କାହିଁକି ଛତିଶଗଡ ବିଧାନସଭାର ଭୁମି ପୂଜନ କରିଥିଲେ ସୋନିଆ ଗାନ୍ଧୀ ? ବିଜେପି ପ୍ରଶ୍ନର ଉତ୍ତର ରଖିଲେ ସିଏମ ବଘେଲ୍…

ନୂଆଦିଲ୍ଲୀ : ଦେଶର ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ନେଇ ସାରା ଦେଶରେ ବିତର୍କ ଚାଲିଛି । ବିରୋଧୀମାନେ ଲଗାତାର ଭାବରେ କେନ୍ଦ୍ରର ବିଜେପି ସରକାରକୁ ଘେରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ସମୟରେ ବିଜେପି ଛତିଶଗଡ ବିଧାନସଭାର ଭୁମିପୁଜନ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛି । ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କଂଗ୍ରେସକୁ ପଚାରିଛନ୍ତି ଯେ, ଯେତେବେଳେ ସୋନିଆ ଗାନ୍ଧୀ ଛତିଶଗଡ଼ ବିଧାନସଭାର ଭୁମି ପୂଜନ କରିଥିଲେ, ସେତେବେଳେ ତାହା କଣ ଠିକ୍ ଥିଲା କି ?
ତେବେ ବିଜେପିର ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ବିବୃତ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶୁକ୍ରବାର ଦିନ ରାୟପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ପ୍ରସଙ୍ଗରେ ପାର୍ଥକ୍ୟ ଅଛି । କେନ୍ଦ୍ରରେ ଥିବା ବିଜେପି ବିରୋଧୀଙ୍କୁ ପଚାରୁ ନାହିଁ, ଏହା ହେଉଛି ସମସ୍ୟା । ଛତିଶଗଡରେ ଆମେ ବିରୋଧୀଙ୍କୁ ପଚାରିଥିଲୁ ଏବଂ ତତ୍କାଳୀନ ବିରୋଧୀ ଦଳର ନେତା ଧରମଲାଲ କୌଶିକ ଭୁମି ପୂଜନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ତାଙ୍କର ଭାଷଣ ଦିଆଯାଇଥିଲା । ଛତିଶଗଡରେ ଆଲୋଚନା ପରେ ସବୁକିଛି ସମାଧାନ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ, ବିଜେପି ନେତାମାନେ କହୁଛନ୍ତି ଯେ ଉଦଘାଟନ କରାଯାଇଛି କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ଭୁଲ । କାରଣ ବିଧାନସଭାର ଉଦଘାଟନ ନୁହେଁ ବରଂ ଭୁମି ପୂଜନ କରାଯାଇଥିଲା । ବିରୋଧୀ ମଧ୍ୟ ଏଥିରେ ଭାଗ ନେଇଥିଲେ । ସେ କହିଛନ୍ତି ଯେ ବିରୋଧୀ ଦଳର ନେତା ଧରମଲାଲ କୌଶିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ତାଙ୍କ ନାମ ମଧ୍ୟ ଶିଳାଲେଖାରେ ଅଛି ଏବଂ ସେ ମଞ୍ଚରେ ମଧ୍ୟ ଉପସ୍ଥିତ ଥିଲେ । ସେ ଏକ ଭାଷଣ ମଧ୍ୟ ଦେଇଥିଲେ ଏବଂ ଯାହା କହିଥିଲେ ତାହା ଉପରେ ବିଜେପିର ସହମତି ଥିଲା ।