ଭୁବନେଶ୍ବର, ୧୦।୮ : ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ବିଶ୍ବସ୍ତରୀୟ ଷ୍ଟାଡିୟମ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧ ହଜାର କୋଟି ଟଙ୍କା। ରବିବାର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଆଥଲେଟିକ କଣ୍ଟିନେଟଲ ଟୁର ବ୍ରୋଞ୍ଚ ପ୍ରତିଯୋଗିତାର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ୧୪ଟି ବ୍ଲକରେ ଉଚ୍ଚମାନର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏନେଇ ବଜେଟରେ ୪୧୨୪ କୋଟି ଟଙ୍କା ଅଟକଳ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆାଜି ଓଡିଶା ପାଇଁ ଏକ ଗୌରବର ଦିନ। କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ଅଥଲେଟିକ କଣ୍ଟିନେଟଲ ଟୁର ବ୍ରୋଞ୍ଚ ପ୍ରତିଯୋଗିତା ଆୟୋଜନ କରିବା ଆମ ପାଇଁ ଗୌରବର କଥା।କଳିଙ୍ଗ ଷ୍ଟାଡିୟମରେ ଦୁଇ ଦୁଇ ଥର ହକି ବିଶ୍ୱକପ କୁ ଆମେ ସଫଳତାର ସହ ଆୟୋଜନ କରିଛୁ। ରାଜ୍ୟରେ କ୍ରୀଡାର ଭିତ୍ତିଭୂମି କୁ ଅଧିକ ମଜବୁତ କରିବାକୁ ଆମେ ସଂକଳ୍ପବଦ୍ଧ।