ଭୁବନେଶ୍ୱର,୧୬/୦୨: ଯାତାୟାତକୁ ସୁଗମ କରିବା ଲାଗି ନିର୍ମାଣ ଓଭରବ୍ରିଜ୍ ଏବେ ଯନ୍ତ୍ରଣା ବଢ଼ାଉଛି । ଓଭରବ୍ରିଜ୍ ଦେଇ ଯିବା ଥିଲେ ଯେମିତି ଟ୍ରାଫିକ୍ ଯନ୍ତ୍ରଣାର ଏକ ଭୟ ମନକୁ ଚାଲି ଆସୁଛି । ରାଜଧାନୀର ସହର ଭିତରେ ଥିବା ଏକାଧିକ ଓଭରବ୍ରିଜ୍ ମଧ୍ୟରୁ ୩ଟି ଓଭରବ୍ରିଜର ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହୋଇପଡ଼ିଲାଣି । ଏକପ୍ରକାର ଓଭରବ୍ରିଜ୍ ବାଟ କଢ଼ାଇନେବା ବଦଳରେ ବାଟ ଓଗାଳୁଛି । କେଉଁଠି ସିମେଣ୍ଟ ବ୍ୟାରିକେଡ୍ ଯୋଗୁଁ ବ୍ରିଜ୍ ପାର୍ କରିବା ଏକ ପ୍ରକାର ଦଣ୍ଡ ଭୋଗିବାକୁ ପଡୁଛି । କେଉଁଠି ଓଭରବ୍ରିଜ୍ ପାର୍ ବେଳେ ଯାତ୍ରୀ ବାଉଳା ହେଉଛନ୍ତି । ଖାଲି ସେତିକି ନୁହଁ, ଓଭରବ୍ରିଜରେ ବେଆଇନ୍ ନିର୍ମାଣ ଗାଡିମୋଟର ଯା’ଆସରେ କଣ୍ଟା ସାଜିଛି ।
ଗତ ମଙ୍ଗଳବାର ଭୋର୍ରେ ଏକ ଧଳାରଙ୍ଗର କାର(ଓଡି୦୨ଜେଡ ୦୨୨୨) ଶିଶୁଭବନ ଓଭରବ୍ରିଜରୁ ତଳକୁ ଖସିପଡି଼ଲା । ଚାଳକ ବିରଞ୍ଚି ନାରାୟଣ ଜେନାଙ୍କ ସମେତ କିଛି ବସ୍ତିବାସିନ୍ଦା ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଗଲେ । ଏହି ଦୁର୍ଘଟଣା ସହିତ ଏକ ହତ୍ୟାକାଣ୍ଡର ଲିଙ୍କ୍ ଥିଲା । ହେଲେ ଏହି ଦୁର୍ଘଟଣାର ଏକମାତ୍ର କାରଣ ହେଉଛି, ଓଭରବ୍ରିଜ୍ ମଝିରେ ରଖାଯାଇଥିବା କଂକ୍ରିଟ୍ ବ୍ୟାରିକେଡ୍ । ରାଜଧାନୀର ଏହା ଏକ ବ୍ୟସ୍ତବହୁଳ ଓଭରବ୍ରିଜ । ଏହି ସଂକୁଚିତ ଓଭରବ୍ରିଜ୍ ଉପରେ ଯାତାୟାତକୁ ସୁଗମ କରିବାକୁ ଯାଇ ମଝିରେ କଂକ୍ରିଟ୍ ବ୍ୟାରିକେଡ୍ ରଖାଯାଇଛି । କିନ୍ତୁ ଏହା ଅନେକ ସମୟରେ ଘାତକ ପାଲଟୁଛି । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ବି ବ୍ୟାରିକେଡ୍ରେ ପିଟି ହୋଇ ଭାଙ୍ଗିରୁଜି ଯାଇଥିଲା । ପ୍ରତି ମାସରେ ୨-୩ଟି ଦୁର୍ଘଟଣାର କାରଣ ପାଲଟୁଛି ଏହି ବ୍ୟାରିକେଡ । ମରଣଯନ୍ତା ପାଲଟିଥିବା ଏହି ବ୍ୟାରିକେଡ୍କୁ ହଟାଇବାକୁ ପ୍ରଶାସନର ହାତ ଥରୁଛି ।
ଆହୁରି ପଢ଼ନ୍ତୁ :- ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ
ସେହିପରି ସହିଦନଗର ମହର୍ଷି କଲେଜ ପଟୁ କଟକ ରୋଡ଼କୁ ସଂଯୋଗ ପାଇଁ ନିର୍ମିତ ବମିଖାଲ ଓଭରବ୍ରିଜ୍ ଆଉ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି । ଏହି ଓଭରବ୍ରିଜ୍ ନିର୍ମାଣ ସମୟରେ ଦୁଇ ଦୁଇଥର ଭୁଷୁଡି଼ ପଡି଼ବାରୁ ଦୁଇଟି ମୁଣ୍ଡ ନେଇଥିଲା । ଏହି ଓଭରବ୍ରିଜ୍ ସବୁବେଳେ ଅଘଟଣ ପାଇଁ ଚର୍ଚ୍ଚାରେ ରହିଛି । ‘ଟି’ ଆକୃତିର ଓଭରବ୍ରିଜ୍ରେ କେଉଁପଟେ ଚଢ଼ିବେ, କେଉଁ ବାଟ ଦେଇ ଓହ୍ଲାଇବେ । ସେନେଇ ଗାଡ଼ିଚାଳକଠୁ ପଥଚାରୀ ସଭିଏଁ ସବୁବେଳେ ଦ୍ୱନ୍ଦ୍ୱରେ ପଡି଼ଥାନ୍ତି । ସହିଦନଗର ପଟୁ ଚଢ଼ିଲେ, ଏସ୍ପ୍ଲାନେଡ୍ ମଲ ବାଟେ ରସୁଲଗଡ଼କୁ ଓହ୍ଲାଇବାକୁ ନିୟମ ରହିଛି । ସେହିପରି କଟକ ରୋଡ଼ର ସନ୍ତୋଷୀ ମା’ ମନ୍ଦିର ପଟୁ ଚଢ଼ିଲେ ସହିଦନଗର ମହର୍ଷି କଲେଜ ପଟେ ଓହ୍ଲାଇବା କଥା ।
କିନ୍ତୁ ଓଭରବ୍ରିଜ ମଝିରେ ପଡିଥିବା ବ୍ୟାରିକେଡ୍କୁ ଅମାନିଆମାନେ ହଟାଇ ଦେବା ଫଳରେ ଏବେ ଓଭରବ୍ରିଜ୍ରେ ତିନି ତୁଣ୍ଡ ଖୋଲା । ଯିଏ ଯେଉଁପଟେ ପାରିଲା, ମାଡ଼ିଗଲା । ଓଭରବ୍ରିଜ୍ ପାର୍ ପାଇଁ ରଙ୍ଗରୁଟ୍ ଗାଡି ଚାଳନାର ଏକରକମର ପ୍ରତିଯୋଗିତା ଚାଲୁଛି ଏଠି । ଏସ୍ପ୍ଲାନେଡ୍ ମଲ୍ ଓ ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ବରେ ଶହଶହ ଗାଡ଼ି ଚାଳକ ବିପରୀତ ଦିଗରେ ଯାଇ ବିପଦକୁ ଡାକୁଛନ୍ତି । କିଏ କେଉଁ ରୁଟ୍ ଦେଇ ଓଭରବ୍ରିଜ୍ ପାର୍ କରିବ, ତାହା ପରଖିବାକୁ ଜଣେ ଟ୍ରାଫିକ୍ ପୁଲିସ ବି ଜଗୁନାହିଁ ।
ସେହିପରି ବ୍ୟସ୍ତବହୁଳ ସତ୍ୟନଗର ଓଭରବ୍ରିଜ୍ ଢ଼େର୍ ଦୁର୍ବଳ ହୋଇଗଲାଣି । ଓଭରବ୍ରିଜ୍ ମଝି ସଂଯୋଗସ୍ଥଳରେ ବିରାଟକାୟ ଫାଟ ସୃଷ୍ଟି ହୋଇଥିଲା । ବିନା କୌଣସି ନୋଟିସ କିମ୍ବା ଟ୍ରାଫିକ୍ କଟକଣାରେ ଓଭରବ୍ରିଜ୍ ଉପରେ ବେଆଇନ୍ ନିର୍ମାଣ ଚାଲିଥିଲା । ଦୀର୍ଘ ୨୦ ଦିନ ଧରି ରାସ୍ତା ମଝିକୁ ଖୋଳି ତାଡି଼ ପକାଇ ମରାମତି କରୁଥିଲେ । ରାସ୍ତାରେ ଲୁହାଛଡ ମୁକୁଳା ହୋଇପଡିଥିବାରୁ ଗାଡି଼ଚାଳକମାନେ ବିପଦରେ ଯା’ଆସ କରୁଛନ୍ତି । ଢ଼େର ହଇରାଣ ହେଉଛନ୍ତି । ହେଲେ ଠିକା ସଂସ୍ଥା ଜରିଆରେ ପୂର୍ତ୍ତ ବିଭାଗର ଏହି ବେଆଇନ ନିର୍ମାଣର ବିରୋଧ କରିବାକୁ କେହି ନାହାନ୍ତି ।
ଆହୁରି ପଢ଼ନ୍ତୁ : - ଭାଲେଣ୍ଟାଇନ୍ସ ଡେ' ରେ ନିୟମ କାନୁନର ଉଡ଼ିଲା ଧଜ୍ଜିଆ, ବିଳମ୍ବିତ ରାତି ଯାଏ ପବ୍ରେ ଜମିଲା ନାଚଗୀତ, ‘ଓଡି ୦୨’ ସିଲ୍