ଭୁବନେଶ୍ୱର,୨୦/୦୭: ରାଜ୍ୟରେ କମ୍ ବର୍ଷା ପରିସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି। ବୈଠକରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇ ଜଳାଶୟର ପାଣି ପ୍ରଥମେ ପାନୀୟ ଜଳ ଓ ଚାଷ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ବାଲିମେଳା ଓ ମାଛକୁଣ୍ଡ ଭଳି ବଡ଼ ବଡ଼ ଜଳାଶୟର କ୍ୟାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କୁ ଆଦୌ ନଡରିବାକୁ ଆଶ୍ୱାସନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ କଟକଣା, ଦୁର୍ଘଟଣା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି
ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଏହା ପରେ ଯାଇ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ଦିଆଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ଗତବର୍ଷ ତୁଳନାରେ ଏଥର ଜଳସ୍ତର କମ୍ ଥିବାରୁ ଯେପରି ଖରିଫ ଚାଷରେ କୌଣସି ଅସୁବିଧା ନହୁଏ ସେଥିପ୍ରତି କୃଷି ଓ ଜଳସମ୍ପଦ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରାଯାଇଛି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।
କେବଳ ଏତିକି ନୁହେଁ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି। କମ୍ ବର୍ଷା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହିଛି। ତେଣୁ ବିଦ୍ୟୁତ ବା ପାଣି ଅଭାବ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।
ପାଣିପାଗ ସମ୍ପର୍କିତ ଖବର ପଢ଼ନ୍ତୁ: Weather Forecast: ଆଗକୁ ଆସୁଛି ବଡ଼ ବର୍ଷା, ୨୨ ତାରିଖରେ ଘୂର୍ଣ୍ଣିବଳୟ, ୨୩ରୁ ରାଜ୍ୟରେ ପ୍ରବଳ ଛେଚିବ
ତମାମ ସମସ୍ୟାର ସମାଧାନ ପାଇଁ ସରକାର ଏକ ବ୍ୟାପକ ଆପଦକାଳୀନ ଯୋଜନା (Contingency Plan) ପ୍ରସ୍ତୁତ କରିଛନ୍ତି। ଫସଲକୁ ବଞ୍ଚାଇବା ପାଇଁ କୃଷି, ଶକ୍ତି ଓ ଜଳସମ୍ପଦ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ଜଳ-ବିଦ୍ୟୁତ ଉତ୍ପାଦନ କମିଥିବାରୁ ଶକ୍ତି ବିଭାଗ ଗ୍ରିଡକୋ ଏବଂ ଓଏଚପିସି ଜରିଆରେ ବାହାର ଗ୍ରିଡ୍ରୁ ବିଦ୍ୟୁତ ଆଣିବାକୁ ବ୍ୟବସ୍ଥା କରିଛନ୍ତି, ଯାହାଦ୍ୱାରା ଲୋକମାନେ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରିବେ।
ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି, ଯେପରି ଏହି ପ୍ରକଳ୍ପରୁ ଶୀଘ୍ର ପୁଣିଥରେ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିବ। ରାଜ୍ୟ ସରକାର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଏବଂ ଜଳ ଓ ଶକ୍ତିର ସଠିକ୍ ପରିଚାଳନା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ବୈଠକରେ କୁହାଯାଇଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Egg Tension: ଅଙ୍ଗନବାଡି ଦିଦିଙ୍କ ଉପରେ ଅଣ୍ଡା ଚଡ଼କ, ବଜାରରେ ୯ଟଙ୍କା, ପିଲାଙ୍କ ପାଇଁ ମିଳୁଛି ୭ଟଙ୍କା, ଆଉ ଦୁଇ ଟଙ୍କା ଆଣିବେ କେଉଁଠୁ ?