ବୌଦ୍ଧ, ୧୧।୭: ବୌଦ୍ଧ ଜିଲ୍ଲା ବାଉଁଶୁଣି ବଜାର ଅଞ୍ଚଳରେ ଅଭାବନୀୟ ଘଟଣା । ଦୁଇ ଜଣ ମଦ୍ୟପ ବାଇକ୍ ଆରୋହୀଙ୍କ ଉନ୍ମକ୍ତ କାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଥମେ ବାଇକ୍ ଦୁର୍ଘଟଣା ଏବଂ ପରେ ରାଜରାସ୍ତାରେ ରକ୍ତପାତ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଯୋଗୁଁ ପ୍ରାୟ ୬ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଋଷିବନ୍ଧ ଗ୍ରାମର ହିର ମଲ୍ଲିକ ନାମକ ଜଣେ ଯୁବକ ବାଉଁଶୁଣି ପଟୁ ଗୋଛାପଡ଼ା ଆଡ଼କୁ ବାଇକ୍ ଯୋଗେ ଯାଉଥିଲେ । ମଙ୍ଗଲମୁଣ୍ଡା ନିକଟରେ ସାମ୍ନାରୁ ଆସୁଥିବା ଭକ୍ତରାମ ମେହେରଙ୍କ ଝିଆରୀଙ୍କୁ ତାଙ୍କ ବାଇକଟି ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଇକ୍ ଆରୋହୀଙ୍କୁ ଅଟକାଇ ପଚରାଉଚରା କରିଥିଲେ ।

ଏହା ବି ପଢ଼ନ୍ତୁ... IPS resignation : ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଯୁବ IPSଙ୍କ ଇସ୍ତଫା, ଚାକିରିରେ ଯୋଗ ନଦେଉଣୁ ପଠାଇଲେ ଇସ୍ତଫା ପତ୍ର

ରାସ୍ତାରେ ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ, ବାଇକରେ ଥିବା ଦୁଇ ଜଣ ମଦ୍ୟପ ଯୁବକ ହଠାତ୍ ଏକ ଧାରୁଆ ଭୁଜାଲିରେ ଲୋକଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବାକୁ ଲାଗିଲେ । ଭୁଜାଲି ମାଡ଼ରେ ୬ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଏହି ଘଟଣାରେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ବାଉଁଶୁଣି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ଦୁଇ ମଦ୍ୟପ ଯୁବକଙ୍କୁ କାବୁ କରିଛି । ସେମାନଙ୍କ ବାଇକ୍ ଓ ବ୍ୟବହୃତ ଭୁଜାଲିକୁ ପୁଲିସ ଜବତ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ରାଜରାସ୍ତାରେ ଦିନଦ୍ଵିପ୍ରହରେ ଏଭଳି ଗୁଣ୍ଡାଗର୍ଦ୍ଦିକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।