କେନ୍ଦୁଝର, ୨୮/୧୧ : ପର୍ଯ୍ୟଟକଙ୍କ ପାଇଁ ନୂଆ ସମ୍ଭାବନା ହେବାକୁ ଯାଉଛି ‘ଜଙ୍ଗଲ ସଫାରୀ’ । କେନ୍ଦୁଝର ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ପରିକଳ୍ପନା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି । କେନ୍ଦୁଝରର ସବୁଠାରୁ ଘଞ୍ଚ ଜଙ୍ଗଲ ‘ଦରଗଡ଼ିଶିଳାରେ ରାତ୍ରିଯାପନ(ନାଇଟ୍ ଷ୍ଟେ’) କରିବାକୁ ପର୍ଯ୍ୟଟକଙ୍କୁ ମିଳିବ ଅନୁମତି । ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ସହିତ ବିଳର ପ୍ରଜାତିର ବନପ୍ରାଣୀ ଚଳପ୍ରଚଳ କରୁଥିବାରୁ ସାଧାରଣ ଲୋକଙ୍କୁ ଜଙ୍ଗଲ ଭିତରକୁ ପ୍ରବେଶ ପାଇଁ ରହିଥିଲା କଟକଣା । ତେବେ ଜଙ୍ଗଲ ସଫାରୀ ଅନୁଭୂତି ସାଉଁଟିବା ପାଇଁ ପୁଣି ଏକ ସ୍ୱତନ୍ତ୍ର ଯାନ (ଜିପ୍ସି)ର ବ୍ୟବସ୍ଥା ସହିତ ରାତ୍ରିଯାପନ ପାଇଁ ଅସ୍ଥାୟୀ ଶିବିର (ଇକୋ ରିଟ୍ରେଟ୍) ବ୍ୟବସ୍ଥା ଆସନ୍ତା ମାସଠାରୁ ହେବାକୁ ଯାଉଛି । ଘଟଗାଁ ଠାରୁ ପର୍ଯ୍ୟଟକଙ୍କୁ ନେଇ ଜଙ୍ଗଲରେ ବୁଲାଇ ଏକ ନିଆରା ଅନୁଭୂତି ପ୍ରଦାନ ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଦରଗଡ଼ିଶିଳାରେ ଏହି ଇକୋରିଟ୍ରେଟ୍ ପରିଚାଳନା ଦାୟିତ୍ୱ ବନସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ। ରାତିରେ ରହଣୀ ସମୟରେ ସଂପୂର୍ଣ୍ଣ କେନ୍ଦୁଝର ଖାଦ୍ୟ ପରିବେଷଣ କରାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି କହିଛନ୍ତି । ଆମୋଦପ୍ରମୋଦ ପାଇଁ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । କେନ୍ଦୁଝର ବନଖଣ୍ଡର ସବୁଠାରୁ ଆକର୍ଷିତ ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ବିରଳ ବୃକ୍ଷଲତାରେ ପରିପୂର୍ଣ୍ଣ ଅଟେଇ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ । କେନ୍ଦୁଝର ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ଏହାର ସୌନ୍ଦର୍ଯ୍ୟ କେବଳ ପର୍ଯ୍ୟଟକ କାହିଁକି ଓଲିଉଡ୍ ଜଗତର ମଧ୍ୟ କେନ୍ଦ୍ରବିନ୍ଦୁ ରହିଥିଲା । ବର୍ଷସାରା ସେଥିପାଇଁ ପର୍ଯ୍ୟଟକମାନେ କେନ୍ଦୁଝରକୁ ଛୁଟି ଆସିଥାନ୍ତି। ପ୍ରକୃତିର ଦାନ ଏହି ନୈସର୍ଗିକ ପର୍ଯ୍ୟଟନସ୍ଥଳୀରେ ମନକୁ ହାଲୁକା କରିବା ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଥାନ୍ତି । ଏହାସହିତ ମା’ ତାରିଣୀ ପୀଠ ମଧ୍ୟ ଅନ୍ୟତମ ଆକର୍ଷଣୀୟ ସ୍ଥାନ । ପ୍ରତିଦିନ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ଓ ମାନସିକ କାରଣରୁ ଘଟଗାଁକୁ ଆସିଥାନ୍ତି ।

କେନ୍ଦୁଝର ବନଖଣ୍ଡରେ ଅନେକ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଘଟଗାଁ ନିକଟରେ ରହିଛି ପର୍ଯ୍ୟାପ୍ତ ସଂରକ୍ଷିତ ଜଙ୍ଗଲ ଅଟେଇ । ମହାବଳ ବାଘ ମଧ୍ୟ ଏହି ଜଙ୍ଗଲରେ ଅବସ୍ଥାନ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଅଟେଇ ଜଙ୍ଗଲରେ ସଫାରୀ ବ୍ୟବସ୍ଥା ଗତବର୍ଷ ଠାରୁ ଆରମ୍ଭ କରାଯାଇଛି । ପର୍ଯ୍ୟଟକଙ୍କୁ ବୁଲାଇବା ପାଇଁ ବନବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହୋଇଛି । ମୁର୍ଗାପାହାଡ଼ି ଠାରୁ କଦାବାହାଳି ପର୍ଯ୍ୟନ୍ତ ୪୦ କିମି ଦୂରତ୍ୱ ଜଙ୍ଗଲରେ ସ୍ୱତନ୍ତ୍ର ଗାଡିରେ ବୁଲିବାର ବ୍ୟବସ୍ଥା ହୋଇଛି । ଏହାସହିତ ଦରଗଡିଶିଳାର ମନୋରମ ଡ୍ୟାମ୍, ଜଙ୍ଗଲ ମଧ୍ୟରେ ୱାଚ୍ ଟାୱାର, ଜଳପ୍ରପାତ, ବାଘକୁ କିଭଳି ନିୟନ୍ତ୍ରଣ ହେଉଛି, ଗଛରେ କିଭଳି କ୍ୟାମେରା ଲଗା ଯାଇଛି ପ୍ରଭୃତି ବୁଲି ଉପଭୋଗ କରିବା ଓ ଜଙ୍ଗଲ ପରିବେଶର ଜ୍ଞାନ ପର୍ଯ୍ୟଟକଙ୍କ ପାଇଁ ଏକ ନିଆରା ଅନୁଭୂତି ରହୁଛି । ଉକ୍ତ ଜଙ୍ଗଲରେ ଅନେକ ଔଷଧୀୟ ଓ ବିରଳ ଗୁଳ୍ମ, ବୃକ୍ଷ ରହିଥିବାରୁ ପର୍ଯ୍ୟଟକମାନେ ସେହି ଗଛକୁ ଚିହ୍ନିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ଗଛରେ ନାମଫଳକ ବା କେଉଁ ପ୍ରଜାତିର ଗଛ ତାହା ସୂଚିତ କରାଯାଇଛି । ଜଙ୍ଗଲ ସଫାରୀ ପାଇଁ ୨ଟି ସ୍ୱତନ୍ତ୍ର ଯାନ ସ୍ୱତନ୍ତ୍ର ଡିଜାଇନ୍ରେ ପ୍ରସ୍ତୁତ ହୋଇଛି ।

ପୂର୍ବରୁ ୧୨ ଜଣ, ୧୪ ଜଣ ବୁଲିବା ପାଇଁ ଗାଡିର ବ୍ୟବସ୍ଥା ହୋଇଥିଲା । ଏବେ ଲାଇଟ୍ ମଟର ଭେଇକେଲ (ଜିପ୍ସି) ବ୍ୟବସ୍ଥା ହେଉଛି । ଛୋଟ ଛୋଟ ପରିବାର ଏହି ଗାଡିରେ ବୁଲିବାକୁ ସୁବିଧା ହେବ ବିଚାର କରି ଏକ ଖୋଲା ଜିପ୍ସି ବନବିଭାଗ ପକ୍ଷରୁ କ୍ରୟ କରାଯିବ ବୋଲି ଡିଏଫ୍ଓ କହିଛନ୍ତି । ଖୋଲା ଗାଡିରେ ପର୍ଯ୍ୟଟକମାନେ ଘଞ୍ଚ ଜଙ୍ଗଲରେ ବୁଲି ନିଆରା ଅନୁଭୂତି ସଂଗ୍ରହ କରିବେ । ଏହାସହିତ ଅଟେଇ ସଫାରୀ ଲଗୋ, ଟୋପି, ଜ୍ୟାକେଟ୍ ମଧ୍ୟ ବିକ୍ରିର ଷ୍ଟଲ କରାଯିବା ଲକ୍ଷ ରହିଛି । ଦରଗଡ଼ିଶିଳାରେ ରାତ୍ରିଯାପନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଅସ୍ଥାୟୀ ଶିବିର ରହିବ । ରାତିଯାପନ କରିବାକୁ ଚାହୁଥିବା ପର୍ଯ୍ୟଟକମାନେ ଏହାର ମଜା ଉଠାଇବା ସହିତ ଏକ ନିଆରା ଅନୁଭୂତି ସାଉଁଟିବେ ବୋଲି ଡିଏଫ୍ଓ କହିଛନ୍ତି ।