ଭୁବନେଶ୍ୱର,୨୭/୦୨: ୨୦୨୧ ମସିହାରେ କଳା ଟ୍ରେନ୍ଡ୍ ଗ୍ରାଜୁଏଟ୍ ଟିଚର(ଟିଜିଟି)ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଲା । ବିଜ୍ଞପ୍ତି ସମୟରେ କୁହାଗଲା ବାଣିଜ୍ୟ ସ୍ନାତକ ସହ ବିଏଡ୍ ଯୋଗ୍ୟତା ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପଦବି ପାଇଁ ଆବେଦନ କରିପାରିବେ । ଏଥିସହ କୁହାଯାଇଥିଲା, ସ୍କୁଲରେ ଅର୍ଥନୀତି ଓ ଇଂରାଜୀ ବିଷୟ ଥିଲେ ମଧ୍ୟ ଅନୁମତି ମିଳିବ । ଏହାକୁ ଦେଖି ବିଏଡ୍ କରିଥିବା ବାଣିଜ୍ୟ ସ୍ନାତକଧାରୀମାନେ ନିଯୁକ୍ତି ପାଇଁ ଆବେଦନ କଲେ । ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଅଧିକାଂଶ ବାଣିଜ୍ୟ ବିଏଡ୍ ପିଲାଙ୍କୁ ନିଯୁକ୍ତିରୁ ବାଦ୍ ଦିଆଗଲା । ଘଟଣା କୋର୍ଟରେ ପହଞ୍ଚିଲା । ମାମଲା ଏବେ ହାଇକୋର୍ଟରୁ ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚିଲାଣି ।
ହେଲେ ସରକାରଙ୍କ ପାଇଁ ଏହାର ସମାଧାନ ହେଉନି । ନିଯୁକ୍ତି ଆଶାୟୀମାନେ ଚାହିଁ ବସିଛନ୍ତି । ବୟସ ଗଢ଼ୁଛି, ମାନସିକ ଚାପରେ ଭାଙ୍ଗି ପଡ଼ୁଛନ୍ତି । ଏପରି କହି କ୍ଷୋଭ ପ୍ରକାଶ କରିଛନ୍ତି ବାଣିଜ୍ୟ ସ୍ନାତକ ସହ ବିଏଡ୍ କରିଥିବା ନିଯୁକ୍ତି ଆଶାୟୀ । ବିଏଡ୍ କରିଥିବା ବାଣିଜ୍ୟ ସ୍ନାତକଧାରୀ ରାକେଶଙ୍କ କହିବା କଥା, ୨୦୨୧ ଅଗଷ୍ଟ ୨୮ରେ ଟିଜିଟି(କଳା) ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଯୋଗ୍ୟତା ମାନଦଣ୍ଡରେ କୁହାଯାଇଥିଲା, ଆବେଦନାକାରୀ ପାଖରେ ବ୍ୟାଚଲର ଡିଗ୍ରୀ(କଳା, ବାଣିଜ୍ୟ କିମ୍ବା ଶାସ୍ତ୍ରୀ) ସହ ୨ଟି ସ୍କୁଲ(ଅନର୍ସ, ଇଲେକ୍ଟିଭ୍, ଅପ୍ସନାଲ, ବାଧ୍ୟତାମୂଳକ ବିଷୟ) ବିଷୟ ରହିଥିବା ନିହାତି ଆବଶ୍ୟକ । ଏଥିରେ ଇଂରାଜୀ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଭାରତୀୟ ଅର୍ଥନୀତି, ଲାଣ୍ଡମାର୍କ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି, ଇଣ୍ଡିଆନ୍ ଜିଓଗ୍ରାଫି ଆଦି ବିଷୟ ଥିଲେ ଆବେଦନ କରିପାରିବେ ।
ଆବେଦନ ୨୦୨୧ ସେପ୍ଟେମ୍ବର ୪ରୁ ୩୦ ଯାଏ ଚାଲିଥିଲା । ସେହିବର୍ଷ ଅକ୍ଟୋବର ୨୫ରୁ ୨୮ ଯାଏ କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ(ସିବିଟି) ମୋଡ୍ରେ ପରୀକ୍ଷା ହେଲା । ୨୬ ତାରିଖରେ ମେରିଟ୍ ଲିଷ୍ଟ ଓ ରିଜେକ୍ଟ ଲିଷ୍ଟ ପ୍ରକାଶ ପାଇଲା । ଏଥିରେ ଅଧିକାଂଶ ପିଲା ରିଜେକ୍ଟ ହୋଇଥିଲେ । ଏହି ଡକ୍ୟୁମେଣ୍ଟ ଯାଞ୍ଚ ପରେ ବାଣିଜ୍ୟ ସ୍ନାତକଧାରୀ କିଛି ପିଲାଙ୍କୁ ମେଧା ତାଲିକାରୁ ବାଦ୍ ଦିଆଯାଇଥିଲା । ଏହାର ମୁଖ୍ୟ କାରଣ ଥିଲା ସ୍କୁଲ ବିଷୟ । ଅର୍ଥନୀତି ଓ ବାଣିଜ୍ୟ ଅର୍ଥନୀତି ଏବଂ ଇଂରାଜୀ ଓ କମ୍ୟୁନିକେଟିଭ୍ ଇଂରାଜୀକୁ ନେଇ ଯାଞ୍ଚ ସମୟରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା । ଯାଞ୍ଚ ସମୟରେ ବିଜିନେସ୍ ଇକୋନୋମିକ୍ସ(ବାଣିଜ୍ୟ ଅର୍ଥନୀତି) ଓ କମ୍ୟୁନିକେଟିଭ୍ ଇଂରାଜୀ ସ୍କୁଲ ବିଷୟ ନୁହେଁ କହି ଅନେକଙ୍କୁ ମେଧା ତାଲିକାରୁ ବାଦ ଦିଆଗଲା । ଯେଉଁମାନେ ବାଦ୍ ପଡ଼ିଥିଲେ ହାଇକୋର୍ଟର ଦ୍ୱାରସ୍ଥ ହେଲେ । ଏପରିକି ଆବେଦନକାରୀମାନେ ବାଣିଜ୍ୟ ଅର୍ଥନୀତି ଓ ଅର୍ଥନୀତି ସମାନ ବିଷୟ ବୋଲି ଯୁକ୍ତି ଦେଖାଇଲେ ।
ଆହୁରି ପଢନ୍ତୁ-ଓଡ଼ିଶା ସୂଚନା କମିଶନରଙ୍କ ରେକର୍ଡ ସଂଖ୍ୟକ ଫଇସଲା, ୧୦ ମାସରେ ୧୨ ହଜାର ମାମଲାର ନିଷ୍ପତ୍ତି
୨୦୨୩ରେ କୋର୍ଟ ରାୟ ଦେଲେ ଯେଉଁମାନଙ୍କର ବିଜିନେସ୍ ଅର୍ଥନୀତି ବିଷୟ ଥିଲା ସେମାନେ ନିଯୁକ୍ତି ପାଇଁ ଯୋଗ୍ୟ । କିନ୍ତୁ ସରକାର ଏହାକୁ ନେଇ ସୁପ୍ରିମ୍କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ଯାହା ଫଳରେ ବର୍ଷ ପରେ ବର୍ଷ କେବଳ ଗଡ଼ି ଚାଲିଛି । ନିଯୁକ୍ତି ଆଶାୟୀ ରଞ୍ଜନ କୁମାର ମହାନ୍ତି କହିଛନ୍ତି, ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ନିଯୁକ୍ତି ଆଶାୟୀ ନିରାଶ ହେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏନେଇ ସରକାରଙ୍କ ସହ ଆଲୋଚନା ଚାଲିଛି । କୋର୍ଟ ରାୟକୁ ଆଧାର କରି ନିଯୁକ୍ତି ନିଷ୍ପତ୍ତି ନେବୁ । ଅନ୍ୟପଟେ ଜଣେ ଅଧିକାରୀଙ୍କ କହିବା କଥା, ବାଣିଜ୍ୟରେ ନିଯୁକ୍ତି ସମସ୍ୟା ପାଇଁ ପିଲାମାନେ ନାମଲେଖାରୁ ଦୂରେଇ ଯାଉଛନ୍ତି । ଫଳରେ ପାଖାପାଖି ଅଧା ସିଟ୍ ଖାଲି ପଡୁ଼ଛି ।