ଭୁବନେଶ୍ୱର ୦୩/୦୩: ଗତ କିଛିଦିନ ହେଲା ବାହାରିନକୁ ଅପ୍ରତ୍ୟାଶିତ ଟାର୍ଗେଟ କରାଯାଇଛି । ବାହାରିନ ପ୍ରତିରକ୍ଷା ବାହିନୀ (ବିଡିଏଫ୍) ଅଧିକାଂଶ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ସଫଳତାର ସହିତ ପ୍ରତିହତ କରିଛି । ଆକ୍ରମଣ ଯୋଗୁ ଆବାସିକ କୋଠା ଏବଂ ପ୍ରମୁଖ ଶିଳ୍ପ ସ୍ଥାନଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି । ମିନା ସଲମାନ ବନ୍ଦର, ଆଲ୍ବା (ଆଲୁମିନିୟମ୍ ବାହାରିନ) ପ୍ଲାଣ୍ଟ ଏବଂ କ୍ରାଉନ୍ ପ୍ଲାଜା ହୋଟେଲ ନିକଟରେ, ଜୁଫୈର ଏବଂ ମୁହାରକ୍ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଥିବା ସୂଚନା ମିଳିଛି । କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ ସାଇରନର ନିରନ୍ତର ଶବ୍ଦ ଏବଂ ପ୍ରତିବନ୍ଧକର ପ୍ରଭାବ ଭୟର ବାତାବରଣ ସୃଷ୍ଟି କରିଛି । ବର୍ତ୍ତମାନ ବାୟୁସୀମା ବନ୍ଦ ଥିବାରୁ ପ୍ରବାସୀ ଭାରତୀୟ ବିଶେଷ କରି ବାହାରିନରେ ବାସ କରୁଥିବା ଓଡ଼ିଆମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି ।

ଆହୁରି ପଢ଼ନ୍ତୁ...ଅଶାନ୍ତ ହୋଇପଡ଼ିଛି ପଶ୍ଚିମ ଏସିଆ, ବିପଦରେ ୧ କୋଟି ଭାରତୀୟ

ଏହି ପରିପ୍ରେକ୍ଷୀରେ ଏକ ସମ୍ଭାବ୍ୟ ବଡ଼ ଧରଣର ସ୍ଥାନାନ୍ତର ଯୋଜନା ପାଇଁ ପ୍ରସ୍ତୁତ ହେବାକୁ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛି ବାହାରିନ୍ ଓଡ଼ିଆ ସମାଜ । ବାହାରିନ୍ ଓଡ଼ିଆ ସମାଜ ଏବଂ ଓଡ଼ିଆ ଡାଏସ୍ପୋରା ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ଏ ସମ୍ପର୍କରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଇ-ମେଲ୍ କରିଛନ୍ତି । କୂଟନୈତିକ ପ୍ରୟାସ ସଫଳ ହେବ ଓ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମେ ଆଶାବାଦୀ ରହିଛୁ । ଆମେ ଭାରତ ସରକାରଙ୍କୁ ସମସ୍ତ ବିକଳ୍ପ ଖୋଲା ରଖିବା ସହ ସଂଘର୍ଷ ଦୀର୍ଘ କିମ୍ବା ତୀବ୍ର ହେଲେ ଆମର ନାଗରିକମାନଙ୍କର ଶୀଘ୍ର ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏକ ଦୃଢ଼ ଯୋଜନା ସହ ସ୍ଥାନାନ୍ତର ରଣନୀତି ଚୂଡ଼ାନ୍ତ କରିବାକୁ ଅନୁରୋଧ କରୁଛୁ ବୋଲି ଡ. ପ୍ରହରାଜ କହିଛନ୍ତି । ଏବେ ବହୁ ଓଡ଼ିଆ ଡ. ପ୍ରହରାଜଙ୍କ ଘରେ ରହୁଛନ୍ତି । ସେମାନେ ଶୀଘ୍ର ଓଡ଼ିଶା ଫେରିବାକୁ ଆଶାବାଦୀ ଅଛନ୍ତି ।