ନିର୍ବାଚନ କମିଶନଙ୍କୁ ‘ନିରୀକ୍ଷଣ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ’ କରିବାର କ୍ଷମତା ସମ୍ବିଧାନ  ଦେଇଛି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମ୍ବିଧାନର ଅନୁଚ୍ଛେଦ-୩୨୬ ସହିତ  ନିର୍ବାଚନ ଆଇନ ଅତି ସ୍ପଷ୍ଟଭାବେ ଗୁରୁତ୍ୱାରୋପ କରିଛନ୍ତି- କେବଳ ଭାରତୀୟ ନାଗରିକ  ହିଁ ଯୋଗ୍ୟ ଭୋଟଦାତା ବିବେଚିତ ହୋଇପାରିବେ । ନିର୍ବାଚନ କମିଶନଙ୍କ କର୍ତ୍ତବ୍ୟ  ହେଲା ଏହି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ଲାଗୁ କରିବା ।

 

ବିହାରରେ ଚାଲିଛି ସ୍ୱତନ୍ତ୍ର ଭୋଟର ତାଲିକା  ସଂଶୋଧନ ପ୍ରକ୍ରିୟା । ଭାରତର ନିର୍ବାଚନ  କମିଶନ (ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ) ପକ୍ଷରୁ  କରାଯାଉଥିବା ଏହି ‘ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ’  (ଏସ୍‌ଆଇଆର)କୁ ଇଣ୍ଡିଆଲାଏନ୍‌ସ ଏବଂ ଭାରତୀୟ  ଜନତା ପାର୍ଟି ବିରୋଧୀ ଅନ୍ୟାନ୍ୟ ଦଳ ଘୋର ବିରୋଧ  କରୁଛନ୍ତି । ବିରୋଧୀଙ୍କ ବିରୋଧ ସୁପ୍ରିମକୋର୍ଟରେ ମାମଲା  ରୂପରେ ପହଞ୍ଚି ସାରିଲାଣି । ଏହି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ  କରିବାକୁ ଦେଶର ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରନ୍ତୁ  ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଗତ ମାମଲାରେ ଆବେଦନ କରାଯାଇଛି । ବିହାର ବିଧାନସଭା ନିର୍ବାଚନ ଆଗାମୀ ନଭେମ୍ବର  ମାସରେ ହେବାର ଅଛି । ଏଣୁ ବିରୋଧୀ ପକ୍ଷର ଯୁକ୍ତି ଯେ, ନିର୍ବାଚନ କମିଶନଙ୍କ ହାତରେ ସମୟ ଖୁବ୍‌ କମ୍‌ । ଏମିତି  ତରବରିଆ ଭୋଟର ତାଲିକା ସଂଶୋଧନ ‘ଏସ୍‌ଆଇଆର’  କରାଯିବା ଅନୁଚିତ । ତେବେ ନିର୍ବାଚନ କମିଶନଙ୍କ ଯୁକ୍ତି  ହେଲା- ଏତିକି ସମୟ ମଧ୍ୟରେ ସଂଶୋଧନ ପ୍ରକ୍ରିୟା  ଯଥାବିଧି ହୋଇପାରିବ । ଏହାର ଜବାବରେ ବିରୋଧୀ  ଦଳଗୁଡ଼ିକ ଯେଉଁସବୁ ଯୁକ୍ତି ଦର୍ଶାଉଛନ୍ତି ତାହାର ସାରମର୍ମ  ହେଲା- ପ୍ରତ୍ୟେକ ଭୋଟଦାତାଙ୍କ ନାଗରିକତ୍ୱ ବୈଧତାର   ପରୀକ୍ଷାନିରୀକ୍ଷା ସେମାନେ ଚାହୁଁନାହାଁନ୍ତି । ସୁପ୍ରିମକୋର୍ଟଙ୍କ  ନିକଟରେ ବିରୋଧୀ ପକ୍ଷର ଓକିଲମାନେ ଇତିମଧ୍ୟରେ  ଯୁକ୍ତି ଉପସ୍ଥାପନ କରିଛନ୍ତି । 

ଯଦି ସର୍ବୋଚ୍ଚ ଅଦାଲତ  ବିରୋଧୀ ପକ୍ଷଙ୍କ ଯୁକ୍ତିଗୁଡ଼ିକୁ ଗ୍ରହଣ କରିନିଅନ୍ତି, ତେବେ  ନିର୍ବାଚନ କମିଶନଙ୍କୁ ସମ୍ବିଧାନ ପ୍ରଦତ୍ତ ସ୍ୱତନ୍ତ୍ର ନିର୍ଦ୍ଦିଷ୍ଟ କ୍ଷମତାଗୁଡ଼ିକର ଉଲ୍ଲଙ୍ଘନ ନିଶ୍ଚୟ ହେବ । ଅନ୍ୟପକ୍ଷରେ  ଭାରତୀୟ ନାଗରିକମାନେ ହିଁ କେବଳ ଭୋଟ ଦେବାକୁ  ଯୋଗ୍ୟ ବୋଲି ସଂସଦରେ ପ୍ରଣୀତ ଆଇନରେ ଯେଉଁ  ଅଧିକାର ଧାର୍ଯ୍ୟ ହୋଇଛି ତାହା ମଧ୍ୟ ଉପେକ୍ଷିତ  ହେବ । କେବଳ ଏତିକି ନୁହେଁ, ବିରୋଧୀଙ୍କ ଯୁକ୍ତି ଯଦି  ଗ୍ରହଣୀୟ ହୋଇଯାଏ, ତେବେ ବନ୍ୟାଜଳ ଲାଗି ଫାଟକ  ଖୋଲିଦିଆଯିବା ସଦୃଶ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା  ରହୁଛି । ଅର୍ଥାତ୍‌ ମାଳମାଳ ଅବୈଧ ଅପ୍ରବାସୀ ତଥା  ସୀମାପାର ଅନୁପ୍ରବେଶକାରୀ ଭୋଟର ତାଲିକା ମଧ୍ୟକୁ  ପଶିଆସିବାକୁ ମଉକା ପାଇଯିବେ । ଏପରି ଯଦି ହୁଏ,  ଦେଶର ଶାସନତନ୍ତ୍ର ଉପରେ ସାଂଘାତିକ ପ୍ରଭାବ ପଡ଼ିବ ।  କାରଣ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆମ ଦେଶରେ ୨୫ବର୍ଷରୁ ଅଧିକ ବୟସ୍କ ଯୋଗ୍ୟ ଭୋଟଦାତା ବିଧାୟକ,  ସାଂସଦ ହେବାକୁ ଯୋଗ୍ୟ । ଅର୍ଥାତ୍‌ ଯେକେହି ଯୋଗ୍ୟ  ଭୋଟର ରାଜ୍ୟର ମୁଖ୍ୟମନ୍ତ୍ରୀ ଅବା ଦେଶର ପ୍ରଧାନମନ୍ତ୍ରୀ  ହୋଇପାରିବେ । ଖାସ୍‌ ଏଥିପାଇଁ ଭୋଟର ଭାବେ  ଯେପରି ଜଣେ ବି ଅଣ-ନାଗରିକ ଭୋଟର ତାଲିକାରେ  ସ୍ଥାନ ନପାଇପାରିବେ ତାହା ସୁନିଶ୍ଚିତ କରିବା ନିର୍ବାଚନ  କମିଶନଙ୍କ ଗୁରୁଦାୟିତ୍ୱ । 

ନିର୍ବାଚନ କମିଶନଙ୍କୁ ପ୍ରଦତ୍ତ କ୍ଷମତାଗୁଡ଼ିକର  ଉଲ୍ଲେଖ ସମ୍ବିଧାନରେ ସ୍ପଷ୍ଟଭାବେ ରହିଛି । ସମ୍ବିଧାନର  ଅନୁଚ୍ଛେଦ-୩୨୪ରେ ନିର୍ବାଚନ ଏବଂ ଭୋଟର ତାଲିକା  ପ୍ରସ୍ତୁତି ସକାଶେ ‘ନିରୀକ୍ଷଣ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ’  ଲାଗି ଉଭୟ କ୍ଷମତା ତଥା କର୍ତ୍ତୃତ୍ୱ ନିର୍ବାଚନ କମିଶନଙ୍କୁ  ପ୍ରଦାନ କରାଯାଇଛି । ଭୋଟର ତାଲିକା ପ୍ରସ୍ତୁତି ନେଇ  ଅନୁଚ୍ଛେଦ-୩୨୬ରେ ଘୋଷଣା କରାଯାଇଛି ଯେ,  ପ୍ରତ୍ୟେକ ରାଜ୍ୟର ବିଧାନସଭା ତଥା ଲୋକସଭା ପାଇଁ  ଜନପ୍ରତିନିଧିଙ୍କ ନିର୍ବାଚନ ସାବାଳକ ଭୋଟଦାତାଙ୍କ  ମତ ଅନୁଯାୟୀ ହେବା ନିଶ୍ଚିତ । 

ସାବାଳକ ମତଦାତା  କହିଲେ “ପ୍ରତ୍ୟେକ ଭାରତର ନାଗରିକ ହୋଇଥିବେ  ଏବଂ ଧାର୍ଯ୍ୟ ତାରିଖ ଅନୁଯାୟୀ ସେମାନଙ୍କର ବୟସ  ୧୮ବର୍ଷରୁ ତଳକୁ ହୋଇନଥିବ ଏବଂ ସମ୍ବିଧାନ ଅଥବା  ନନ୍‌-ରେସିଡେନ୍‌ସ ଆଇନ ମୁତାବକ ଅନ୍ୟାନ୍ୟ ଭାବେ  ଅଯୋଗ୍ୟ ହୋଇନଥିବେ,  ମାନସିକ ବିକାରଗ୍ରସ୍ତ, କୌଣସି  ଅପରାଧ, ଦୁର୍ନୀତି ଅବା ବେଆଇନ  କାର୍ଯ୍ୟକଳାପ ନିରୋଧୀ କୌଣସି  ଆଇନ ଅନୁଯାୟୀ ଅଯୋଗ୍ୟ  ବିବେଚିତ ହେଉନଥିବେ³ ସେହିମାନେ ହିଁ ଦେଶର କୌଣସି  ନିର୍ବାଚନ ପାଇଁ ଭୋଟଦାତା ଭାବେ  ତାଲିକାଭୁକ୍ତ ହେବାକୁ ଯୋଗ୍ୟ  ଅଟନ୍ତି ।” ପୁନଶ୍ଚ ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା-୧୬  ଦ୍ୱାରା ମଧ୍ୟ ନାଗରିକ ନିୟମାବଳୀକୁ  ବଳଶାଳୀ କରାଯାଇଛି । ଏଥିରେ  କୁହାଯାଇଛି “ଭାରତର ନାଗରିକ  ହୋଇନଥିବା ବ୍ୟକ୍ତି ଦେଶର ଭୋଟର ତାଲିକାରେ  ପଞ୍ଜୀକୃତ ହେବାକୁ ଯୋଗ୍ୟ ନୁହଁନ୍ତି ।” ସୁତରାଂ ଉଭୟ  ସମ୍ବିଧାନ ଏବଂ ନିର୍ବାଚନ ଆଇନ ସ୍ପଷ୍ଟ କରିଦେଇଛନ୍ତି ଯେ,  କେବଳ ଦେଶର ନାଗରିକମାନେ ହିଁ ଭୋଟର ତାଲିକାରେ  ସ୍ଥାନ ପାଇବେ । 

ଏସବୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତେ୍ୱ ନିର୍ବାଚନ କମିଶନ  ଭୋଟଦାତାଙ୍କ ଯୋଗ୍ୟତା ଯାଞ୍ଚ କରିବା ଉପରେ ଜୋର୍‌  ଦେବା ଅନୁଚିତ ବୋଲି ଯୁକ୍ତି ବାଢ଼ିବା ନିତାନ୍ତ ଅସଙ୍ଗତ  ମନେହୁଏ । ଏଠାରେ ଆହୁରି ଉଲ୍ଲେଖ କରାଯାଇପାରେ  କି, ଆରପି ଆକ୍ଟ ୧୯୫୦ର ଧାରା-୧୪ରେ ଭୋଟର  ତାଲିକା ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ନେଇ ନିମ୍ନତମ ଧାର୍ଯ୍ୟ  ସମୟ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ଧାର୍ଯ୍ୟ  ସମୟ ହେଲା- ଜାନୁଆରୀ ପ୍ରଥମ, ଏପ୍ରିଲ ପ୍ରଥମ,  ଜୁଲାଇ ପ୍ରଥମ ତଥା ଅକ୍ଟୋବର ପ୍ରଥମ ତାରିଖ । ପୁନଶ୍ଚ  ଦେଶରେ ରାଜ୍ୟ ବିଧାନସଭା ଅବା ଲୋକସଭା ଲାଗି  ସାଧାରଣ ନିର୍ବାଚନ ହେବା ପୂର୍ବରୁ ଉପରୋକ୍ତ ଧାର୍ଯ୍ୟ  ସମୟ ସୀମା ସହ ସନ୍ତୁଳନ ରଖି କମିଶନ ଭୋଟର  ତାଲିକା ପ୍ରସ୍ତୁତ କରିପାରିବେ କିମ୍ବା ଭୋଟର ତାଲିକା  ସଂଶୋଧନ କରିପାରିବେ ବୋଲି ଧାରା-୨୧ ଜରିଆରେ  ନିର୍ବାଚନ କମିଶନଙ୍କୁ କ୍ଷମତା ଦିଆଯାଇଛି । ଭୋଟର  ତାଲିକା ପ୍ରସ୍ତୁତି, ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କୁ  ସ୍ୱତନ୍ତ୍ର କ୍ଷମତାସମ୍ପନ୍ନ କରାଯାଇଥିଲେ ସୁଦ୍ଧା ରାଜନୈତିକ  ଦଳଗୁଡ଼ିକର ତୁମ୍ବିତୋଫାନର ହେତୁ ବୁଝିବା ମୁସ୍କିଲ ।  

ଏହି ପରିପ୍ରେକ୍ଷୀରେ ଯେଉଁମାନେ ଜାଣିନାହାଁନ୍ତି,  ସେମାନେ ଜାଣନ୍ତୁ ଯେ ଭୋଟର ଯୋଗ୍ୟତା ପ୍ରସଙ୍ଗ ନେଇ  ନେହରୁ-ଗାନ୍ଧୀ ପରିବାର ମଧ୍ୟରୁ  ଏକ ମାମଲା ଦେଶ ସାମନାକୁ  ଆସିଥିଲା । ନେହରୁ-ଗାନ୍ଧୀ  ପରିବାରର ସଦସ୍ୟ ହୋଇଥିବା  ଜଣେ ଅଣ-ନାଗରିକ ଭୋଟର ତାଲିକାରେ ସ୍ଥାନ ପାଇଥିଲେ ଏବଂ  ଅଭିଯୋଗ ଉଠିବାରୁ ପରବର୍ତ୍ତୀ  ସମୟରେ ତାଙ୍କୁ ଭୋଟର  ତାଲିକାରୁ ବାଦ୍‌ ଦିଆଯାଇଥିଲା ।

 କଥାଟି ହେଲା, ୧୯୮୦  ଜାନୁଆରୀ ବେଳର । ସେହି  ସମୟରେ ଦିଲ୍ଲୀ ଭୋଟର  ତାଲିକା ସଂଶୋଧନ ସହ  ନବୀକରଣ କରାଯାଉଥାଏ । ଏହି  ପ୍ରକ୍ରିୟାରେ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାକୁ  ଉଠିଥିଲା, ଯଦିଓ ସେ ସେତେବେଳେ ଭାରତ ନୁହେଁ,  ଇଟାଲୀର ନାଗରିକ । ସେ ସମୟରେ ଜନପ୍ରତିନିଧି  ଅଧିନିୟମ-୧୯୫୧ ମୁତାବକ ଜଣେ ଭୋଟରଙ୍କୁ ଏକ  ଫର୍ମ ପୂରଣ କରିବାକୁ ହେଉଥିଲା । ସେଥିରେ ସେ ନିଜର  ନାମ, ଠିକଣା, ଜନ୍ମ ତାରିଖ ଇତ୍ୟାଦି ଇତ୍ୟାଦି ଉଲ୍ଲେଖ  କରିବା ସହିତ ଏହା ଜରିଆରେ ନିଜକୁ ଭାରତର ଜଣେ  ନାଗରିକ ବୋଲି ଘୋଷଣା କରୁଥିଲେ । ଏଗୁଡ଼ିକୁ ଯାଞ୍ଚ କରି ନିର୍ବାଚନ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଭୋଟର  ତାଲିକାରେ ସାମିଲ କରୁଥିଲେ । ଏହି ଆଇନରେ ମଧ୍ୟ  ଘୋଷଣାନାମା ଅନୁଯାୟୀ, ଯଦି କିଛି ଦାବି ଭୁଲ୍‌ ବୋଲି  ପ୍ରମାଣିତ ହେଲା ତେବେ ସମ୍ପୃକ୍ତ ବ୍ୟକ୍ତି ସର୍ବାଧିକ ୬ମାସ ଜେଲଦଣ୍ଡରେ ଦଣ୍ଡିତ ହେଉଥିଲେ । ସୋନିଆ ଗାନ୍ଧୀଙ୍କ ପ୍ରଥମ ନାମ ଥିଲା ଆଣ୍ଟୋନିଆ  ମାଇନୋ । ସେ ୧୯୬୮ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ  ଇନ୍ଦିରା ଗାନ୍ଧୀଙ୍କ ବଡ଼ ପୁଅ ରାଜୀବ ଗାନ୍ଧୀଙ୍କୁ ବିବାହ  କରିଥିଲେ । 

ଯଦିଓ ନାଗରିକତ୍ୱ ଗ୍ରହଣ ଆଇନ ଅନୁଯାୟୀ,  ବିବାହର ୫ବର୍ଷ ପରେ ଅର୍ଥାତ୍‌ ୧୯୭୩ ମସିହାରେ  ଭାରତର ନାଗରିକତ୍ୱ ଗ୍ରହଣ ଲାଗି ଆବେଦନ କରିବାକୁ  ସେ ଯୋଗ୍ୟ ଥିଲେ, କିନ୍ତୁ ତାହା କରିନଥିଲେ । ଅଥଚ  ୧୯୮୦ ଜାନୁଆରୀରେ ଯେତେବେଳେ ଭୋଟର ତାଲିକା ସଂଶୋଧନ ହେଲା, ସେତେବେଳେ ନୂଆଦିଲ୍ଲୀ ସଂସଦୀୟ  ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ଇନ୍ଦିରା ଗାନ୍ଧୀ, ରାଜୀବ  ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ମେନକା ଗାନ୍ଧୀଙ୍କ ସହ ସୋନିଆଙ୍କ  ନାମ ବି ଯୋଡ଼ା ଯାଇଥିଲା । ଏହାର କିଛିଦିନ ମଧ୍ୟରେ ଏକ  ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀଙ୍କର ଦୁଃଖଦ ମୃତ୍ୟୁ  ଘଟିଲା । ଇଣ୍ଡିଆନ୍‌ ଏୟାରଲାଇନ୍ସରେ ପାଇଲଟ୍‌ ଥିବା  ବଡ଼ପୁଅ ରାଜୀବ ଗାନ୍ଧୀଙ୍କୁ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା ପାଇଁ ଇନ୍ଦିରାଜୀ ପରାମର୍ଶ ଦେଲେ । ରାଜୀବ  ଗାନ୍ଧୀ ନିଜ ମାଆଙ୍କ କଥା ମାନିଲେ । ଶ୍ରୀମତୀ ଗାନ୍ଧୀ ତାଙ୍କୁ  କଂଗ୍ରେସର ସାଧାରଣ ସଚିବ କଲେ । ରାଜନୀତି ମଧ୍ୟକୁ  ରାଜୀବଙ୍କ ବିଧିବଦ୍ଧ ପ୍ରବେଶ ପରେ ସୋନିଆ ଇଟାଲୀ  ନାଗରକିତ୍ୱ ବଜାୟ ରଖିବା ନେଇ ଅଡ଼ୁଆ ଉପୁଜିଲା ।  

ସୋନିଆ ଗାନ୍ଧୀ ଭାରତର ନାଗରିକ ନହେବା ପ୍ରସଙ୍ଗକୁ  ହତିଆର କରି କଂଗ୍ରେସ ବିରୋଧୀମାନେ ନେହରୁ ଗାନ୍ଧୀ ପରିବାରକୁ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା  ଦେଖାଦେଲା । ଏଣୁ ସୋନିଆ ଗାନ୍ଧୀ ୧୯୮୩, ଏପ୍ରିଲ  ୭ରେ ଭାରତର ନାଗରିକତ୍ୱ ଲାଗି ଆବେଦନ କଲେ ଏବଂ  ସେହିବର୍ଷ ଏପ୍ରିଲ ୩ ତାରିଖରେ ତାଙ୍କ ଆବେଦନ ଗୃହୀତ  ହୋଇଗଲା । ତେବେ ଭୋଟର ତାଲିକାରେ ୧୯୮୦ରୁ  ସୋନିଆ ସାମିଲ ହୋଇସାରିଛନ୍ତି ବୋଲି ଯେତେବେଳେ  ସର୍ବସାଧାରଣରେ ଜଣାପଡ଼ିଗଲା, ଜଣେ ସତର୍କ ନାଗରିକ  ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ  ଠୁଙ୍କିଦେଲେ । ଏହାର ପରିଣାମ ସ୍ୱରୂପ ସୋନିଆଙ୍କ ନାମ  ପରିଶେଷରେ ୧୯୮୨ରେ ଭୋଟର ତାଲିକାରୁ ହଟାଇ  ଦିଆଗଲା । ସୋନିଆ ଗାନ୍ଧୀଙ୍କୁ ନେଇ ଏମିତି କାଣ୍ଡକାରଖାନା  ସତ୍ତେ୍ୱ, ଯିଏକି ଦୀର୍ଘ ବର୍ଷ ଧରି କଂଗ୍ରେସର ସଭାପତି ପଦ  ମଣ୍ଡନ କରିଥିଲେ ତାଙ୍କରି ଦଳ କଂଗ୍ରେସ ଏବେ କହୁଛି,  ଭୋଟ ଦେବାର ଅଧିକାର ଯୋଗ୍ୟତା ବାଛିବା ଭୋଟର  ତାଲିକାରେ ସଂଶୋଧନର କୌଣସି ଆବଶ୍ୟକତା ନାହିଁ । 

ଲୋକସଭାର ବିରୋଧୀ ଦଳ ନେତା ରାହୁଲ  ଗାନ୍ଧୀ ଇତିମଧ୍ୟରେ ନିର୍ବାଚନ କମିଶନଙ୍କୁ ବିଜେପି  ପାଇଁ କାମ ନକରି ‘ଆଇନ ମୁତାବକ କାମ’ କରିବାକୁ  ଆହ୍ୱାନ ଦେଇଛନ୍ତି । ଆମେ ବି କହୁଛୁ ଏହାହିଁ ନିର୍ବାଚନ  କମିଶନ କରିବା ଉଚିତ । ନିର୍ବାଚନ କମିଶନଙ୍କୁ  ‘ନିରୀକ୍ଷଣ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ’ କରିବାର କ୍ଷମତା  ସମ୍ବିଧାନ ଦେଇଛି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ସମ୍ବିଧାନର ଅନୁଚ୍ଛେଦ-୩୨୬ ସହିତ ନିର୍ବାଚନ ଆଇନ  ଅତି ସ୍ପଷ୍ଟଭାବେ ଗୁରୁତ୍ୱାରୋପ କରିଛନ୍ତି- କେବଳ  ଭାରତୀୟ ନାଗରିକ ହିଁ ଯୋଗ୍ୟ ଭୋଟଦାତା ବିବେଚିତ  ହୋଇପାରିବେ । ନିର୍ବାଚନ କମିଶନଙ୍କ କର୍ତ୍ତବ୍ୟ ହେଲା  ଏହି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ  ଲାଗୁ କରିବା । ଭୋଟର ତାଲିକାରେ ଅଣ-ନାଗରିକଙ୍କୁ ନିର୍ବାଚନ କମିଶନ କସ୍ମିନକାଳେ ଗଳିପଶି ସ୍ଥାନ ନେବାକୁ  ସୁଯୋଗ ଦେଇପାରିବେ ନାହିଁ ।