ନୂଆଦିଲ୍ଲୀ: ଆଟାକ୍‌ (ଆକ୍ରମଣ) ଡ୍ରୋନ୍‌ ନିର୍ମାଣ ତ୍ବରାନ୍ବିତ କରିବାକୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଋଷ ସହ ଉତ୍ତର କୋରିଆର ସାମରିକ ଭାଗିଦାରୀ ବଢ଼ିଥିବା ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ମଧ୍ୟରେ କିମଙ୍କ ଏଭଳି ନିର୍ଦ୍ଦେଶ ପୁଣି ଥରେ ଚିନ୍ତା ବଢ଼ାଇଛି । ପୋଙ୍ଗୟାଙ୍ଗରେ ଥିବା ଏରିୟଲ ଟେକନୋଲୋଜି କଂପ୍ଲେକ୍ସରେ କିମ୍‌ ଜଙ୍ଗ ଉନ ବିଭିନ୍ନ ପ୍ରକାରର ଡ୍ରୋନ୍‌ ଦେଖିଥିବା ନେଇ ସରକାରୀ ଗଣମାଧ୍ୟମ କେସିଏନଏରେ ଖବର ପ୍ରକାଶ ପାଇଛି । 

 ଏସବୁ ମାନବ ରହିତ ଡ୍ରୋନ୍‌ ଉଭୟ ସ୍ଥଳ ଏବଂ ଜଳରେ ଥିବା ଶତ୍ରୁଙ୍କୁ ଟାର୍ଗେଟ କରିବାର କ୍ଷମତା ରଖିଛି । ଗାଇଡେଡ୍‌ ମିସାଇଲ ଭଳି ଏସବୁ ଡ୍ରୋନ୍‌ କାର୍ଯ୍ୟ କରିପାରିବ । ଲଗାତାର ଡ୍ରୋନ୍‌ ନିର୍ମାଣ କାର୍ଯ୍ୟ ଜାରି ରଖିବା ସହ ଆଗକୁ ପୂର୍ଣ୍ଣ କ୍ଷମତାରେ ଡ୍ରୋନ୍‌ ନିର୍ମାଣ କରିବାକୁ କିମ୍‌ ଜଙ୍ଗ ଉନ୍‌ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ବର୍ତ୍ତମାନ ପରିସ୍ଥିତିରେ କେଉଁ ଭଳି ଡ୍ରୋନ୍‌ର କାର୍ଯ୍ୟଦକ୍ଷତା ଅଧିକ ସେନେଇ ସବିଶେଷ ତଥ୍ୟ ପଚାରି ବୁଛିଛନ୍ତି କିମ୍‌ ।

 ଗତ ଅଗଷ୍ଟରେ ଉତ୍ତର କୋରିଆ ନିଜର ପ୍ରଥମ ସୁଇସାଇଡ୍‌ ଡ୍ରୋନକୁ ସାର୍ବଜନୀନ ଭାବରେ ପ୍ରଦର୍ଶନ କରିଥିଲା । ଋଷ ସହ ଉତ୍ତର କୋରିଆର ସାମରିକ ଭାଗିଦାରୀକୁ ଏହା ଗତି ଦେବ ବୋଲି ପୋଙ୍ଗୟାଙ୍ଗର ଅଧିକାରୀମାନେ ଆଶା ପ୍ରକାଶ କରିଥିଲେ । ଉତ୍ତର କୋରିଆର ସୁଇସାଇଡ ଡ୍ରୋନ୍‌ ଶସ୍ତା ହୋଇଥିବା ବେଳେ ଯୁଦ୍ଧ ସମୟରେ ଏହା ଟ୍ୟାଙ୍କ ଏବଂ ଅନ୍ୟ ଯୁଦ୍ଧାସ୍ତ୍ରକୁ ଅତି ସହଜରେ ଟାର୍ଗେଟ କରିପାରିବ । ଏହି ଡ୍ରୋନ୍‌ ଏବେ ୟୁକ୍ରେନ୍‌‌ ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟ ବ୍ୟବହାର ହେଉଛି ।