ନୂଆଦିଲ୍ଲୀ,୮।୫:  ନେପାଳରେ ପୁଣିଥରେ ଲିପୁଲେଖା, ଲିମ୍ପିୟାଧୁରା ଓ କାଲାପାଣିର ପ୍ରସଙ୍ଗକୁ ନେଇ ଖୁବ୍ ସରଗରମ୍ ରହିଛି। ନେପାଳ କଂଗ୍ରେସ ନେତୃତ୍ବରେ ବିରୋଧି ସାଂସଦ ଗୁରୁବାର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଥିଲେ। ବିରୋଧିଙ୍କ ଦାବି ହେଉଛି ଯେ, ସରକାର ଏବେ କେବଳ ‘ଡିପ୍ଳୋମାଟିକ୍ ନୋଟ୍’ ପର୍ଯ୍ୟନ୍ତ ସୀମିତ ନରହୁ ଓ ଏହି କ୍ଷେତ୍ରକୁ ‘ଫେରାଇ’ ନେବା ପାଇଁ ଭାରତ ଓ ଚୀନ୍ ସହିତ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ କରୁ। ଉଲ୍ଲେଖନୀୟ ଯେ, ନେପାଳ ଏହି ଭାରତୀୟ କ୍ଷେତ୍ର ଉପରେ ନିଜର ଦାବି କରୁଛି। ଭାରତ ବି ନେପାଳର ଦାବିକୁ ଖଣ୍ଡନ କରି ଆସୁଛି।

ଭାରତ ଓ ଚୀନ୍ ୨୦୨୬ ପାଇଁ କୈଳାଶ ମାନସରୋବର ଯାତ୍ରା ପୁଣିଥରେ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। ଯାତ୍ରା ଜୁନ୍ରୁ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଲିପୁଲେଖ ଦରେ (ଉତ୍ତରାଖଣ୍ଡ)ର ରାସ୍ତା ପର୍ଯ୍ୟନ୍ତ ଏକ ରୁଟ୍ ଓ ନାଥୁଲା (ସିକ୍କିମ)ର ରାସ୍ତା ଦେଇ ଅଲଗା ରୁଟ୍ ରହିଛି। ନେପାଳ ସରକାରଙ୍କ କହିବା ଅନୁସାରେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନି ସେହି କ୍ଷେତ୍ରରେ ଆସୁଛି ଓ ବିନା ସହମତିରେ ଯାତ୍ରା କିମ୍ବା କୌଣସି ଗିତିବିଧି ହେବା ଊଚିତ ନୁହେଁ। ନେପାଳର ବୈଦେଶିକ ମନ୍ତ୍ରଣାଳୟ ୧୮୧୬ର ସୁଗୋଲି ସନ୍ଧିର ଉଦାହରଣ ଦେଇ ଦୁଇ ଦେଶକୁ ଅଲଗା ଅଲଗା ଡିପ୍ଲୋମାଟିକ୍ ନୋଟ୍ ପଠାଇଛି। ଭାରତ ନେପାଳର ଦାବିକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ଲିପୁଲେଖ ମାର୍ଗ ୧୯୫୪ ରୁ ଯାତ୍ରା ପାଇଁ ବ୍ୟବହାର ହେଉଛି ଓ ଏହା କୌଣସି ନୂଆ କଥା ନୁହେଁ।

ନେପାଳ ସଂସଦର ନିମ୍ନ ଗୃହ (ପ୍ରତିନିଧି ସଭା)ର ଅନ୍ତର୍ଜାତୀୟ ସମ୍ପର୍କ ଓ ପର୍ଯ୍ୟଟକ କମିଟିର ସିଂଘ ଦରବାରରେ ବୈଠକ ହୋଇଥିଲା। ଏହି ବୈଠକରେ ବିରୋଧି ସାଂସଦ ଏହି ପ୍ରସଙ୍ଗ ଉଠାଇଛନ୍ତି। ‘କୈଳାଶ ମାନସରୋବର ଯାତ୍ରା’ ପାଇଁ ଲିପୁଲେଖ ମାର୍ଗର ବ୍ୟବହାର କରାଯିବାକୁ ନେଇ ସେଠାରେ ନେତାମାନଙ୍କ ଭିତରେ ଅସ୍ଥିରତା ଦେଖିବାକୁ ମିଳିଥିଲା। ସେମାନେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଉପରେ ଚାପ ପକାଉଛନ୍ତି ଯେ, ଭାରତ ସହିତ ସିଧା କଥା ହୁଅନ୍ତୁ।

ନେପାଳି କଂଗ୍ରେସ ସାଂସଦ ସନ୍ଦୀପ ରାଣା କହିଛନ୍ତି, ନେପାଳକୁ ଏବେ ନିଜର ଦୁଇ ପଡୋଶୀଙ୍କ ସହିତ ସିଧା ସଳଖ ସାମନା ସାମନି ଆଲୋଚନା କରିବାରେ ବିଳମ୍ବ ନକରିବା ଉଚିତ। ରାଣା ଏକ ବିବାଦୀୟ ବୟାନ ଦେଇ ଦାବି କରିଛନ୍ତି ଯେ, ଲିପୁଲେଖ ଆମର ମାଟି ଓ ଏହାର ବ୍ୟବହାର କୈଳାଶ ମାନସରୋବର ଯାତ୍ରା ପାଇଁ କରାଯାଇଛି।