ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ଯୁଦ୍ଧକୁ ବର୍ଷେ ପୂରିଛି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଜାରି ରହିଛି । ଯୁଦ୍ଧର ତୀବ୍ରତା ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଜି (ସୋମବାର) ଡେନମାର୍କରେ ଥିବା ଇସ୍ରାଏଲର ଦୂତାବାସ ନିକଟରେ ଭୟଙ୍କର ବିସ୍ଫୋରଣ ନେଇ ଖବର ମିଳିଛି । ଦୂତାବାସ ପାଖରୁ ମାତ୍ର ୫୦୦ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।  

୫ ଦିନ ପୂର୍ବରୁ ଠିକ୍‌ ଏହି ସ୍ଥାନରେ ଦୁଇଟି ବସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋଣ ସହ ପୂର୍ବ ଘଟଣା ସହ କିଛି ସଂପର୍କ ଅଛି କି ନାହିଁ, ତା ଉପରେ ତଦନ୍ତ ଜାରି ରହିଛି ବୋଲି କୋପେନହାଗେନ୍‌ର ପୋଲିସ ଇନ୍ସପେକ୍ଟର ଟ୍ରାଇନ୍‌ ମୋଲର କହିଛନ୍ତି । ସେପଟେ ଅକ୍ଟୋବର ୨ରେ ହୋଇଥିବା ବିସ୍ଫୋରଣ ଏବଂ ଗୁଳିମାଡ଼ ପଛରେ ଇରାନ୍‌ର ହାତ ରହିଛି ବୋଲି ସ୍ବିଡେନ୍‌ର ଗୁଇନ୍ଦା ବିଭାଗ ସାପୋ ଦାବି କରିଥିଲା । 

ସ୍ବିଡେନ୍‌ର ଅପରାଧୀ ଗ୍ୟାଙ୍ଗକୁ ହାତ କରି ଇରାନ୍‌ ଇସ୍ରାଏଲ ବିରୋଧରେ ଚକ୍ରାନ୍ତ ରଚୁଛି ବୋଲି ମଧ୍ୟ ସାପୋ ଗତ ମେ’ରେ ଚେତାବନୀ ଦେଇଥିଲା । କିନ୍ତୁ ଏଭଳି ଅଭିଯୋଗକୁ ଇରାନ୍‌ ଖଣ୍ଡନ କରିଥିଲା । ଗତ ସପ୍ତାହରେ ବସ୍ଫୋରଣ ମାମଲାରେ ଦୁଇ ଜଣ ସ୍ବିଡେନ୍‌ର ନାଗରିକଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଘଟଣାସ୍ଥଳରୁ ଗିରଫ ହୋଇଥିବା ତୃତୀୟ ବ୍ୟକ୍ତିଙ୍କୁ ମୁକ୍ତ କରାଯାଇଛି ବୋଲି କୋପେନହାଗେନ ପୋଲିସ ସୂଚନା ଦେଇଛି ।