ଭୁବନେଶ୍ୱର,୧୬/୦୨: ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ନିଖୋଜକୁ ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଏ ଆଶଙ୍କା ଲାଗିରହିଛି । ୟା’ ଭିତରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମଝି ଦରିଆରେ ଜାହାଜ ଭିତରେ ଜଣେ ଓଡ଼ିଆ କ୍ୟାପଟେନ୍ଙ୍କ ହୃତ୍ଘାତରେ ମୃତ୍ୟୁ ଘଟିଛି । ସେ ହେଲେ, କ୍ୟାପଟେନ୍ ପୂର୍ଣ୍ଣଚନ୍ଦ୍ର ପାତ୍ର । ତାଙ୍କ ଘର ନୟାଗଡ଼ ଓଡ଼ଗାଁରେ । ତାଙ୍କ ପରିବାର ଲୋକ ବ୍ରହ୍ମପୁର ଅଞ୍ଚଳରେ ରହୁଛନ୍ତି । ବଡ଼ କଥା ହେଉଛି, ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ୩ଦିନରୁ ଅଧିକ ସମୟ ବିତିଲାଣି । ହେଲେ, ତାଙ୍କ ମୃତଦେହ ଏଯାଏଁ ଫେରି ପାରିନି । ଯେଉଁଥିପାଇଁ ପରିବାର ଲୋକ ଚିନ୍ତାରେ ଅଛନ୍ତି ।
ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ମର୍ଚାଣ୍ଟ ନ୍ୟାଭିରେ କାର୍ଯ୍ୟରତ । ସେ ଏକାଧିକ ସିପିଂ ସଂସ୍ଥାରେ କାମ କରିଛନ୍ତି । ସପ୍ତାହେ ତଳେ ସେ ପରିବାର ଲୋକଙ୍କ ସହ ଫୋନ୍ରେ କଥା ହୋଇଥିଲେ । ଏକ କାର୍ଗୋ ସିପ୍କୁ ନେଇ ଚୀନ ଅଭିମୁଖେ ଯାଉଛନ୍ତି ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ । ଗୁରୁବାର ତାଙ୍କ ହୃଦ୍ଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ ସିପିଙ୍ଗ ସଂସ୍ଥା ପକ୍ଷରୁ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇ ଦିଆଗଲା । ପରିବାର ଲୋକ ଦୁଃଖରେ ମ୍ରିୟମାଣ ହୋଇଗଲେ । ତେବେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଇ-ମେଲ ଜରିଆରେ ପରିବାର ଲୋକଙ୍କୁ ଜଣାଯାଇ ନାହିଁ । ସେପଟେ ଚୀନରେ ନୂଆବର୍ଷ ଥିବାରୁ ମୃତଦେହକୁ ଓଡି଼ଶା ପଠାଇବା ନେଇ ବିଳମ୍ବ ହେଉଥିବା ସୂଚନା ମିଳିଛି । ଏପରି ସ୍ଥଳେ ସିଫେୟାର୍ସ ଆସୋସିଏସନ ଅଫ୍ ଓଡି଼ଶା ପକ୍ଷରୁ ସ୍ୱର୍ଗତ କ୍ୟାପଟେନଙ୍କ ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ସଂଘ କର୍ତ୍ତୃପକ୍ଷ ଉକ୍ତ ସିପିଙ୍ଗ ସଂସ୍ଥା ସହ ଯୋଗାଯୋଗ କରିଛନ୍ତି ।
ଆହୁରି ପଢ଼ନ୍ତୁ :- ଅସହ୍ୟ ହେଉଛି ଟ୍ରାଫିକ୍ ଯନ୍ତ୍ରଣା: ଶିଶୁଭବନରେ କଂକ୍ରିଟ୍ ବ୍ୟାରିକେଡ୍ ଦଣ୍ଡ, ବମିଖାଲରେ ଚଢ଼ିଲେ ବାଟ ବାଉଳା