ଫିରିଙ୍ଗିଆ ,୫।୧୦ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଂଚାୟତ ଡୁମ୍ବୁରୀଗାଟା ଗ୍ରାମ ଏ ପର୍ଯ୍ୟନ୍ତ ବିଚ୍ଛିନ୍ନାଂଚଳ ଭାବେ ରହିଛି । ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ ଲୋକେ ନଈ ପାରି ହୋଇ ଯିବା ଆସିବା କରୁଛନ୍ତି । ଦୀର୍ଘ ବର୍ଷ ହେଲା ଏହି ଗ୍ରାମବାସୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ହେଲେ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି । ବର୍ଷା ଦିନ ଆସିଲେ ଏମାନେ ବହୁ ଦୁର୍ଦ୍ଦଶାର ସମ୍ମୁଖିନ୍ନ ହୁଅନ୍ତି । ଗ୍ରାମର ପିଲାମାନେ ସଲାଗୁଡା ସେବାଶ୍ରମରେ ପଢ଼ୁଛନ୍ତି । ସୋମବାର ସ୍କୁଲ ଖୋଲୁ ଥିବାରୁ ରବିବାର ୭ ଜଣ ଛାତ୍ରୀଛାତ୍ର ବିପଦପୂର୍ଣ୍ଣ ଭାବେ ହଣ୍ଡା ଭିତରେ ପସି ନଈ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ସଲାଗୁଡା ପଂଚାୟତର ଅତ୍ୟନ୍ତ ଦୁର୍ଗମ ଗ୍ରାମ ହେଉଛି ଡୁମ୍ବୁରୀଗାଟା । ଏଠାରେ ୧୭ ଟି ପରିବାର ବସବାସ କରୁଛନ୍ତି । ରାସ୍ତା ନ ଥିବାରୁ ଏାମନେ ନଈକୁ ବାଟ ଭାବି ଯାତାୟତ କରନ୍ତି । ଆଜି ପର୍ଯ୍ୟନ୍ତ ଗ୍ରାମକୁ ପାନୀୟ ଜଳର ସୁବିଧା ହୋଇ ପାରିନି । ବିଦ୍ୟୁତ୍ ନାହିଁ । ଆଜିର ଡିଜିଟାଲ ଇଣ୍ଡିଆରେ ଲୋକେ କିଭଳି ଚଳୁଥିବେ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଗ୍ରାମର ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ଏବଂ ଭତ୍ତା ନେବା ପାଇଁ ବାଘ ନଦୀ ପାରି ହୋଇ ଆସୁଛନ୍ତି । ବୃଦ୍ଧା ବୃଦ୍ଧ ବର୍ଷା ଦିନରେ ଆସି ପାରୁ ନାହାନ୍ତି । ଏହି ବାଘ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁ ଦିନରୁ ଦାବି କରି ଆସୁଛନ୍ତି । ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି । ଏହାକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି ।
ଗାଁକୁ ରାସ୍ତା ନାହିଁ। ଗ୍ରାମରୁ ପାଦଚଲା ପଥ ଜଙ୍ଗଲ ପାହାଡ ଦେଇ ୧୦ କିମି ଗଲେ ଲୁଇସିଂରେ ପହଁଚି ଥାଉ । ଜଙ୍ଗଲ ମଧ୍ୟରେ ସବୁ ବେଳେ ଚାଲିକି ଯିବା ସମ୍ଭବ ନୁହେଁ । ବାଘ ନଦୀ ପାର ହୋଇ ଆମେ ପଂଚାୟତ କାର୍ଯ୍ୟାଳୟକୁ ଯାଉ। ମାସକୁ ଥରେ ନ ହେଲେ ଦୁଇ ଥର ଆମେ ବାହାରକୁ ଯାଇ ଚଳିବା ପାଇଁ ସାମଗ୍ରୀ ଆଣୁ ବୋଲି ଲୋକମାନେ କହିଛନ୍ତି। ଆଜିର ଯୁଗରେ ବିଦ୍ୟୁତ୍ ଆମ ଗ୍ରାମକୁ ଆସି ନାହିଁ । ପିଲାମାନେ ସଲାଗୁଡା ସେବାଶ୍ରମରେ ପଢ଼ୁଛନ୍ତି । ବର୍ଷା ହେଉଥିବାରୁ ନଈରେ ବହୁତ ପାଣି । ପିଲାମାନଙ୍କୁ ଆମେ ହଣ୍ଡାରେ ବସାଇ ନଈ ପାର କରି ସ୍କୁଲ ପଠାଇଛୁ ବୋଲି ଗ୍ରାମବାସୀ କହିଛନ୍ତି।
ସେହିପରି ସଲାଗୁଡା ସରପଞ୍ଚ ରୋହିତ୍ କହଁରକୁ ପଚାରିବାରୁ ସେ କହିଥିଲେ ଯେ, ପଞ୍ଚାୟତ ତରଫରୁ ସୋଲାର ଲାଇଟ୍ ଓ କୂଅ ଦିଆଯାଇଛି । ଏ ସମ୍ପର୍କରେ ବହୁତ ଥର ଜିଲାପାଳ ଓ ବିଡିଓକୁ ଲେଖିକି ଦେଇଛି। ଏଠାରେ ପୋଲ କି ଗ୍ରାମକୁ ରାସ୍ତା ନିର୍ମାଣ କଲେ ଉପକୃତ ହୁଅନ୍ତୁ ବୋଲି ଗ୍ରାମର ବିଷ୍ଣୁ ମଲ୍ଲିକ, ଦିବାନା ମଲ୍ଲିକ ପ୍ରମୁଖ ପ୍ରକାଶ କରିଛନ୍ତି ।