ନୂଆଦିଲ୍ଲୀ, ୩୦।୧: ଦେଶ ସାମ୍ନାରେ ଏବେ ବଡ଼ ଆହ୍ୱାନ ଭାବେ ଛିଡ଼ା ହେଲାଣି ମେଦବହୁଳତା, ମଧୁମେହ ଏବଂ ଡିଜିଟାଲ ନିଶା । ଏହି ସମସ୍ୟାକୁ ଦୂର ନ କଲେ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୨୫-୨୬ରେ ଏହାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି । ସଂକ୍ରାମକ ରୋଗ ନିରାକରଣରେ ଭାରତ ଆଖିଦୃଶିଆ ସଫଳତା ହାସଲ କରିଛି । କିନ୍ତୁ ଜୀବନଶୈଳୀ, ଖାଦ୍ୟପେୟ, ସହରୀକରଣ ଏବଂ ପରିବର୍ତ୍ତିତ ସାମାଜିକ ଢାଞ୍ଚା ଯୋଗୁ ଏବେ ଅଣ-ସଂକ୍ରାମକ ରୋଗ(ଏନ୍ସିଡି)ର ଭୟାବହତା ବୃଦ୍ଧି ପାଇଛି । ଭାରତରେ ମେଦବହୁଳତା, ମଧୁମେହ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅଣ-ସଂକ୍ରାମକ ରୋଗୀଙ୍କ ସଂଖ୍ୟା ଭୟଙ୍କର ମାତ୍ରାରେ ବଢ଼ିଚାଲିଛି । ଏଥିସହିତ ପରିବାରଗୁଡ଼ିକ ଏବଂ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଖର୍ଚ୍ଚ ବଢ଼ିଚାଲିଛି । ଅନ୍ୟପକ୍ଷରେ ଯୁବପିଢ଼ିଙ୍କ ମଧ୍ୟରେ ଡିଜିଟାଲ ନିଶା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭଳି ନୂଆ ବିପଦକୁ ନେଇ ସର୍ଭେ ରିପୋର୍ଟରେ ସତର୍କ କରାଯାଇଛି । ନିଷ୍କ୍ରିୟ ଜୀବନଶୈଳୀ ଏବଂ ଦୀର୍ଘଦିନ ଧରି ଚାପଗ୍ରସ୍ତ ରହିବା ଦ୍ୱାରା ଏସବୁ ରୋଗ ହୋଇଥାଏ । ଦେଶର ସ୍ୱାସ୍ଥ୍ୟ ନୀତି ଆଲୋଚନାରେ ଏକ ନୂଆ ମୋଡ଼ ଆଣିଛି ଏହି ରିପୋର୍ଟ । ପ୍ରଥମ ଥର ପାଇଁ ଅର୍ଥନୈତିକ ସର୍ଭେ ଆଚରଣଗତ ଏବଂ ଜୀବନଶୈଳୀ ସୂଚକାଙ୍କଗୁଡ଼ିକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ଥାନିତ କରିଛି । ଏହା ସୂଚାଉଛି ଯେ, ଦୀର୍ଘକାଳୀନ ଉତ୍ପାଦକତା ଏବଂ ଅନ୍ତର୍ଭୁକ୍ତୀମୂଳକ ଅଭିବୃଦ୍ଧି ଦେଶର ସ୍ୱାସ୍ଥ୍ୟଗତ ଫଳାଫଳ ସହିତ ଘନିଷ୍ଠ ଭାବେ ଜଡ଼ିତ ।
ମେଦବହୁଳତା: ଏକ ବର୍ଦ୍ଧିତ ସ୍ୱାସ୍ଥ୍ୟ ସଂକଟ
ଆଜି ଦେଶବାସୀ ଯାହା ଖାଉଛନ୍ତି ତାହା ଆସନ୍ତାକାଲି ଅର୍ଥନୀତିର ଆକାର ବଦଳାଇଦେବ । ଅର୍ଥନୀତି ଉପରେ ଆର୍ଥିକ ବୋଝ ବଢ଼ାଇବ ମେଦବହୁଳତା । ପରିବାର ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଖର୍ଚ୍ଚ ବଢ଼ିବ । ଦେଶର ପ୍ରାୟ ସମସ୍ତ ବୟସ ବର୍ଗରେ ମେଦବହୁଳତା ଭୟଙ୍କର ଭାବେ ବୃଦ୍ଧି ପାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅସୁସ୍ଥକର ଖାଦ୍ୟ, ଅତ୍ୟଧିକ ପ୍ରକ୍ରିୟାକରଣ ଖାଦ୍ୟ ଏବଂ ପରିବର୍ତ୍ତତ ଜୀବନଶୈଳୀ ଯୋଗୁ ଏଭଳି ସ୍ଥିତି ଉପୁଜିଛି ।
-୧୫ରୁ ୪୯ ବୟସ ବର୍ଗରେ ୨୪% ଭାରତୀୟ ମହିଳା ଏବଂ ୨୩% ପୁରୁଷ ମେଦବହୁଳତାର ଶିକାର ।
-୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ପୃଥୁଳତା ହାର ୨୦୧୫-୧୬ରେ ୨.୧% ଥିବାବେଳେ ୨୦୨୦-୨୧ରେ ୩.୪%କୁ ବୃଦ୍ଧି ପାଇଛି ।
-୨୦୨୦ରେ ଦେଶରେ ୩.୩ କୋଟିରୁ ଅଧିକ ଶିଶୁ ମେଦବହୁଳ ଥିଲେ । ଯଦି ଏ ଧାରା ଜାରି ରୁହେ ତେବେ ୨୦୩୫ ସୁଦ୍ଧା ଏହା ୮.୩ କୋଟିକୁ ବଢ଼ିବ ।
ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଧାରା ଦେଖିବାକୁ ମିଳୁଛି । ଅସୁସ୍ଥକର ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମ ଅଭାବ ଏହାର କାରଣ । କମ୍ ବୟସରେ ମେଦବହୁଳତା ଯୋଗୁ ଭବିଷ୍ୟତରେ ମଧୁମେହ, ହୃଦ୍ରୋଗ ଏବଂ ଯକୃତ ରୋଗ ଦେଖିବାକୁ ମିଳିଥାଏ ।
ଦେଶରେ ପ୍ରତି ୪ରେ ଜଣେ ମଧୁମେହ ରୋଗୀ
ଦେଶରେ ପ୍ରତି ୪ରେ ଜଣେ ହେଉଛନ୍ତି ମଧୁମେହ ରୋଗୀ । ସହରାଞ୍ଚଳରେ ଏ ସଂଖ୍ୟା ଅଧିକ ବେଗରେ ବଢୁଛି । ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ ଯୋଗୁ ଆଜିକାଲି ଅଧିକ ମୃତ୍ୟୁ ଘଟୁଛି । ତେବେ ଏସବୁ ରୋଗରେ ଅଧିକ ମାତ୍ରାରେ ମୃତ୍ୟୁବରଣ କରୁଛନ୍ତି ଯୁବପିଢ଼ି ।
ଅତ୍ୟଧିକ-ପ୍ରକ୍ରିୟାକରଣ ଖାଦ୍ୟର ଭୟାବହତା
ଭାରତର ଖାଦ୍ୟ ଶୈଳୀ ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି । ଅତ୍ୟଧିକ-ପ୍ରକ୍ରିୟାକରଣ ଖାଦ୍ୟ(ୟୁପିଏଫ୍)ର ଚାହିଦା କାହିଁରେ କ’ଣ । ୨୦୦୯ରୁ୨୦୨୩ ମଧ୍ୟରେ ୟୁପିଏଫ୍ର ଖୁଚୁରା ବିକ୍ରି ୧୫୦% ରୁ ଅଧିକ ବଢ଼ିଛି । ଫଳରେ ଏହା ଯୁବପିଢ଼ିଙ୍କ ମଧ୍ୟରେ ବଡ଼ ଆକାରରେ ମେଦବହୁଳତା ବଢ଼ାଇଛି । ଏସବୁ ଖାଦ୍ୟରେ ଅଧିକ ଫ୍ୟାଟ୍, ଚିନି ଏବଂ ଲୁଣ ରହିଥାଏ । ଫଳରେ ମେଦବହୁଳତା, ହୃଦରୋଗ, ମଧୁମେହ ଏବଂ ଅନ୍ୟାନ୍ୟ ହୃଦ୍ରୋଗ ଦେଖାଦିଏ । ପିଲାମାନଙ୍କ ମଧ୍ୟରେ ଏସବୁ ଖାଦ୍ୟ ପ୍ରତି ଚାହିଦା ଢେର ରହିଥାଏ । ତେଣୁ ଏହି ଖାଦ୍ୟକୁ ନେଇ ସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି ।
ଡିଜିଟାଲ ନିଶା ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା
ସ୍ମାର୍ଟଫୋନ, ଗେମିଂ ଏବଂ ସୋସିଆଲ ମିଡିଆର ପ୍ରସାର ଏକ ନୂଆ ସମସ୍ୟାକୁ ଡାକିଆଣିଛି । ଡିଜିଟାଲ ନିଶାରେ ଆଜିର ଯୁବପିଢ଼ି ଏବଂ ଛୋଟ ଛୋଟ ପିଲାମାନେ ପାଗଳ । ଡିଜିଟାଲ ନିଶା ଯୋଗୁ ଧ୍ୟାନ ହ୍ରାସ ପାଏ, ନିଦ୍ରା ଅଭାବ ଏବଂ ମାନସିକ ଚିନ୍ତାରେ ଘେରି ହୋଇଯାଆନ୍ତି ଯୁବପିଢ଼ି । ପିଲାମାନଙ୍କ ଶିକ୍ଷା ଏବଂ ଲୋକଙ୍କ କାର୍ଯ୍ୟ ପ୍ରଦର୍ଶନ କମିଥାଏ । ଏହି ସମସ୍ୟାର ସମାଧାନ ପାଇଁ ସ୍କୁଲଗୁଡ଼ିକରେ ସାଇବର-ସୁରକ୍ଷା ଶିକ୍ଷା, ସ୍କ୍ରିନ୍-ଟାଇମ୍ ମ୍ୟାନେଜ୍ମେଣ୍ଟ ଉପରେ ଅଭିଭାବକଙ୍କୁ ତାଲିମ ଏବଂ ଡିଜିଟାଲ ଗ୍ୟାଜେଟ୍ଗୁଡ଼ିକର ସୀମିତ ବ୍ୟବହାର ଲାଗି ସରକାରୀ ହସ୍ତକ୍ଷେପ ଲୋଡ଼ା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଆହୁରି ପଢ଼ନ୍ତୁ... ୧୦ ମିନିଟ୍ରେ ସଫା ହୋଇଯିବ କାଠ ବାସନ,ଜାଣନ୍ତୁ କିପରି...