କଟକ, ୨୩/୦୧: ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ । ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି । ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ । ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।
ଆଜି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ତାଙ୍କ ସହିତ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟିକା ସୋଫିଆ ଫିରଦୋସ୍, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମେୟର ସୁବାସ ସିଂ ପ୍ରମୁଖ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ପାଇଁ ପୂରା କଟକ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଥିବା ବେଳେ ନେତାଜୀ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି ।
ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳ ୯ଟା ୧୫ ସୁଦ୍ଧା ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ୍ କଟକରେ ପହଞ୍ଚିବେ । ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟକୁ ଯିବେ । ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସଂଗ୍ରହାଳୟରେ ନୂତନ ଆଇଏନ୍ଏ ଫିଲାଟେଲି ଗ୍ୟାଲେରୀ(ପୋଷ୍ଟାଲ୍ ଗ୍ୟାଲେରୀ) ଉନ୍ମୋଚନ କରାଯିବ । ଉପରାଷ୍ଟ୍ରପତି ନେତାଜୀ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିବା ପରେ ବ୍ୟାଖ୍ୟାନ କେନ୍ଦ୍ରଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ କରିବେ । ସେଠାରେ ସଂସ୍କୃତି ଭବନର ଉଦ୍ଘାଟନ ହେବ ଓ ସେଠାରେ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ବକ୍ତବ୍ୟ ରଖିବେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ସଂଗ୍ରହାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନେତାଜୀ ସଂଗ୍ରହାଳୟକୁ ସର୍ବସାଧାରଣ ଯାଇପାରିବେ ନାହିଁ । ସକାଳ ୭ଟା ପୂର୍ବରୁ ଓ ଦିନ ୧ଟା ପରେ ନେତାଜୀପ୍ରେମୀ ସଂଗ୍ରହାଳୟକୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରିବେ । ନେତାଜୀ ଜୟନ୍ତୀ ଦିନ ମାଗଣା ପ୍ରବେଶ ବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟ ତରଫରୁ ନୋଟିସ୍ ଜାରି କରାଯାଇଛି ।