଷା ଆସନ୍ତା ଜୁନ ୧୫ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରୀକ୍ଷାଟି ଏକକ ସିଫ୍ଟରେ ଅନୁଷ୍ଠିତ ହେବା ଆବଶ୍ୟକତା ରହିଛି। ଯାହା ପୂର୍ବରୁ ଦୁଇଟି ସିଫ୍ଟରେ ଆୟୋଜନ କରାଯାଉଥିଲା। ଏହି ନିଷ୍ପତ୍ତି ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ନିଆଯାଇଛି ବୋଲି ଜଣାପଡିଛି।
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, NBEMS କୁ ଅଧିକ ପରୀକ୍ଷା କେନ୍ଦ୍ର ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଆୟୋଜନ କରିବାକୁ ପଡ଼ିବ। ଯାହା ଏକକ ସିଫ୍ଟ ପରୀକ୍ଷା ପାଇଁ ଆବଶ୍ୟକ। ଏହି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ହେତୁ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। NBEMS ଏକ ଅଫିସିଆଲ ବିଜ୍ଞପ୍ତି ଜାରି କରି କହିଛି ଯେ ନୂଆ ପରୀକ୍ଷା ତାରିଖ ଶୀଘ୍ର ଘୋଷଣା କରାଯିବ। ଏହି ବିଜ୍ଞପ୍ତି NBEMS ର ଅଫିସିଆଲ ଓ୍ଵେବସାଇଟ nbe.edu.in ରେ ଉପଲବ୍ଧ ରହିଛି।
ଏହା ପୂର୍ବରୁ ଜୁନ ୨ ତାରିଖରେ ସିଟି ଇନ୍ଟିମେସନ ସ୍ଲିପ ଏବଂ ଜୁନ ୧୧ ରେ ଆଡମିଟ କାର୍ଡ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ସାମୟିକ ସ୍ଥଗିତାଦେଶ ହେତୁ ଏହାକୁ ନେଇ ନୂଆ ତାରିଖ ମଧ୍ୟ ପରେ ଘୋଷଣା କରାଯିବ। ପରୀକ୍ଷାର୍ଥୀମାନଙ୍କୁ ଅଫିସିଆଲ ଓ୍ଵେବସାଇଟ ମାଧ୍ୟମରେ ଅପଡେଟ୍ ଜାଣିବାକୁ ପରାମର୍ଶ ଦିଆଯାଇଛି।