ନୂଆଦିଲ୍ଲୀ,୦୮/୧୨: ଉତ୍ତର ଗୋଆର ଆରପୋରାରେ ଥିବା "ବିର୍ଚ ବାଇ ରୋମିଓ ଲେନ୍" ନାଇଟ୍ କ୍ଲବ୍ରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପର୍ଯ୍ୟଟକ ଏବଂ ୧୪ ଜଣ ନାଇଟ୍ କ୍ଲବ୍ କର୍ମଚାରୀ ଅଛନ୍ତି, ଅନ୍ୟ ସାତ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଚଳିତ ବର୍ଷ ମାର୍ଚ୍ଚ ମାସରେ ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ଭୟଙ୍କର ଘଟଣାର ସ୍ମୃତିକୁ ପୂଣିଥରେ ତାଜା କରିଛି। କେବଳ ଏତିକି ନୁହେଁ ଗତ ଦଶବର୍ଷ ମଧ୍ୟରେ ନାଇଟ୍ କ୍ଳବ୍ ନିଆଁ ଅନେକଙ୍କ ଜୀବନ ନେଇଛି, ଯାହାର କିଛି ଉଦାହରଣ ନିମ୍ନରେ ଦିଆଗଲା...
ଅକ୍ଟୋବର ୨୦୧୫:ରୋମାନିଆର ବୁଖାରେଷ୍ଟରେ ଥିବା କୋଲେକ୍ଟିଭ୍ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା। "ଗୁଡବାଏ ଟୁ ଗ୍ରାଭିଟି" ବ୍ୟାଣ୍ଡର ଏକ ପ୍ରଦର୍ଶନ ସମୟରେ ବାଣ ଫୁଟାଇବା ଯୋଗୁ କ୍ଲବର ଜ୍ୱଳନଶୀଳ ପଲିୟୁରେଥାନ୍ ଫୋମରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା, ଯାହା ଫଳରେ ଲୋକମାନେ ବାହାରକୁ ବାହାରି ପାରିନଥିଲେ।
ଡିସେମ୍ବର ୨୦୧୬:କାଲିଫର୍ନିଆର ଓକଲ୍ୟାଣ୍ଡରେ "ଘୋଷ୍ଟ ସିପ୍" ଗୋଦାମ ଅଗ୍ନିକାଣ୍ଡରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ଇଲେକ୍ଟ୍ରୋନିକ୍ ସଙ୍ଗୀତ ଏବଂ ଡାନ୍ସ ପାର୍ଟି ସମୟରେ ଓକଲ୍ୟାଣ୍ଡର ଇତିହାସର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
ଜାନୁଆରୀ ୨୦୨୨:କାମେରୁନର ୟାଉଣ୍ଡେରେ ଏକ ନାଇଟ୍ କ୍ଲବରେ ସାମ୍ପେନ ଦେଉଥିବା ସମୟରେ ଜଳୁଥିବା ବାଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ଜାନୁଆରୀ ୨୦୨୨:ଇଣ୍ଡୋନେସିଆର ପଶ୍ଚିମ ପାପୁଆ ପ୍ରଦେଶର ସୋରୋଙ୍ଗ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। କୋଠା ଭିତରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ କ୍ଲବଟି ଜଳି ଯାଇଥିଲା।
ଅଗଷ୍ଟ ୨୦୨୨:ଥାଇଲ୍ୟାଣ୍ଡର ବ୍ୟାଙ୍କକର ମାଉଣ୍ଟେନ୍ ବି ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡ ସର୍ଟ ସର୍କିଟ୍ କିମ୍ବା ବିଦ୍ୟୁତ୍ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ହୋଇଥିବା କୁହାଯାଉଥିଲା।
ଅକ୍ଟୋବର ୨୦୨୩:ସ୍ପେନର ମର୍ସିଆରେ ଏକ ନାଇଟ୍ କ୍ଲବ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସମ୍ଭବତଃ ବିଦ୍ୟୁତ୍ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।
ଏପ୍ରିଲ ୨୦୨୪:ଇସ୍ତାନବୁଲର ମାସ୍କରେଡ୍ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନବୀକରଣ କାର୍ଯ୍ୟ ପାଇଁ କ୍ଲବ ବନ୍ଦ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।
ମାର୍ଚ୍ଚ ୨୦୨୫:ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଭିତରେ ଥିବା ବାଣରୁ ବାହାରିଥିବା ଝୁଲ ଛାତ ଉପରେ ପଡ଼ିବା ପରେ ନିଆଁ ଲାଗିଥିଲା।