ନୂଆଦିଲ୍ଲୀ - ନାସିକର କଥିତ ଭଣ୍ଡ ବାବା ଅଶୋକ ଖରାତର ଅଡୁଆ ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୋଟି କୋଟି ଟଙ୍କାର ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଅଶୋକ ଖରାତ ବିରୋଧରେ କୋର୍ଟରେ ପ୍ରାୟ ୩୦୦୦ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ୩୦ ଜଣ ସାକ୍ଷୀଙ୍କ ବୟାନ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଧାର୍ମିକ ବିଶ୍ୱାସ ଆଢ଼ୁଆଳରେ ଲୋକଙ୍କୁ ଠକିବା ଠାରୁ ଆରମ୍ଭ କରି ବେଆଇନ ରୋଜଗାରକୁ ଲୁଚାଇବା ପର୍ଯ୍ୟନ୍ତ ସମସ୍ତ ଷଡ଼ଯନ୍ତ୍ରର ଉଲ୍ଲେଖ କରାଯାଇଛି।

ED ର ଚାର୍ଜସିଟ୍ ଅନୁଯାୟୀ, ଅଶୋକ ଖରାତ ନିଜକୁ ଭଗବାନ ଶିବଙ୍କ ଅବତାର ବୋଲି କହି ଲୋକଙ୍କ ଧାର୍ମିକ ଭାବନା ସହ ଖେଳୁ ଥିଲା। ତଦନ୍ତକାରୀ ସଂସ୍ଥାର ଦାବି ଅନୁଯାୟୀ, ଧାର୍ମିକ ଆୟୋଜନ ସମୟରେ ସେ ରିମୋଟ କଣ୍ଟ୍ରୋଲ୍ ଦ୍ୱାରା ଚାଲୁଥିବା ନକଲି ସାପ ଏବଂ ବାଘ ଛାଲ ବ୍ୟବହାର କରି ଚମତ୍କାର ଭଳି ମାହୋଲ ସୃଷ୍ଟି କରୁଥିଲା, ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ତାର ଅଲୌକିକ ଶକ୍ତି ଉପରେ ବିଶ୍ୱାସ କରି ନେଉ ଥିଲେ।

ତଦନ୍ତରୁ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ମହିଳା ଶ୍ରଦ୍ଧାଳୁମାନଙ୍କୁ ନିଶାଦ୍ରବ୍ୟ ଦେଇ ଶୋଷଣ କରାଯାଉ ଥିଲା। ଏହା ବ୍ୟତୀତ ବିଶେଷ ପୂଜା, ଚମତ୍କାର ଏବଂ ଦୈବୀ କୃପାର ଦାବି କରି ତେନ୍ତୁଳି ମଞ୍ଜିକୁ ୨-୨ ଲକ୍ଷ ଟଙ୍କାରେ, ଏବଂ ପଥର ଓ ମହୁ ବୋତଲକୁ ୯-୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉ ଥିଲା। ED ର କହିବା ଅନୁଯାୟୀ, ଏହିସବୁ ଉପାୟରେ ବହୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଇଛି।

ଚାର୍ଜସିଟ୍ ଅନୁଯାୟୀ, ଅଶୋକ ଖରାତ ୧୪୨ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର କାରବାର କରି ଥିଲା। ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଯେ, ଏହି ଟଙ୍କାକୁ ସମବାୟ ସମିତି, ବେନାମୀ ଆକାଉଣ୍ଟ, ପରିବାର ଲୋକ ଏବଂ ସହଯୋଗୀମାନଙ୍କ ମାଧ୍ୟମରେ ମନି ଲଣ୍ଡରିଂ କରାଯାଇ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଜମିବାଡ଼ି ଓ ସମ୍ପତ୍ତିରେ ନିବେଶ କରାଯାଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ -

ED ଏହା ମଧ୍ୟ ଦାବି କରିଛି ଯେ, ଅଶୋକ ଖରାତ ସମ୍ପନ୍ନ ବ୍ୟବସାୟୀମାନଙ୍କୁ ଦୈବୀ ପ୍ରକୋପ, ପରିବାରରେ ଅଘଟଣ କିମ୍ବା ବ୍ୟବସାୟ ବୁଡ଼ି ଯିବାର ଭୟ ଦେଖାଇ ପ୍ରଭାବିତ କରୁଥିଲା। ଏହାପରେ ଅବତାର ପୂଜା, ବିଶେଷ ଅନୁଷ୍ଠାନ ଏବଂ ଦାନ ନାମରେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁ ଥିଲା। ଏବେ ED ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଆଗକୁ ବଢ଼ିବ। ତଦନ୍ତକାରୀ ସଂସ୍ଥାର କହିବା କଥା ଯେ, ଏହି ମାମଲାରେ ସଂଗୃହିତ ଦଲିଲ, ବ୍ୟାଙ୍କ ରେକର୍ଡ, ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ କଥିତ ମନି ଲଣ୍ଡରିଂ ଏବଂ ଆର୍ଥିକ ଅନିୟମିତତାକୁ ପ୍ରମାଣିତ କରୁଛି।