ନୂଆପଡ଼ା ୦୬/୧୧ (ସ୍ମୃତିରଞ୍ଜନ ବିଶ୍ୱାଳ) : ନୂଆପଡାରେ ସାମାନ୍ୟ ଶୀତ ଅନୁଭୂତ ହେଲାଣି । କିନ୍ତୁ ରାଜନୀତିର ତାତି ଆଗରେ ଏହା ଉଭେଇ ଯାଉଛି । ଦିନ ଯେତିକି ପାଖଉଛି  ରାଜନୈତିକ ଦଳର ଭୋଟ୍‌ ଅଙ୍କ ସେତିକି  ଅଡୁଆ ହେଉଛି ।  କାହାକୁ ଖୋଲା ସମର୍ଥନ କରୁନଥିବା  ନିରବ ଭୋଟର ସବୁ ଦଳର ମୁଣ୍ଡବିନ୍ଧା  ବଢାଇଲେଣି । ନୂଆପଡା ବ୍ଲକ୍‌ର ଟାନୱାଟ ପଞ୍ଚାୟତ ହେଉ ବା ଗଡଫୁଲା, ଲଖନା ବା କୋମନାର କୁରେଶ୍ୱର, ଘାଟିଆପଡା ଓ ଏନ୍‌ଏସି  ଭୋଟର । ଏହି ନିରବ ଭୋଟରଙ୍କ ମୁଡ୍‌ କୁଆଡେ  ଯିବ ତାହା ସମସ୍ତଙ୍କ ଆକଳନ ବାହାରେ ।  

କୋମନା ବ୍ଲକ୍‌ର ଘାଟିଆପଡା ଗାଁ । ଗାଁର  ଅଧିକାଂଶ ଲୋକ ତେଲି ଓ ଯାଦବ ସମାଜର ।  କିଛି ମାଝି ବା ଆଦିବାସୀ ସଂପ୍ରଦାୟର  ଲୋକ ବି ଅଛନ୍ତି । ଗତଥର ନିର୍ବାଚନରେ  ଗାଁର ମୁଖିଆ ବୈଠକ ଡାକି ଜଣଙ୍କୁ ଭୋଟ୍‌  ଦେବାକୁ ମନାଇଥିଲେ । କିନ୍ତୁ ଏଥର ଗାଁର  ଭୋଟ୍‌ ଚିତ୍ର ପୂରା ଅଲଗା । ମୁଖିଆଙ୍କ କଥା  ଶୁଣିବା ମୁଡ୍‌ରେ କେହି ନାହାନ୍ତି । ୫୦ଟି ଘର  ଆଦିବାସୀ ସଂପ୍ରଦାୟର ହୋଇଥିବାବେଳେ  ସେମାନେ ବି ଭୋଟ୍‌କୁ ନେଇ ଭିନ୍ନ ଭିନ୍ନ ମତ  ଦେଉଛନ୍ତି । ଗାଁର ଜାନକୀ ସାହୁ କହିଛନ୍ତିଗତଥର ମୁଖିଆ ଆମକୁ ଡାକି ବୈଠକ  କଲା । ଅମୁକ ଚିହ୍ନରେ ଭୋଟ୍‌ ଦେଲେ  ଆମକୁ ସବୁ ସୁବିଧା ମିଳିବ ବୋଲି କହିଲା ।  କିନ୍ତୁ ଭୋଟ୍‌ ପରେ କାହାର ଦେଖା ମିଳିଲାନି ।  ଏଥର ଆମେ କାହାର କଥା ଶୁଣିବୁନି । ଯିଏ  ଠିକ୍‌ ଲାଗୁଛି ତାକୁ ହିଁ ଭୋଟ୍‌ ଦେବୁ ।

କୋମନା ବ୍ଲକ୍‌ ମାନିପୁର ଓ ଜଟଗଡ  ପଞ୍ଚାୟତରେ ବି ଭୋଟରଙ୍କ ଆଭିମୁଖ୍ୟ  ବାହାରକୁ କିଛି ବୁଝାପଡୁନି । ନିର୍ବାଚନ  ପ୍ରଚାରରେ ଦଳେ ସାମିଲ ହେଉଛନ୍ତି ସତକିନ୍ତୁ ଭୋଟ୍‌ କାହାକୁ ଦେବେ ପଚାରିଲେ  ନିରବ ରହୁଛନ୍ତି । ଅନେକ ଲୋକ ଅଛନ୍ତି  ଯେଉଁ ଦଳ ଆସିଲେ ବି ପ୍ରଚାରକୁ ଯାଉଛନ୍ତି ।  ପଦଯାତ୍ରାରେ ସାମିଲ ହେଉଛନ୍ତି । ପତାକା  ଧରି ଜିନ୍ଦାବାଦ ପକାଉଛନ୍ତି । ପିଙ୍କି ରଣା  ନାମକ ଜଣେ ମହିଳା କହିଛନ୍ତି, ଗାଁରେ  ଭୋଜିଭାତ ହେଉଛି । ସଭାକୁ ନ ଆସି କଣ  ଘରେ ଏକଲା ରହିବି । ନେତାଙ୍କର କଣ ଅଛିସେମାନେ ସ୍ୱାର୍ଥ ପାଇଁ ସବୁ କରୁଛନ୍ତି । ଆମେ  କାହା କଥାରେ ଭଳି ଯିବୁନି । ଯିଏ ଆମ କଥା  ଶୁଣିଛି, ଆମକୁ ବ୍ଲକ୍‌ ଅଫିସ୍‌ ନେଇ କରି  ଯାଇଛି, ଆମ ରାସନ କାର୍ଡ ବେଳେ ସୁବିଧା  କରିଛି ତାକୁ ଏକା ଭୋଟ୍‌ ଦେବୁ ।

କୋମନାର ଅଧିକାଂଶ ଗାଁରେ ବିଜେପି ଓ ବିଜେଡି  ଭିତରେ ସିଧା ମୁକାବିଲା ହେଉଥିବା ଲୋକଙ୍କ  କଥାରୁ ବୁଝା ପଡୁଥିଲା ।   ସେହିଭଳି ଖରିଆର  ରୋଡ୍‌ ଏନ୍‌ଏସି ମୁଣ୍ଡାଗାଁର ୨ନଂ ୱାର୍ଡରେ ପ୍ରାୟ  ୧୦୦ ଆଦିବାସୀ ପରିବାର ରହୁଛନ୍ତି । ଅଧିକାଂଶ  ଲୋକ କହିଛନ୍ତି, ଗତଥର ଜାତି ସମାଜ କଥା  ମାନି ଭୋଟ୍‌ ଦେଇଥିଲୁ । ସବୁଥର ସେମିତି  କରୁଛୁ । କିନ୍ତୁ ଏଥର ଆମ ଇଚ୍ଛାରେ ଭୋଟ୍‌  ଦେବୁ । ଖାଲି ମୁଣ୍ଡାଗାଁ ନୁହେଁ, ନୂଆପଡା ବ୍ଲକ୍‌ର  ଲଖନା, ଗଡଫୁଲା, ତିଲେଇଝର, ଜାମଦରହା  ଭଳି ଆଦିବାସୀବହୁଳ ଗାଁରେ ଏଥର ଭୋଟ୍‌  ଫାଳ ଫାଳ ହୋଇଯିବା ଭଳି ମନେ ହେଉଛି ।  ପୂର୍ବରୁ ଏହି ଭୋଟ୍‌କୁ ନେତାମାନେ ଧ୍ରୁବୀକରଣ  କରୁଥିଲେ । କିନ୍ତୁ ଏଥର ଲୋକେ ଅଲଗା ଅଲଗା  ଦଳକୁ ପସନ୍ଦ କରୁଥିବା ବାରି ହୋଇପଡୁଛି ।  ଖୋଲାଖୋଲି କାହାକୁ ଭୋଟ୍‌ ଦେବେ ନ କହିଲେ  ବି ଜାତି ଆଧାରରେ ଭୋଟ୍‌ ଦେବୁନି ବୋଲି ସିଧା  କହୁଛନ୍ତି । ଗଡଫୁଲା ଗାଁର ନନ୍ଦ କୁମାର ମାଝି  କହିଛନ୍ତି, ଆମ ଗାଁରେ ଆଦିବାସୀ ଓ ହରିଜନ  ମିଶାଇ ୮୦୦ ଲୋକ ଅଛନ୍ତି । ଗତଥର ସ୍ୱାଧୀନ  ପ୍ରାର୍ଥୀଙ୍କୁ ଦେଇଥିଲୁ । କିନ୍ତୁ ଏଥର ଯିଏ ଆମ କଥା  ଶୁଣିବ, କାମ କରିବ ତାକୁ ବିଚାର କରି ଭୋଟ୍‌  ଦେବୁ । ଆଉ କୋଉ ମୁଖିଆ କି ନେତା କଥା  ଶୁଣିବୁନି । ତିଳେଇଝରର ଦାନ ମାଝି କହିଛନ୍ତିବାହାରିଆ ଲୋକଙ୍କୁ ଭୋଟ୍‌ ଦେବୁନି । ଯାହାକୁ ରାତି  ପାହିଲେ ପାଖରେ ପାଇବୁ ତାକୁ ଭୋଟ୍‌ ଦେବୁ ।  ସୁଖଦୁଃଖରେ ଆମେ ତା ପାଖକୁ ଯାଇପାରିବୁ ।  ବାହାର ଲୋକ ହେଲେ ଆମେ ତାକୁ ଖୋଜୁଥିବୁ । 

ନୂଆପଡା ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ  ବିଜେପି ଓ ବିଜେଡି ସହ କଂଗ୍ରେସ ମଧ୍ୟ ରେସ୍‌ରେ  ଥିବା ବାରି ହୋଇ ପଡୁଥିଲା । କିଛି ଲୋକେ  କହୁଥିଲେ, ସବୁ ଦଳ ଭଲ । ଶେଷ ବେଳକୁ ଯିଏ  ଭଲ ଲାଗିବ, ତାକୁ ଆମେ ଭୋଟ୍‌ ପିଟିବୁ ।

ନବୀନଙ୍କ ପ୍ରଚାର ପରେ ବହୁ ଜାଗାରେ  ବିଜେଡିର ସ୍ଥିତି ଭଲ ଅଛି । କିନ୍ତୁ ତୃଣମୂଳସ୍ତରରେ  ଦଳୀୟ ଅସନ୍ତୋଷ ନେତାଙ୍କ ପାଇଁ ଚିନ୍ତାର କାରଣ  ପାଲଟିଛି । ଭୋଟ୍‌ ପ୍ରଚାରର ଶେଷ ଦୁଇ ଦିନ  ଓ ସାଇଲେନ୍ସ ପିରିଅଡ୍‌ରେ ତଳସ୍ତରରେ ସବୁ  କଥା ବୁଝୁଥିବା ନେତାଙ୍କ ଭୂମିକା କଣ ରହିବସେମାନେ ଠିକ୍‌ରେ ଦାୟିତ୍ୱ ତୁଲାଇବେ ତଅନ୍ୟ ଦଳର ଲୋଭନୀୟ ପ୍ରସ୍ତାବରେ ପ୍ରଭାବିତ  ହୋଇଯିବେନି ତ? ଟିକେଟ୍‌ ପାଇନଥିବା ନେତା  ଗୁପ୍ତରେ ଦଳର କ୍ଷତି କରିବେ କି ନା? ବିଜେଡିକୁ  ଏଭଳି ଚିନ୍ତା ଘାରିଛି । ଶେଷ ଆଡକୁ ନିର୍ବାଚନ  ପରିଚାଳନା ଅଧିକ ଗୁରୁତ୍ୱ ବହନ କରେ । ବିଜେଡି  ଏହାକୁ କିଭଳି ନିଜ ନିୟନ୍ତ୍ରଣରେ ରଖିବ ସେ ନେଇ  ବରିଷ୍ଠ ନେତାମାନେ ଆଶଙ୍କା ଭିତରେ ଅଛନ୍ତି।