ରାତିରେ ଖଟ ଉପରେ ପଡିବା ପରେ ପାଦରେ ଅଜବ ପ୍ରକାରର ସମସ୍ୟା ଅନୁଭବ ହେଉଛି କି? ଚଲାବୁଲା କରିବା ପରେ ପାଦକୁ ଆରାମ ମିଳୁଛି? ଯଦି ହଁ, ତେବେ ଏହା ଆଦୌ ସାମାନ୍ୟ ସମସ୍ୟା ନୁହେଁ । ବରଂ ଏହା ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ର ଲକ୍ଷଣ । ନ୍ୟୁରୋଲୋଜିଷ୍ଟ ଡାକ୍ତର ଭୂପେଶ କୁମାର ମନସୁଖାନିଙ୍କ ଅନୁସାରେ... ଏହି ଲକ୍ଷଣ ନ୍ୟୁରୋଲୋଜିକାଲ୍‌ ବ୍ୟବସ୍ଥା ସହ ଜଡ଼ିତ । ଆମ ଶରୀରର ସମସ୍ତ ଗତିବିଧିକୁ ମସ୍ତିଷ୍କ ଓ ଶିରାପ୍ରଶିରା ନିୟନ୍ତ୍ରଣ କରିଥାନ୍ତି । ମସ୍ତିଷ୍କରେ ଡୋପାମାଇନ୍‌ ନାମକ ଏକ କେମିକାଲ୍‌ ରହିଥାଏ, ଯାହା ମାଂସପେଶୀର ପ୍ରତି କାମକୁ ଉପଯୁକ୍ତ ଢଙ୍ଗରେ କରିବାକୁ ସହାୟତା କରିଥାଏ । ଯେତେବେଳେ ମସ୍ତିଷ୍କରେ ଏହି ରସାୟନର ସନ୍ତୁଳନ ବିଗିଡ଼ିଯାଏ ତେବେ ପାଦରେ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଓ ବ୍ୟସ୍ତତା ଅନୁଭବ ହୋଇଥାଏ ।

ଅନ୍ୟ ରୋଗ ସହ ସମ୍ପର୍କ

ଅନେକ ସମୟରେ ଏପରି ସମସ୍ୟା ମଧ୍ୟ ଅନ୍ୟ କେତେକ ସ୍ଥିତିର ଲକ୍ଷଣ ହୋଇପାରେ । ଡାକ୍ତରଙ୍କ ମତରେ ଏହା ପାର୍କିନସନ୍‌ ରୋଗ ସହ ଜଡ଼ିତ ହୋଇଥାଇପାରେ । କାରଣ ଏହି ରୋଗ ମଧ୍ୟ ଡୋପାମାଇନ୍‌ ଅଭାବରୁ ହୋଇଥାଏ । ଏହାବ୍ୟତୀତ ଅନ୍ୟାନ୍ୟ କେତେକ କାରଣରୁ ମଧ୍ୟ ପାଦ ସମସ୍ୟା ସୃଷ୍ଟି ହୋଇଥାଏ । ଯେପରିକି...
-ଶରୀରରେ ଆଇରନ୍‌ର ଅଭାବ
-ନ୍ୟୁରୋପାଥି ସମସ୍ୟା  
-ମେରୁଦଣ୍ଡ ହାଡ଼ ସମସ୍ୟା

ପାଦର ଏପରି ସମସ୍ୟା ଯୋଗୁ ବ୍ୟକ୍ତି ରାତିରେ ଶାନ୍ତିରେ ଶୋଇପାରି ନଥାଏ । ଠିକ୍‌ ଭାବେ ନିଦ ନ ହେବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ଦିନରେ ଶରୀର ଥକ୍କାପଣ ଅନୁଭବ କରିବା, ସ୍ୱଭାବରେ ଚିଡଚିଡାପଣ ଆସିବା ଓ କୌଣସି କାମରେ ଧ୍ୟାନ ଦେଇ ନପାରିବା ପରି ସମସ୍ୟାମାନ ଉପୁଜିଥାଏ । ଯଦି ଏଭଳି ସମସ୍ୟା ବାରମ୍ବାର ଲାଗି ରହୁଥାଏ, ତେବେ ଡେରି ନ କରି ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ । ପାଦର ଏହି ସମସ୍ୟାକୁ ଅଣଦେଖା କରନ୍ତୁନି । ଏହି ଲକ୍ଷଣ ଜଣାଇଥାଏ ଯେ ଶରୀରର ସ୍ୱାୟୁତନ୍ତ୍ରର ବିଶେଷ ଯତ୍ନ ନେବା ଜରୁରି । ସମୟରେ ଏହାର ଚିକିତ୍ସା କରାଗଲେ ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ କେତେକ ପରୀକ୍ଷା କରାଇ ନେବା ଜରୁରି । ଯେପରିକି... 

-ଆଇରନ୍‌ ପରୀକ୍ଷା କରାଇ ନିଅନ୍ତୁ 
-ନିୟମିତ ବ୍ୟାୟାମ କରିବା ଉଚିତ୍‌ 
-ସମୟରେ ଶୋଇବା ଅଭ୍ୟାସ ଆପଣାନ୍ତୁ