ନୂଆଦିଲ୍ଲୀ,୧୮/୦୬:ସ୍କଟଲାଣ୍ଡ, ନେଦରଲାଣ୍ଡସ ଏବଂ ନେପାଳକୁ ନେଇ ଚାଲିଛି ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ । ଗତକାଲି ନେଦରଲାଣ୍ଡସ ଓ ନେପାଳ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ୩ଟି ସୁପର ଓଭରରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଶେଷରେ ନେଦରଲାଣ୍ଡସ ଦଳ ବିଜୟୀ ହେଲା । ନେପାଳ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୨ ରନ୍‌ କରିଥିଲା । ବିକ୍ରମଜିତ ସିଂ ୩୦ ଓ ତେଜା ନିଦାମାନୁରା ୩୫ ରନ୍‌ କରିଥିଲେ । ସନ୍ଦୀପ ଲାମିଛାନେ ୩ଟି ୱିକେଟ୍‌ ନେଇଥିଲେ । ଜବାବରେ ନେପାଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୧୫୨ ରନ୍‌ କରିବା ପରେ ମ୍ୟାଚ୍‌ ଟାଏ ହୋଇଥିଲା । 

କୁଶଲ ଭୁର୍ତେଲ ୩୪ ଓ ଅଧିନାୟକ ରୋହିତ ପୌଦେଲ ୪୮ ରନ୍‌ କରିଥିଲେ । ଡାନିଏଲ ଡୋରାମ ୩ଟି ୱିକେଟ୍‌ ନେଇଥିଲେ । ଅନ୍ତିମ ଓଭରରେ ନେପାଳ ୧୬ ରନ୍‌ ଆବଶ୍ୟକ କରୁଥିଲା । ନନ୍ଦନ ଯାଦବ ଓ ସନ୍ଦୀପ ବ୍ୟାଟିଂ ଏହି ଓଭରରେ ୨ଟି ଚୌକା ସହ ୧୫ ରନ୍‌ ସଂଗ୍ରହ କରିଥିଲେ । ପ୍ରଥମ ସୁପର ଓଭରରେ ନେପାଳ ୧ ୱିକେଟ୍‌ରେ ୧୯ ରନ୍‌ କରିଥିଲା । ନେଦରଲାଣ୍ଡସ କୌଣସି ୱିକେଟ୍‌ ନହରାଇ ୧୯ ରନ୍‌ କରିବା ଯୋଗୁ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା । 

ଏଥର ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୧ ୱିକେଟ୍‌ରେ ୧୭ ରନ୍‌ କରିଥିଲା । ନେପାଳ କୌଣସି ୱିକେଟ୍‌ ନ ହରାଇ ସମାନ ୧୭ ରନ୍‌ କରିବା ଯୋଗୁ ଖେଳ ତୃତୀୟ ସୁପର ଓଭରକୁ ଯାଇଥିଲା । ତୃତୀୟ ସୁପର ଓଭରରେ ନେପାଳ ୪ ବଲରେ ୨ୱିକେଟ୍‌ ହରାଇ କୌଣସି ରନ୍‌ କରି ନଥିଲା । ନେଦରଲାଣ୍ଡସ ପ୍ରଥମ ବଲରେ ହିଁ ବିଜୟୀ ହୋଇଥିଲା । ଗୋଟିଏ ମ୍ୟାଚ୍‌ରେ ୩ଟି ସୁପର ଓଭର ଖେଳାଯିବା ବିଶ୍ୱ (ପୁରୁଷ) କ୍ରିକେଟ୍‌ରେ ପ୍ରଥମ ଘଟଣା ରହିଥିଲା ।