ଜୀବନସାଥୀ ସହ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ମାନସିକ ଉତ୍ପୀଡ଼ନ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ,୨୬/୦୫: ଜଣେ ବ୍ୟକ୍ତିଙ୍କ ଛାଡପତ୍ର ପିଟିସନ ଉପରେ ଶୁଣାଣି କରିବା ଅବସରରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ବିନା କାରଣରେ ସ୍ୱାମୀ କିମ୍ବା ସ୍ତ୍ରୀ ପରସ୍ପରଠାରୁ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ହେଉଛି ମାନସିକ ଉତ୍ପୀଡନ ବା ନିଷ୍ଠୁରତା । ଏହାକୁ ଆଧାର କରି ଜଣେ ଅନ୍ୟ ଜଣଙ୍କୁ ଛାଡପତ୍ର ଦେଇପାରିବେ ।
ହାଇକୋର୍ଟର ବିଚାରପତି ସୁନିତ କୁମାର ଓ ରାଜେନ୍ଦ୍ର କୁମାର (୪)ଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ସ୍ୱାମୀଙ୍କ ପକ୍ଷରୁ ହିନ୍ଦୁ ବିବାହ ଆଇନ ୧୯୫୫ର ଧାରା ୧୩ ଅଧୀନରେ ଅଣାଯାଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିବା ପରିବାର ଅଦାଲତର ରାୟକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ ଏହି ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ସ୍ୱାମୀ ପରିବାର ଅଦାଲତରେ ଯେଉଁସବୁ ଦସ୍ତାବିଜ ଦାଖଲ କରିଥିଲେ ପ୍ରକୃତ ଦସ୍ତାବିଜ ନଥିଲା କେବଳ ତାହା ଫଟୋକପି ଥିଲା । ତା’ଛଡା ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିବାର ପ୍ରମାଣ ମଧ୍ୟ ସ୍ୱାମୀ ଦେଇପାରି ନଥିଲେ । ଏହି କାରଣରୁ ବାରାଣସୀ ପରିବାର ଅଦାଲତର ବିଚାରପତି ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ତେବେ ପରିବାର ଅଦାଲତ ଆଦେଶକୁ ରଦ୍ଦ କରି ହାଇକୋର୍ଟ କହିଛନ୍ତି ରେକର୍ଡରୁ ଜଣାପଡୁଛି କି ଉଭୟେ ସ୍ୱାମୀ ଓ ସ୍ତ୍ରୀ ବହୁଦିନ ହେଲା ପରସ୍ପର ଠାରୁ ଅଲଗା ରହୁଛନ୍ତି । ପତ୍ନୀ ବୈବାହିକ ବନ୍ଧନକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ସ୍ୱାମୀଙ୍କ ବାରମ୍ବାର ପ୍ରୟାସ ସତ୍ତେ୍ୱ ପାରିବାରିକ ଓ ଦାମ୍ପତ୍ୟ ଦାୟିତ୍ୱ ନିର୍ବାହ କରିବା ଲାଗି ସ୍ତ୍ରୀ ମନା କରିଦେଇଛନ୍ତି । ଯାହାକି ସେମାନଙ୍କ ବୈବାହିକ ଜୀବନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଏଭଳି କ୍ଷେତ୍ରରେ ସ୍ୱାମୀଙ୍କ ଛାଡପତ୍ର ଆବେଦନ ଗ୍ରହଣଯୋଗ୍ୟ ବୋଲି ହାଇକୋର୍ଟ କହିବା ସହିତ ତାଙ୍କୁ ଛାଡପତ୍ର ଲାଗି ଅନୁମତି ପ୍ରଦାନ କରିଛନ୍ତି ।
ସ୍ୱାମୀ କରିଥିବା ଅଭିଯୋଗ ଅନୁସାରେ ସେମାନଙ୍କ ବିବାହ ୧୯୭୯ରେ ହୋଇଥିଲା । ବିବାହର କିଛି ଦିନ ପରେ ସ୍ତ୍ରୀଙ୍କ ଆଚରଣ ଓ ବ୍ୟବହାର ବଦଳି ଯାଇଥିଲା । ସ୍ୱାମୀଙ୍କ ସହ ରହିବାକୁ କିମ୍ବା ଶାରୀରିକ ସମ୍ପର୍କ ରଖିବାକୁ ସେ ମନା କରିଥିଲେ । ଏଭଳି ଭାବେ ୬ ମାସ ବିତିବା ପରେ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ନିଜ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ । ଶ୍ୱଶୁର ଘରକୁ ଯାଇ ସ୍ତ୍ରୀଙ୍କୁ ବୁଝାଇ ଆଣିବା ଲାଗି ସ୍ୱାମୀ ଲଗାତାର ଭାବେ ପ୍ରୟାସ କରି ବିଫଳ ହୋଇଥିଲେ । ଶେଷରେ ପଞ୍ଚାୟତ ବସି ଉଭୟଙ୍କ ଛାଡପତ୍ର ହୋଇଥିଲା ଏବଂ ସ୍ୱାମୀ ଭରଣପୋଷଣ ଲାଗି ୨୨ ହଜାର ଟଙ୍କା ଦେଇଥିଲେ । ପରେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଆଇନଗତ ଭାବେ ସେମାନଙ୍କ ଛାଡପତ୍ର ହୋଇନଥିବାରୁ ପତ୍ନୀଙ୍କ ବିରୋଧରେ ମାନସିକ ଉତ୍ପୀଡନ ଅଭିଯୋଗ ଆଣି ସ୍ୱାମୀ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପରିବାର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିବାରୁ ସେ ହାଇକୋର୍ଟ ଆସିଥିଲେ ।