ଭୁବନେଶ୍ଵର, ୧୦/୦୪ : ବାୟୁ ତାପମାତ୍ରା ସର୍ବଦା ଖବରର ଶିରୋନାମା ହୋଇଛି । କିନ୍ତୁ ପୃଥିବୀର ଅଧିକାଂଶ ଅତିରିକ୍ତ ଉତ୍ତାପ ଅନ୍ୟତ୍ର ଜମାହୁଏ ମହାସାଗରରେ । ସେଠାରେ ଉତ୍ତାପ ଦୀର୍ଘ ଦଶନ୍ଧି ଧରି ରହିପାରେ ଏବଂ ସମୁଦ୍ର ସ୍ତର, ଚରମ ଜଳବାୟୁ ଏବଂ ସାମୁଦ୍ରିକ ପରିସଂସ୍ଥାନରେ ବ୍ୟାପକ ପରିବର୍ତ୍ତନ କରିପାରେ । ତେବେ ମହାସାଗର କେତେ ଶକ୍ତି ଅବଶୋଷଣ କରୁଛି, ଏକ ନୂଆ ଅନ୍ତର୍ଜାତୀୟ ବିଶ୍ଳେଷଣ ତାହା ଦର୍ଶାଇଛି ।
ଆଧୁନିକ ମାପ ଆରମ୍ଭ ହେବା ପରଠୁ ପୂର୍ବର ସମସ୍ତ ବର୍ଷ ତୁଳନାରେ ୨୦୨୫ରେ ବିଶ୍ୱର ମହାସାଗରଗୁଡ଼ିକରେ ଅଧିକ ଉତ୍ତାପ ଗଚ୍ଛିତ ହୋଇଥିଲା । ଏହା ଦୀର୍ଘ ସମୟ ଧରି ବୃଦ୍ଧିର ଧାରାକୁ ଜାରି ରଖିଛି, ଯାହା ପୃଥିବୀ କେତେ ମାତ୍ରାରେ ଗରମ ହେଉଛି ତାହା ଦର୍ଶାଉଛି । ଏକାଧିକ ସ୍ୱାଧୀନ ତଥ୍ୟ ଏବଂ ୫୦ରୁ ଅଧିକ ବୈଜ୍ଞାନିକଙ୍କ ଯୋଗଦାନ ଜରିଆରେ ଆକଳନ କରାଯାଇଛି, ୨୦୨୫ରେ ମହାସାଗରରେ ପ୍ରାୟ ୨୩ ଜେଟାଜୁଲ ଉତ୍ତାପ ଗଚ୍ଛିତ ହୋଇଛି । ଏହା ଶକ୍ତିର ଏକ ପରିମାଣ ଯାହାକୁ ଦୀର୍ଘ ଦଶନ୍ଧି ଧରି ବୈଶ୍ୱିକ ମାନବ ଶକ୍ତି ଉପଯୋଗ ସହ ତୁଳନା କରାଯାଇପାରେ । ସମୁଦ୍ର ସ୍ତର କାହିଁକି ବୃଦ୍ଧି ହେଉଛି, ଝଡ଼ ଅଧିକ ତୀବ୍ର କାହିଁକି ହେଉଛି ଏବଂ ଜଳବାୟୁ ପ୍ରଭାବକୁ ଅଣଦେଖା କରିବା କାହିଁକି ଏତେ ଜଟିଳ ହେଉଛି... ଏହି ଲୁକ୍କାୟିତ ଉତ୍ତାପ ଏସବୁ ବୁଝିବାରେ ସାହାଯ୍ୟ କରେ । ଏହି ତଥ୍ୟରୁ ବୈଜ୍ଞାନିକମାନେ ଆକଳନ କରିଛନ୍ତି, ଚଳିତ ବର୍ଷ ମହାସାଗର ତାପମାତ୍ରା ସବୁ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିବ । ଅର୍ଥାତ୍ ପୂର୍ବ ବର୍ଷର ରେକର୍ଡ ଭାଙ୍ଗିବ । ସମୁଦ୍ର ସ୍ତର ବୃଦ୍ଧି ସହିତ ଚରମ ଜଳବାୟୁ ସ୍ଥିତିର ସମ୍ମୁଖୀନ ହେବ ବିଶ୍ୱ ।
ଜଳବାୟୁ ପ୍ୟାଟର୍ନର ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଗ୍ରୀନ୍ହାଉସ୍ ଗ୍ୟାସ୍ ଦ୍ୱାରା ଫସି ରହିଥିବା ୯୦ ପ୍ରତିଶତରୁ ଅଧିକ ଅତିରିକ୍ତ ଉତ୍ତାପକୁ ମହାସାଗର ଅବଶୋଷଣ କରେ । ଏହା ଗ୍ରହର ଉତ୍ତାପ ବର୍ହିଖାନା ରୂପେ କାମ କରେ । ବାୟୁ ତାପମାତ୍ରା ବର୍ଷ ବର୍ଷ ଧରି ଉପର-ତଳ ହୋଇପାରେ । ଏଲ୍ ନିନୋ ଏହାକୁ ଉଠାଇପାରେ । ଲା ନିନା ତଳକୁ ଖସାଇପାରେ । କିନ୍ତୁ ମହାସାଗରର ଉଷ୍ଣ ମାତ୍ରା କମ୍ ଅସ୍ଥିର । ଏହା ଯେତେବେଳେ ବଢ଼େ, ପୃଥିବୀ ପ୍ରଣାଳୀ ତଥାପି ମୋଟାମୋଟି ଉତ୍ତାପ ଗ୍ରହଣ କରୁଛି ବୋଲି ସଙ୍କେତ ଦିଏ । ଏହି ତଥ୍ୟ କୌଣସି ଗୋଟିଏ ବେଜ୍ଞାନିକ ସମୂହର ନ ଥିଲା । ଅଧ୍ୟୟନକର୍ତ୍ତା ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍, କପରନିକସ୍ ମେରାଇନ୍ ସର୍ଭିସ୍ ଏବଂ ନୋଆ/ ଏନ୍ସିଇଆଇର ୩ ଅବଲୋକନଧର୍ମୀ ଉତ୍ପାଦ ସମେତ ଫଳାଫଳ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ସିଆଇଜିଏଆର୍- ଆର୍ଟି ମାଧ୍ୟମରେ ମହାସାଗରର ପୁନଃବିଶ୍ଳେଷଣ କରିଥିଲେ । ସମସ୍ତ ଅବଲୋକନ ଗୋଟିଏ ଇଙ୍ଗିତ କଲା । ତାହା ହେଉଛି ୨୦୨୫ରେ ମହାସାଗର ଉତ୍ତାପ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏହା ଏକ ଧାରା । ଗତ ୯ ବର୍ଷରେ ପ୍ରତ୍ୟେକ ବର୍ଷ ମହାସାଗର ଏକ ନୂଆ ରେକର୍ଡ କରିଛି ।
ମହାସାଗରର କିଛି ଅଂଶ ଅନ୍ୟ ଅଂଶ ତୁଳନାରେ ଅଧିକ ଦ୍ରୁତ ଉଷ୍ଣ ହେଉଛି । ଏହି ଅସମାନତା ଜଳବାୟୁ ପ୍ୟାଟର୍ନ ଓ ସାମୁଦ୍ରିକ ପ୍ରଭାବରେ ପରିବର୍ତ୍ତନକୁ ଦର୍ଶାଉଛି । ୨୦୨୫ରେ ବିଶ୍ୱ ମହାସାଗର କ୍ଷେତ୍ରର ପ୍ରାୟ ୧୬ ପ୍ରତିଶତ ରେକର୍ଡ ଉଚ୍ଚ ଉଷ୍ଣତାରେ ପହଞ୍ଚିଥିଲା । ୩୩ ପ୍ରତିଶତ ମହାସାଗର ସେଗୁଡ଼ିକର ସ୍ଥାନୀୟ ରେକର୍ଡରେ ଶୀର୍ଷ ୩ ସବୁଠୁ ଉଷ୍ଣ ଭାବେ ସାମିଲ ହୋଇଥିଲା । ସବୁଠୁ ଉତ୍ତପ୍ତ ଜୋନ୍ ମଧ୍ୟରେ ଉଷ୍ଣମଣ୍ଡଳୀୟ ଓ ଦକ୍ଷିଣ ଆଟ୍ଲାଣ୍ଟିକ୍, ଉତ୍ତର ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ମହାସାଗର ଥିଲା ।
ଏହି ଖବରଟିକୁ ପଢନ୍ତୁ- ଯୁଦ୍ଧବିରତି ନେଇ ଆଜି ବୈଠକ : ପାକିସ୍ତାନର ଜୋରଦାର ପ୍ରସ୍ତୁତି, ରେଡ୍ ଜୋନ୍ ସିଲ୍, ପରୀକ୍ଷା ସ୍ଥଗିତ, ଟ୍ରାଫିକ୍ କଡ଼ାକଡି