ନୂଆଦିଲ୍ଲୀ,୧୧|୨: ଏବେ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ କିମ୍ବା ତା’ ଠାରୁ ଅଧିକ ନଗଦ ଜମା ରାଶି ତଥା ଉଠାଣ ଉପରେ ପାନ୍‌ ନମ୍ବର ଦେବା ଅନିବାର୍ଯ୍ୟ ହେବ  । ଏହାଠାରୁ କମ୍‌ କାରବାରରେ ପାନ୍‌ ଜରୁରୀ ନାହିଁ । ଏପ୍ରିଲରେ ନୂଆ ଆୟକର ଆଇନ-୨୦୨୫ ଲାଗୁ ହେବା ପରେ ଏ ନିୟମ ପ୍ରଭାବୀ ହେବ । ନୂଆ ଆଇନର ଚିଠାନୀତିରେ ପାନ୍‌ କାର୍ଡର ଅନିବାର୍ଯ୍ୟତା ସହ ଜଡ଼ିତ କେତେକ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସମବାୟ ବ୍ୟାଙ୍କ୍‌ ଏବଂ ଅନ୍ୟ ବ୍ୟାଙ୍କ୍‌ରେ ଦିନକରେ ୫୦,୦୦୦ ଟଙ୍କାରୁ ଅଧିକ ନଗଦ ଜମା କଲେ ପାନ୍‌ କାର୍ଡ ଦେବା ଜରୁରୀ ହୋଇଥାଏ । ସରକାରଙ୍କ ନୂଆ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ । ନୂଆ ଆୟକର ନିୟମରେ ହୋଟେଲ ବିଲ୍‌ ପେମେଣ୍ଟ ପାଇଁ ପାନ୍‌ କାର୍ଡର ସୀମା ୫୦,୦୦୦ ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଛି । ଅର୍ଥାତ୍‌ ଯଦି ବିଲ୍‌ ୧ ଲକ୍ଷ ଟଙ୍କାରୁ କମ୍‌ ହୋଇଥାଏ, ତେବେ ପାନ୍‌ର ଆବଶ୍ୟକତା ନାହିଁ । ଏହି ନିୟମ କନ୍‌ଭେନ୍‌ସନ୍‌ ସେଣ୍ଟର ଏବଂ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପେମେଣ୍ଟ ଉପରେ ବି ଲାଗୁ ହେବ ।

ସେହିଭଳି ପ୍ରପର୍ଟି କିଣାବିକା କିମ୍ବା ଉପହାର ମାମଲାରେ ଏ ସୀମାକୁ ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରାଯିବାର ପ୍ରସ୍ତାବ ରହିଛି । ଯଦି ଜଣେ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମୋଟରସାଇକେଲ କିମ୍ବା ଅନ୍ୟକୌଣସି ମୋଟର ଯାନ କିଣୁଛନ୍ତି ତେବେ ପାନ୍‌ ନମ୍ବର ଦେବାକୁ ହେବ । ବର୍ତ୍ତମାନର ନିୟମରେ ଦୁଇଚକିଆ ପାଇଁ ପାନ୍‌ର କୌଣସି ସର୍ତ୍ତ ନ ଥିଲା କିନ୍ତୁ ଚାରିଚକିଆ ଯାନ ପାଇଁ ଦାମ ଯାହା ବି ହେଉ ପାନ୍‌ ଦେବା ଅନିବାର୍ଯ୍ୟ ଥିଲା । ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗାଡ଼ିକୁ ଏହି ପରିସରରୁ ବାହାରେ ରଖାଯାଇପାରେ । ସେହିଭଳି କୌଣସି ବୀମା କମ୍ପାନି ସହ ଆକାଉଣ୍ଟ- ଭିତ୍ତିକ ସମ୍ପର୍କ ଆରମ୍ଭ କରିବା ପାଇଁ ପାନ୍‌ ଜରୁରୀ ହେବ । ଏଯାବତ କେବଳ ୫୦ ହଜାର ଟଙ୍କାରୁ ଅଧିକ ଜୀବନ ବୀମା ପ୍ରିମିୟମ ଉପରେ ହିଁ ପାନ୍‌ ମଗାଯାଉଥିଲା । ‘ଆକାଉଣ୍ଟ୍‌-ଭିତ୍ତିକ ରିଲେସନ୍‌ସିପ୍‌’ର ଅର୍ଥ ହେଉଛି ଏବେ ପଲିସି କିଣିବାବେଳେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଏକ ସ୍ଥାୟୀ ପ୍ରୋଫାଇଲ ବା ଖାତା ଖୋଲାଯିବ । କ୍ରିପ୍ଟୋ ଏକ୍ସଚେଞ୍ଜକୁ ଏବେ ଆୟକର ବିଭାଗ ସହ ସୂଚନା ବିନିମୟ କରିବା ଅନିବାର୍ଯ୍ୟ ହେବ । ଡିଜିଟାଲ କରେନ୍ସିକୁ ବି ଏବେ ଇଲେକ୍ଟ୍ରୋନିକ୍‌ ପେମେଣ୍ଟ ଆକାରରେ ସ୍ୱୀକାର କରାଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ-୨୦୨୬ର ଘୋଷଣା ପରେ ସିବିଡିଟି ଏହି ନିୟମଗୁଡ଼ିକ ଉପରେ ଜନସାଧାରଣ ଏବଂ ଅଂଶୀଦାରଙ୍କ ପରାମର୍ଶ ମାଗିଛି । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ମତାମତ ଆଧାରରେ ନିୟମଗୁଡ଼ିକୁ ଚୂଡ଼ାନ୍ତ କରି ଦିଆଯିବ । ଏହାପରେ ୨୦୨୬ ଏପ୍ରିଲ ୧ରୁ ନୂଆ ଆୟକର ଆଇନ ଏବଂ ଏହି ସମସ୍ତ ନିୟମଗୁଡ଼ିକୁ ସମଗ୍ର ଦେଶରେ ଲାଗୁ କରାଯିବ ।
​​​​​​​ଅଧିକ ପଢ଼ନ୍ତୁ-ଭାରତୀୟ ମହାକାଶ ଉଦ୍ୟୋଗର ବିଶାଳ ଲମ୍ଫ, ଶତ୍ରୁ ସାଟେଲାଇଟ୍ ମିସାଇଲ୍ ଉପରେ ରଖିବ ନଜର