ନୂଆଦିଲ୍ଲୀ,୬।୧: ନେପାଳରେ ପୁଣିଥରେ ସାମ୍ପ୍ରଦାୟିକ ବିବାଦ ବଢିଛି। ଏଥର ହିଂସା ଏକ ସୋସିଆଲ ମିଡିଆ ଭିଡିଓରୁ ଆରମ୍ଭ ହୋଇଛି। ଯାହାକୁ ଦେଖିବା ମାତ୍ରେ ସଡକ ଉପରେ ଆରମ୍ଭ ହୋଇଯାଇଥିଲା ବିକ୍ଷୋଭ ପ୍ରଦର୍ଶନ ଏବଂ ପୋଡା-ଜଳା। ସ୍ଥିତି ଖରାପ ହେବାର ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ କର୍ଫ୍ୟୁ ଭଳି କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଭାରତକୁ ଲାଗି ରହିଥିବା ବୀରଗଞ୍ଜରେ ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ଫଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି ଘଟଣା ପରେ ଭାରତ ସୀମାରେ ଆଲର୍ଟ ଜାରି କରାଯାଇଛି। ପାରସା ଜିଲ୍ଲା ଚିଫ୍ ଡିଷ୍ଟ୍ରିକ୍ଟ ଅଫିସର ଭୋଲା ଦହଲଙ୍କ କହିବା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।
ପ୍ରଶାସନର କହିବା ଅନୁସାରେ,କର୍ଫ୍ୟୁ ବେଳେ ସୁରକ୍ଷାକର୍ମୀଙ୍କୁ ନିର୍ଦେଶ ଦିଆଯାଇଛି ଉପଦ୍ରବକାରୀଙ୍କୁ ଗୁଳିମାରି ପାରିବେ। ଏହା ସହ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ଖୁବ୍ ଜରୁରୀ କାମ ଥିଲେ ବାହାରକୁ ଯାଆନ୍ତୁ। ଏହାଛଡା ଆଖପାଖରେ କୌଣସି ପ୍ରକାର ଉପଦ୍ରବର ସ୍ଥିତିରେ ୧୦୦ ନମ୍ବରକୁ କଲ୍ କରନ୍ତୁ। କୁହାଯାଉଛି ଯେ, ଏହି ମାମଲାର ଆରମ୍ଭରେ ଦୁଇ ଯୁବକ ହାଇଦର ଅନସାରୀ ଓ ଅମାନତ ଅନସାରୀଙ୍କ ଦ୍ବାରା ଟିକଟକ୍ ଭିଡିଓ ସେୟାର କରିବା ପରେ ହୋଇଛି। ଏହି ଭିଡିଓକୁ ନେଇ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ କହିବା ଅନୁସାରେ,ଏହା ଆମର ଭାବନାକୁ ଆଘାତ ଦେଇଛି। ଦୁଇ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏହାପରେ ବି ବିବାଦ ଆହୁରି ବଢିଯାଇଛି। ଯେତେବେଳେ ଏକ ମସଜିଦକୁ ଭଙ୍ଗାରୁଜା କରାଯିବାର ଖବର ଆସିଥିଲା।
ଏହାପରେ ସ୍ଥାନୀୟ ଭାବରେ ଯେତେବେଳେ ବିବାଦ ବଢିଥିଲା ଟିକଟକ୍ରେ ଏଭଳି ବହୁ ଭିଡିଓ ଭାଇରାଲ ହୋଇଥିଲା। ଯାହାଫଳରେ ଗୁଜବ ଆହୁରି ଜୋର ଧରିଥିଲା। ପୁରା ବୀରଗଞ୍ଜରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ଉପଦ୍ରବକାରୀଙ୍କ ଭିତରୁ କିଛି ଲୋକ ପଥରମାଡ଼ କରିଥିଲେ। ଶେଷରେ ପୁଲିସ-ପ୍ରଶାସନ କର୍ଫ୍ୟୁ ଲଗାଇ ଦେଇଥିଲେ। ଯେପରି ସ୍ଥିତି କନଟ୍ରୋଲ କରିହେବ। ପ୍ରଶାସନର କହିବା ଅନୁସାରେ, କର୍ଫ୍ୟୁ ବେଳେ ସୁରକ୍ଷାବାହିନୀଙ୍କୁ ନିର୍ଦେଶ ଦିଆଯାଇଥିଲା ଯେ କୌଣସି ଉପଦ୍ରବକାରୀଙ୍କୁ ଗୁଳି ମାରିପାରିବେ ।