ନୂଆଦିଲ୍ଲୀ,୨୫।୫: ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ପାଖରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଆତଙ୍କୀ ମଡ୍ୟୁଲରେ ଷଡଯନ୍ତ୍ର ଏବେ ଲକ୍ଷ୍ନୌ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଭାରତର ପ୍ରମୁଖ ଆତଙ୍କବାଦ ନିରୋଧି ଏଜେନ୍ସିର ଚାର୍ଜସିଟ୍ରେ ଏଭଳି ଖୁଲାସା ହୋଇଛି। ଯାହାକି ସୁରକ୍ଷା ଏଜେନ୍ସିର ହୋସ୍ ଉଡାଇ ଦେଇଛି। ତଦନ୍ତକାରୀ ଏଜେନ୍ସି ଦାବି କରିଛି ଯେ, ଏହି ଟେରର ମଡ୍ୟୁଲ ସହିତ ଜଡିତ ଦୁଇ ଡାକ୍ତର ମୁଜାମିଲ୍ଲ ଶକିଲ ଓ ଡାକ୍ତର ଶାହିନ ସଇଦ ‘ଫ୍ୟାମିଲି ଟ୍ରିପ୍’ ଆଳରେ ରାଜଧାନୀ ଲକ୍ଷ୍ନୌରେ ବଡ଼ ଧରଣର ଆତଙ୍କୀ ହମଲାର ଷଡଯନ୍ତ୍ର ପ୍ରସ୍ତୁତ କରିଥିଲେ। ଉତ୍ତର ପ୍ରଦେଶର ସବୁଠାରୁ ସମ୍ବେଦନଶୀଳ ସରକାରୀ ଠିକଣାକୁ ସେମାନଙ୍କ ଟାର୍ଗେଟରେ ଥିଲା।
ଏନ୍ଆଇର ସୂଚନା ଅନୁସାରେ, ଡାକ୍ତର ମୁଜ୍ଜାମିଲ ଶକିଲ ଓ ଡା ଶାହିନ ସଇଦ ଅଗଷ୍ଟ ୨୦୨୫ ରେ ଫରିଦାବାଦରୁ ଲକ୍ଷ୍ନୌ ପହଁଞ୍ଚିଥିଲେ। ଏହି ଯାତ୍ରା ପାରିବାରିକ ଯାତ୍ରା ଭଳି ଦେଖାଯାଉଥିଲା, କିନ୍ତୁ ଯାଞ୍ଚ ବେଳେ ସାମନାକୁ ଆସିଛି ଯେ, ଦୁହେଁ ସହରରେ ଆତଙ୍କବାଦୀ ହମଲା କରିବାର ରେକି କରିଥିଲେ। ଚାର୍ଜସିଟ୍ ଅନୁସାରେ, ଦୁହେଁ ୨୫ ରୁ ୩୦ ଅଗଷ୍ଟ ଭିତରେ ଲକ୍ଷ୍ନୌରେ ରହିଥିଲେ। ଏହି ସମୟରେ ସେ ଲାଲବାଗ୍ ଅଞ୍ଚଳ ଖଣ୍ଡାରୀ ବଜାର ସ୍ଥିତ ଘର ଓ ସମ୍ପର୍କୀୟଙ୍କ ପାଖରେ ରହି ପୁରା ରେକି କରିଥିଲେ। ଏଜେନ୍ସିର ଦାବି ଅନୁସାରେ, ଏହି ସ୍ଥାନ ଆତଙ୍କୀ ମଡ୍ୟୁଲର ଅସ୍ଥାୟୀ ଅପରେସନ୍ ସେଣ୍ଟର ପାଲଟିଥିଲା।
ସବୁଠାରୁ ଚକିତ କରିଦେବା ଭଳି ଖୁଲାସା ଟିଏଟିପି ବିସ୍ଫୋରକକୁ ନେଇ ରହିଛି। ଏହା ଦୁନିଆର ସବୁଠାରୁ ବିପଦଜନକ ବିସ୍ଫୋରକ ବୋଲି କୁହାଯାଏ। ଏହାକୁ ‘ମଦର ଅଫ୍ ସାଟାନ୍’ ବୋଲି କୁହାଯାଏ। ଏନ୍ଆଇଏର ସୂଚନା ଅନୁସାରେ, ମୁଜାମିଲ୍ଲ ଇଣ୍ଟରନେଟ୍ରେ ଲକ୍ଷ୍ନୌର ସେହି ଦୋକାନକୁ ଖୋଜୁଥିଲା, ଯେଉଁଠି ଏହି ବିସ୍ଫୋରକ ତିଆରି କରୁଥିବା କେମିକାଲ ମିଳିପାରିବ। ଏଜେନ୍ସିର କହିବା ଅନୁସାରେ, ଶାହିନ ସଇଦ ସେହି ଦୋକାନର ନାଁ ନୋଟ୍ କରିଥିଲା। କେବଳ ସେତିକି ନୁହେଁ ଜଣେ ସ୍ଥାନୀୟ ସମ୍ପର୍କୀୟଙ୍କୁ ମଧ୍ୟ ଏହା ଜାଣିବାକୁ କାମରେ ଲଗାଇଥିଲା ଯେ, କ’ଣ ଅଧିକ ପରିମାଣର କେମିକାଲ ବିନା ସନ୍ଦେହରେ କିଣି ହେବ ?
ଏନ୍ଆଇଏ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ବିଧାନସଭା ମାର୍ଗରେ ଅବସ୍ଥିତ ଅନେକ ଉଚ୍ଚ ସୁରକ୍ଷା ବିଶିଷ୍ଟ ସରକାରୀ କମ୍ପ୍ଲେକ୍ସର ରେକିଙ୍ଗ କରିଥିଲେ। ଏଥିରେ ଉତ୍ତର ପ୍ରଦେଶ ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଥିବା ଲୋକ ଭବନ ଏବଂ ବାପୁ ଭବନ ଅନ୍ତର୍ଭୁକ୍ତ। ଚାର୍ଜସିଟ୍ ଅନୁଯାୟୀ, ଡକ୍ଟର ମୁଜାମ୍ମିଲ୍ ଏହି ଅଞ୍ଚଳ ଦେଇ ପାଦରେ ଚାଲି ଚାଲି ଯାଉଥିଲେ। ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକଙ୍କ ଗତିବିଧି, ପ୍ରବେଶ-ପ୍ରସ୍ଥାନ ସ୍ଥାନ ଏବଂ ପୋଲିସ ମୁତୟନକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରୁଥିଲେ। କେବଳ ସରକାରୀ କୋଠା ନୁହେଁ, ବରଂ ବାରା ଇମାମାବାରା, ଅମିନାବାଦ ଏବଂ ଲାଲବାଗ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ୍ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।